Unknown

 

 

 

 

 

 

 

 

 

 

 

ଅଂଗୀକାର

ଗୌତମ ଜେନା

 

ଆଜି ବି ମନେପଡ଼ୁଚି । ଯେତେବେଳେ ଜନ୍ମ ହୋଇ ଏଇ ମାଟିରେ ମଣିଷ କାନ୍ଦୁଥିଲା, କିଏ ଚିହ୍ନିଥିଲା ତାକୁ । କିଏ ନିଜର କରି ତୋଳିଥିଲା ସେତେବେଳେ । ଏକୁଟିଆ ଜନ୍ମ ହେଲାବେଳେ ତା’ର କ’ଣ ସେମିତି କିଛି ନାଁ ଥିଲା ?

 

ଏଇ ଗାଁ ତାକୁ ଆଜି ନିଜର କରିଛି । ଭାଇ, ଭଉଣୀ, ବାପା, ବୋଉ ଇତ୍ୟାଦି ଡାକି ଶିଖେଇଛି । ଅନ୍ୟମାନଙ୍କୁ ସ୍ନେହ ମମତା ଦେଇ ନିଜର କରିବା ଶିଖେଇଛି । କ’ଣ ବା ଏଗୁଡ଼ାକ ଦରକାର ଥିଲା ତା’ପାଇଁ ! ଅନ୍ୟମାନଙ୍କୁ ନିଜର କରିବା ଭିତରେ କ’ଣ ବା ସ୍ଵାର୍ଥ ଥିଲା ତା’ର !!

 

ଶ୍ରୀକାନ୍ତ ମନେ ମନେ ଖୁବ୍‌ ବିରକ୍ତ ହେଉଥିଲା । ହୁଏତ ଏମିତି ପ୍ରକାଶ କରିବାପାଇଁ ସେ ଉଚିତ ମନେକରୁନଥିଲା । ସମସ୍ତେ କହୁଛନ୍ତି ‘ମଣିଷ ସାମାଜିକ ପ୍ରାଣୀ’ । ସେ ବି ସେହି ସଂଜ୍ଞା ଭିତରେ ଦିନେ ରହିଯିବ । କନ୍ତୁ ଯାହା ସଂଜ୍ଞା, ମହାଜନ ବାଣୀ–ତାକୁ କ’ଣ ମାନିନେବା ପାଇଁ ମଣିଷ ବାଧ୍ୟ ?

 

ଶ୍ରୀକାନ୍ତ ଚାହୁଁନଥିଲା ତାକୁ ସମସ୍ତେ ସାମାଜିକ ପ୍ରାଣୀ କୁହନ୍ତୁ । ଏଇ ସାମାଜିକ ଓ ଅସାମାଜିକର ଯେଉଁ ଦୁର୍ଭେଦ୍ୟ ପାଚେରୀ ରହିଚି, ତାହାଠାରୁ ସେ ଯେମିତି ଅନେକ ଦୂରରେ ଥିଲା । ସେ ହୁଏତ କବି ହୋଇପାରିବ, ଲେଖକ ହୋଇପାରିବ, ଅଧ୍ୟାପକ ହୋଇପାରିବ ନିଜକୁ ବଞ୍ଚାଇବା ପାଇଁ । ସେଇ ଦର୍ଶନ ଭିତରେ ସମାଜ ତା’ପାଇଁ ଏକ ପ୍ରବଞ୍ଚନା ।

 

କିଏ କ’ଣ କରିଚି ତା’ପାଇଁ ? କେହି ହୁଏତ ଆସି ଥାଇପାରେ ତା’ ଅସହାୟତାର ସୁଯୋଗ ନେଇ କିଛି ପ୍ରବୋଧନା ଶୁଣାଇବାକୁ । କଛି ମିଠା ମିଠା କଥା କହି ମନ ରସେଇବାକୁ । ଯେତେବେଳେ ସେ ଭୋକିଲା, କ୍ଳାନ୍ତ, ଏସବୁ ବା ତା’ପାଇଁ କ’ଣ ଦରକାର ?

 

ସେ ଆଉ କାହାକୁ ବିଶ୍ଵାସ କରିପାରୁନି । ସବୁ ବିଶ୍ଵାସର ବର୍ଷା ଝରିଗଲା ପରେ, ଏବେ ମରୁଡ଼ିର କରାଳ ଆକ୍ରମଣରେ ସେ ରୁକ୍ଷ ।

 

ଅଖିରୁ ଥପ୍‌ ଥପ୍‌ ଲୁହ ଝରିପଡ଼ିଲା ବହି ଉପରେ । କାହା ଉପରେ ବା ସେ ରାଗି ପାରିବ-! ଆହା କହିବାକୁ ପାଖରେ କେହି ନାହାନ୍ତି ବୋଲି ସେ ମନଇଚ୍ଛା କାନ୍ଦିବ । କାନ୍ଦି କାନ୍ଦି ସବୁ ଭାବନାର ଧୂଳିମଳିକୁ ସେ ଧୋଇଦେବ । ହେଲେ ଭାବନାର ମୃତ୍ୟୁ ଘଟୁଚି କେଉଁଠି ! ଯେତେ ଆକଟ କଲେ ବି ଜମା ରୋକି ହେଉନି ସେଇ ସୁଅକୁ । ନଦୀବନ୍ଧ ଭାଙ୍ଗିଗଲା ପରେ ବଢ଼ନ୍ତା ନଈର ସୁଅକୁ ବା କେମିତି ବୋଝ ବୋଝ ମାଟି ପକାଇ ବନ୍ଦକରି ଦେଇ ହେବ ? ଆଖିରୁ ସବୁ ପାଣି ନିଗିଡ଼ି ଗଲେ ସେ ଶାନ୍ତି ପାଇବ ।

 

ପାଖରେ ଲଣ୍ଠନ ମିଞ୍ଜି ମିଞ୍ଜି ହୋଇ ଜଳୁଚି । ଅଧା ଆଲୁଅ ଓ ଅଧା ଅନ୍ଧାର ଭିତରେ ବିବର୍ଣ୍ଣ ହୋଇଯାଇଚି ଶ୍ରୀକାନ୍ତର ମୁହଁ । ପାଖାପାଖି ଅତୀତର ଘଟଣାଗୁଡ଼ିକ ଗୋଟି ଗୋଟି ହୋଇ ମନେପଡ଼ିଯାଉଛି ତା’ର । ଯେଉଁ ଦିନରୁ ହେତୁ ହେଲାଣି, ସେହି ଦିନଠାରୁ ସେ ହୁଏତ ଜାଣିନଥିଲା ଦୁଃଖ କେମିତି ଆସେ । ମଣିଷ କେମିତି ଗରିବ ହୁଏ ଅଥବା ଗରିବ ମଣିଷ ଦୁଃଖ ପାଏ କେମିତି । ବାପା, ବୋଉର ଗାଳିମାଡ଼ ଖାଇଚି, ଦାଦା, ଖୁଡ଼ୀର ଗାଳି ଶୁଣିଚି, ତଥାପି ଦୁଃଖ ଆସିନି ମନରେ । ପିଲାଦିନରୁ ପ୍ରତିଜ୍ଞାବଦ୍ଧ ସେ ମଣିଷପରି ମଣିଷଟିଏ ହେବ । କିନ୍ତୁ କିଏ ବା ଗାଁରେ ବିଶ୍ଵାସ କରୁଥିଲା ସେ ପାଠ ପଢ଼ିବ, ମଣିଷ ହେବ ବୋଲି ! ପିଲାଦିନର ଚଗଲାମି ଆଉ ବର୍ତ୍ତମାନର ଶାନ୍ତ ପରିସ୍ଥିତି ଭିତରେ ଯେମିତି ହୋଇଯାଇଚି ଆକାଶ ପାତାଳ ପାର୍ଥକ୍ୟ । ଗାଁ ପିଲାଙ୍କ ସାଙ୍ଗରେ ବାଗୁଡ଼ି, ବୋହୂଚୋରି ଖେଳି କେତେ ପିଲାଙ୍କ ସାଙ୍ଗରେ କଳିକରି ମାଡ଼ ନ ଦେଇଚି ସେ । ଏଥିପାଇଁ ସେ ଘରେ ଅନେକବାର ଆକଟ ଶୁଣିଚି, ମାଡ଼ ଖାଇଚି ବି । ସେଥିପ୍ରତି ଛୋଟ ପିଲାର ବା ଭ୍ରୂକ୍ଷେପ କ’ଣ-? ପାଠ ପଢ଼ୁ ପଢ଼ୁ ବହି ପକେଇ ଦେଇ ବାପାବୋଉଙ୍କ ପାଖରୁ ଲୁଚି ଲୁଚି ଖେଳିବାକୁ ଗଲାବେଳେ ଧରାପଡ଼ିଯାଇ କେତେ ଥର ମାଡ଼ ଖାଇ ଗାଲ ଫୁଲି ଯାଇଚି, ଦେହରେ ଦାଗ ହୋଇଯାଇଚି, ତଥାପି ସେ ଚଗଲାମି ଛାଡ଼ି ପାରିନି ।

 

କଲେଜ ପଢ଼ାଠାରୁ ଏଇ ଚାରିବର୍ଷ ଭିତରେ ସେ କେତେ ଶାନ୍ତ, ସୁଧାର ପିଲାଟିଏ ହୋଇଯାଇଚି । କି ଆଶ୍ଚର୍ଯ୍ୟ ଏ ଗାଁ ଲୋକମାନେ । ତାଙ୍କରି ପାଖରେ ପୁଣି ସେ ସୁନା ମୁଣ୍ଡାଟିଏ ପଲଟିଚି । ଯେଉଁ ମୁହଁରେ ଗାଳିଦିଅନ୍ତି, ପୁଣି ସେଇ ମୁହଁରେ ପ୍ରଶଂସା ଗାଇ ବୁଲନ୍ତି ।

 

ବେଳେ ବେଳେ କୌତୂହଳ ଭିତରେ ହଜିଯାଏ ଶ୍ରୀକାନ୍ତର ଅସ୍ତିତ୍ଵ ।

 

ସମୟର ପରିବର୍ତ୍ତନ ଏଥିପାଇଁ ଦାୟୀ । କାଳର ସ୍ରୋତ ଭିତରେ ହଜିଯାଏ ମଣିଷର ଅତୀତ । ବର୍ତ୍ତମାନ ପୁଣି ଅତୀତ ହେଲେ ଭବିଷ୍ୟତ ଆସେ ବର୍ତ୍ତମାନ ପର୍ଯ୍ୟାୟକୁ । କେହି ସ୍ଥିର ହୋଇ ରହିପାରନ୍ତିନି ମଣିଷର ମନରେ । ଅଦ୍ଭୁତ ଉପାଦାନରେ ଗଢ଼ା ମଣିଷର ମନ ।

 

ଶ୍ରୀକାନ୍ତ ନିଜକୁ ଖୁବ୍ ଏକୁଟିଆ ଭାବୁଥିଲା ତା’ର ପରିଧି ଭିତରେ । ତା’ର ବିଶ୍ଵାସର ଇଲାକାକୁ ଡେଇଁ ପଶିବାକୁ ଯେପରି ସମସ୍ତେ ଅକ୍ଷମ ହୋଇ ଯାଇଥିଲେ ତା’ ନିକଟରେ ।

 

ବହି ଉପରୁ ମୁହଁ ଟେକିଲା ଶ୍ରୀକାନ୍ତ । ଆଙ୍ଗୁଠିରେ ଲୁହ ପୋଛୁ ପୋଛୁ ଲଣ୍ଠନଟି ଧପ୍ କରି ଲିଭିଯିବା ସଙ୍ଗେ ତା’ର ସବୁ ଭାବନା ଜଳି ଜଳି ଲିଭିଗଲା ।

 

କ୍ଳାନ୍ତ ଆଖିପତା ଦୁଇଟି ବୁଜି ଦେଲା ଶ୍ରୀକାନ୍ତ । ସବୁ ଚିନ୍ତା ରାଜ୍ୟ ଭିତରୁ ଦୂରେଇ ଯାଇ ଶାନ୍ତିରେ କିଛି ସମୟ ଅତିବାହିତ କରିବାକୁ ଏଇ ସମୟତକ ଥିଲା ତା’ର ବନ୍ଧୁ ।

 

ସକାଳର ସ୍ନିଗ୍‌ଧ ପରିବେଶ ଭିତରେ ଗତକାଲିର ସମସ୍ତ କ୍ଳାନ୍ତି ଭୁଲି ଯାଇଥିଲା ଶ୍ରୀକାନ୍ତ-

 

ଏକ ନୂଆ ଜୀବନ ଓ ନୂଆ ସମୟ ସହିତ ପରିଚିତ ହେବାକୁ ସେ ସକାଳର ସୂର୍ଯ୍ୟାଲୋକକୁ ବାହାରି ଆସିଲା ।

 

ନିତ୍ୟକର୍ମ ଶେଷ କରିବା ଭିତରେ ହୁଏତ ସେ ଥରକ ପାଇଁ ଚିନ୍ତାକରିନଥିଲା ଏହାପରେ କ’ଣ କରିବ ।

 

ଟେବୁଲ ଉପରେ ବସି ଆଜି ଦିନର ପାଠପଢ଼ା ଶେଷକରି ଦେବାକୁ ସେ ବହିର ପୃଷ୍ଠା ଓଲଟାଇବାକୁ ଲାଗିଲା । ଟେବୁଲ ଘଣ୍ଟାରେ ଦଶଟା ବାଜିବାକୁ ଯାଉଚି । ଦଶଟା ତିରିଶ ସୁଦ୍ଧା କଲେଜରେ ପହଞ୍ଚିବାକୁ ପଡ଼ିବ ।

 

ଶ୍ରୀକାନ୍ତ କଲେଜ ଚାଲିଚି ।

 

ଘଞ୍ଚ କଳାମେଘ ଭିତରେ ସେ ଚାଲିଚି । ଦ୍ଵିପହର ଖରା ପାଖେଇ ଆସିଲେବି ଘଞ୍ଚମେଘ ଦୂରେଇ ଯାଇ ପାରୁନି । ଆକାଶରେ ମେଘ ଉଠିଚି ସିନା, କିନ୍ତୁ ବର୍ଷା ବର୍ଷୁନି । ବର୍ଷିବାର କୌଣସି ସମ୍ଭାବନା ଜଣାପଡ଼ୁନି । ବର୍ଷ ଏ ବର୍ଷା ଆଦୌ ହୋଇ ନଥିଲେ ବି ନଈରେ ଆସୁଚି ପ୍ରବଳ ବନ୍ୟା । ଦୁଇକୂଳ ଖାଇ ଉଛୁଳି ପଡ଼ୁଚି । ଶ୍ରୀକାନ୍ତର ମନ ଭିତରର ଦୁଇକୂଳ ।

 

ଆକାଶରେ ନାହିଁ ଝଡ଼ ବତାସର ସୂଚନା । ଶ୍ରୀକାନ୍ତର ମଥା ଘୂରିଯାଉଚି ଏକ ଭୀଷଣ ଝଡ଼ରେ ।

 

ପାରିବାରିକ ଅଶାନ୍ତି ଭିତରେ ମୁଣ୍ଡ ଖେଳାଇବା ଏଇଟା ତା’ପାଇଁ ପ୍ରଥମ ପରୀକ୍ଷା । ସେ ହାରି ଯାଉଚି.....ଜିତିବାକୁ ଚେଷ୍ଟା କରୁଚି ପୁନଶ୍ଚ । ଦୁଃଖ ତା’ପାଇଁ ନୂଆକରି ଆସୁଚି । ସେ ଚିହ୍ନିପାରୁନି । କିନ୍ତୁ ବନ୍ଧୁତ୍ଵର ମୋହବତ୍‌ ଉପେକ୍ଷା କରିନପାରି ହାତ ମିଳାଉଚି । ଏଥରକ ହୁଏତ ଏ ଦୁଃଖ ତା’ର ହେବ ପରମ ସାଥୀ । ଜୀବନ ସାରା ଏପରିକି ନ ଛାଡ଼ି ରହିଥିବ ତା’ର ପାଖେ ପାଖେ ।

 

କୋଡ଼ିଏ ବର୍ଷର ସେଇ ବିଗତ ଅତିତ ତା’ପାଇଁ ରହିଯିବ ଚେନାଏ ସ୍ମୃତି ହୋଇ । ସେଇ ସ୍ମୃତିର ବାଲିଗଦା ଉପରେ ବସି ବସି ସେ କେବଳ ସୁଖର କଳ୍ପନା କରି ବସିବ ସିନା, ପାଇବାଟା ତା’ପାଖରେ ହୋଇଯିବ ଅତ୍ୟନ୍ତ ଦୁରୂହ ।

 

ମୃତ୍ୟୁକୁ ସେ ଭୟ କରେ । ଏକ ଅନାତ୍ମୀୟ ସମ୍ପର୍କ ରଖିବାକୁ ଚାହେଁ ସେ ମୃତ୍ୟୁ ସହିତ । ଏତେ କଷ୍ଟ ଭିତରେ ବଞ୍ଚିରହିବା ଅପେକ୍ଷା କେଉଁଠି ହୁଏତ ମରିଯିବାର କଳ୍ପନା ସେ କରିପାରିନି ।

 

ଏଇ ଚିରା ପ୍ୟାଣ୍ଟ୍‌, ଚିରା ଜାମା ଭିତରେ ନିଜର ଦୁଃଖକୁ ଲୁଚାଇବାକୁ ଚେଷ୍ଟା କରି ମଧ୍ୟ ସେ ବିଫଳ ହୋଇଛି ।

 

ନଈ ପରି ବହିଆସୁଚି ଧାର ଧାର ଲୁହ ଦୁଇ ଆଖିରୁ । ସେ ଚାହେଁ ଏଇ କଷ୍ଟ ଭିତରେ ଜୀବନର ସଂଜ୍ଞା ଖୋଜିବାକୁ–ଜୀବନର ମାନେ ବୁଝିବାକୁ ।

 

ତା’ ଜୀବନ ସତରେ କ’ଣ ?

 

ନଈଟିଏ ହୋଇପାରେ ।

 

ନଈକୁ ବନ୍ଧ ପକାଇ ପାଣିକୁ ଅଟକାଇ ରଖିଲେ ନଈର ବା ମୂଲ୍ୟ କ’ଣ ? ?

 

ତା’ ଜୀବନରେ ସେମିତି ଏକ ବନ୍ଧ ପଡ଼ିଯାଇଚି । ଯେଉଁଠି ସେ ନିଜର ଜୀବନକୁ ତଉଲି ହାରିଯାଇଚି ଏଇ ଲୋକମାନଙ୍କ ନିକଟରେ ।

 

ସେ ହୁଏତ ଏକ ପର୍ବତ ।

 

ଯାହାର ଅଗ୍ର ଭାଗରେ ବଜ୍ରର ପ୍ରହାର ହେଲେ ଖସି ପଡ଼େ ଖଣ୍ଡ ଖଣ୍ଡ ପ୍ରସ୍ଥର । ସେ ପ୍ରସ୍ଥର ଖଣ୍ଡ ନ ହୋଇପାରେ ଏକ ଏକ ପର୍ବତ–କିନ୍ତୁ ଏକ ପର୍ବତ ପ୍ରସ୍ଥରର ଗଦା ।

 

ତା’ ଜୀବନ ହୁଏତ ଦୁଃଖର ଏକ ପର୍ବତ । ପୁନଶ୍ଚ ଆସୁ ଯେତେ ଦୁଃଖ ଏଥର, ସେ ପଥରପରି ଛାତି କରି ସହିନେବ ସମସ୍ତଙ୍କୁ ।

 

ଜୀବନ ବି ହୋଇପାରେ ଏକ ଗଛ । ଯାହା ଉପୁଡ଼ିଯିବ ଏକ ପ୍ରକାଣ୍ଡ ଝଡ଼ରେ ।

 

ଜୀବନ ବି ହୋଇପାରେ ଏକ ଝଡ଼–ଯାହା କିଛି ସମୟ ପରେ ପୁନଶ୍ଚ ଆଉ ଏକ ଝଡ଼ ସହିତ ମିଶିଯିବ ।

 

ଜୀବନ ହୋଇପାରେ ବର୍ଷା ବିନ୍ଦୁ ବାଲିଗଦା ଉପରେ । ଯାହା ଝରି ପଡ଼ୁ ପଡ଼ୁ ଶୋଷି ହୋଇଯିବ ।

 

ଆଉ କିଛି ଭାବିପାରିଲାନି ଶ୍ରୀକାନ୍ତ । ଦର୍ଶନର ଛାତ୍ର ହୋଇ ଆଉ ସେ ଖିନ୍‌ ଭିନ୍‌ କରିପାରିଲାନାହିଁ ଦର୍ଶନଶାସ୍ତ୍ରକୁ । ଦର୍ଶନକୁ ନେଇ ମଣିଷ ହୁଏତ ବଞ୍ଚି ପାରେନା ସବୁ ଦିନ ପାଇଁ । ଦର୍ଶନ ଏକ ଥିଓରି । ଯାହାକୁ ସାର୍‌ ଆସି କ୍ଲାସରେ ବୁଝେଇ ଦେଇ ଚାଲି ଯାଆନ୍ତି ।

 

କାମରେ କ’ଣ ଏସବୁ ଦର୍ଶନକୁ ପ୍ରୟୋଗ କରିହୁଏ । ଏଇ ଦର୍ଶନକୁ ପ୍ରୟୋଗ କରି ମଣିଷ କ’ଣ ସବୁବେଳେ ସୁଖୀ ହୁଏ, ଦୀର୍ଘଜୀବୀ ହୋଇପାରେ ? ଶ୍ରୀକାନ୍ତ ମନରେ ଏକ ପ୍ରଶ୍ନବାଚୀ ଅନେକ ଦିନର ।

 

ପାରିବାରିକ ସମସ୍ତ ଦୁଃଖକୁ ଭୁଲିଯିବା ପାଇଁ ସେ ଅନେକ ଚେଷ୍ଟା କରିଚି । ନିଜ ମନକୁ ମନ ଯୁକ୍ତି ବାହାର କରି ମନ ସହିତ ଯୁଝିଚି । ହେଲେ, ମନ ବା ମାନୁଚି କେତେକେ ! କେବଳ ମିଛ ଭିତରେ ମନକୁ କେତେ ସମୟ ସେ ସାନ୍ତ୍ୱନା ଦେଇ ପାରିବ ??

 

ଦର୍ଶନ କେବଳ ମନକୁ ବୁଝେଇବା ପାଇଁ ମିଛ ପ୍ରହେଳିକା ତା’ପାଖରେ । ସେଇ ଖମ୍ବଟିକୁ ଜାବୋଡ଼ି ଧରି ସେ ଅଣନିଃଶ୍ଵାସୀ ହୋଇପଡ଼ୁଚି ।

 

ସାମୟିକ ଉତ୍ତେଜନା ଭିତରୁ ଚେତନ ଶକ୍ତିକୁ ଫେରିଆସିବା ବେଳେ ସେ ଠିକ୍ ଅନୁମାନ କରିପାରୁଚି ତା’ ପେଟର ଭୋକକୁ । କେତେଦିନ ବା ଏମିତି ଉପାସ ଭିତରେ ସେ ନିଜକୁ ବଞ୍ଚାଇ ପାରିବ !!

 

ଘରକୁ ଘର ବୁଲିଚି ଟିଉସନଟିଏ ଯୋଗାଡ଼ କରିବା ପାଇଁ । ଏତେ ବଡ଼ ସହରଟାରେ ସେତିକି ସମ୍ବଳକୁ ସେ ପାଇପାରିଲାନି ଏତେ ଦିନ ପରେ । କାହାର ବା ସାହାଯ୍ୟ ଆଉ ଲୋଡ଼ିବ ! କେତେ ଅନୁନୟ ବିନୟ ନ ହୋଇଚି ସେ ଲୋକଙ୍କ ପାଖରେ । କିଏ ବା ଜଣାଉଚି ସମବେଦନା ତା’ ଦୁଃଖ ପାଇଁ ?

 

ଏ ସହର ଲୁହାର ସହର । ମଣିଷର ଛାତି ସବୁ ତିଆରି ହୋଇଚି ଏଇ ଇସ୍ପାତ ଲୁହାରେ-। ଏତେ ଶୀଘ୍ର କ’ଣ ସେ ତରଳାଇ ପାରିବ ସେଇ ଲୁହା ପ୍ଲେଟ୍‌କୁ । ଏଇ ଯନ୍ତ୍ର ଯୁଗରେ ମଣିଷ ହୋଇଯାଇଚି ଯନ୍ତ୍ର । କିଏ ବା ବଶ କରିପାରିବ ମନ୍ତ୍ରଦ୍ୱାରା । ସହରରେ ନାହିଁ ହୃଦୟ ପାଇଁ ହୃଦୟ, ମନ ପାଇଁ ମନ, ଲୁହ ପାଇଁ ଲୁହ । କେବଳ ମିଳିବ ଜଣକୁ ଭଲପାଇବା ପରେ ତା’ଠାରୁ ନିଷ୍ଠୁର ଚାବୁକ୍ ପାହାର । ଜଣକ ସହିତ ବନ୍ଧୁତ୍ଵ ସ୍ଥାପନ କଲାପରେ ତା’ଠାରୁ ମିଳବ ଶତ୍ରୁତା ।

 

ଏକ ଦୀର୍ଘଶ୍ଵାସରେ ଶ୍ରୀକାନ୍ତର ଛାତି ଫାଟି ଯାଉଥିଲା । ସେ ଅନୁଭବ କରୁଥିଲା ଶତସହସ୍ର କଳା ନାଗର ବିଷ ତା’ ଗୋଡ଼ରୁ ମୁଣ୍ଡ ପର୍ଯ୍ୟନ୍ତ ଚରିଯାଉଚି ଓ ସେ କ୍ରମଶଃ ପଙ୍ଗୁ ହୋଇଆସୁଚି ।

 

କଅଁଳ ଖରା ତାତି ଆସୁଚି ଧିରେ ଧିରେ । ଶ୍ରୀକାନ୍ତ ଆଉ ପାଦେ ଆଗକୁ ଯାଇପାରିଲାନି-। ଗାଲରେ କଅଁଳି ଆସୁଥିବା ରୁମ ମୂଳେ ଗଜୁରୀ ଆସିଲାଣି ବିନ୍ଦୁ ବିନ୍ଦୁ ଝାଳ । ଆଖି ଦି’ଟା ଗରମ ଲାଗିଲାଣି । ଚାରିପାଖରୁ ଯେମିତି ଘନେଇ ଆସିଲାଣି ଅନ୍ଧାର । ଶେଷରେ ଅନ୍ଧାର ଭିତରେ ଚାପି ହୋଇ ସେ ମିଳେଇ ଯିବା ପରି ବୋଧକଲା ।

ପୁନଶ୍ଚ ସେ ବସା ଘରକୁ ଫେରଆସି ରଡ଼ି କରି କାନ୍ଦିଲା ।

ଯେମିତି ତା’ର ସବୁ ଦୁଃଖ ଦୂର ହୋଇଯିବ–ଉପଶମ ହୋଇଯିବ ମନର ଅଶାନ୍ତ ବେଦନା ।

ସାତ ପଛରେ ପକେଇ ଆସିଥିବା ସେଇ ଗାଁ ମାଟିର କଅଁଳିଆ ଦୂବ, ଗଛର ଶାଗୁଆ ପତ୍ର, ବିଲ, ପୋଖରୀ, ଗୋହିରୀ, ଜୀବନ ପାଇ ତା’ ଚାରି ପାଖେ ବୁଲିବାକୁ ଲାଗିଲେ । ଆଖି ବୁଜି ଦେଲେ ବି ସେ ସବୁ ବେଶୀ ବେଶୀ ବୁଲିଲେ ମନେପଡ଼ିଯାଉଥିବା ଚରା ଭୂଇଁର ଛାତିରେ ।

ଖଟ ଉପରେ ଲଥ୍ କରି ବସିପଡ଼ିଲା ସେ । ଆଖି ଦୁଇଟିକୁ ଜୋରରେ ଜାବୁଡ଼ି ଧରି ତକିଆରେ ମୁହଁ ଲୁଚେଇ ଦେଲା ।

ଆସ୍ତେ ଆସ୍ତେ ସେ ପିଲାଟିଏ ହୋଇଗଲା । ରଡ଼ି କରି କାନ୍ଦିଲା । ବୋଉ ଆସି କୋଳକୁ ନେଇ ଦୁଧ ଖୋଇ ଦେଲେ । କାନ୍ଦ ଚୁପ୍‌କରି ବନ୍ଦ ହୋଇଗଲା । ଗାଲରେ ଚାରି ପାଞ୍ଚଟା ବୋକ ଦେଇ ପିଠି ଉପରେ ଥାପୁଡ଼େଇ ଦେଲେ ବୋଉ । ବିଛଣାରେ ସେ ଚୁପ୍‌କି ଶୋଇପଡ଼ିଲା ।

କଥା କହି ଶିଖିଲା ଶ୍ରୀକାନ୍ତ ।

ଚାରି ପାଞ୍ଚ ବର୍ଷର ପିଲାଟିଏ ଶ୍ରୀକାନ୍ତ ।

ସିଲଟ ଧରିଲା । ଶୂନ ମଡ଼େଇଲା । ବ୍ରହ୍ମା, ବିଷ୍ଣୁ, ମହେଶ୍ଵର କହି ଶୂନ ତିନୋଟି ମଡ଼େଇଲା ।

ପିଲାଙ୍କ ସାଥିରେ କେତେ ରକମ ଖେଳ ଖେଳିଲା ।

କଳି କଜିଆ, ଚଗଲାମି ପାଇଁ ମାଡ଼ ଖାଇଲା ।

ସ୍କୁଲକୁ ଏଥର ଶ୍ରୀକାନ୍ତ ଯାଉଚି । ଭାରି ଦୁଷ୍ଟ ହେଉଚି । ଭଲ ପଢ଼ୁଥିଲା ବୋଲି ମାଷ୍ଟ୍ରେ…..ସାର୍ ସବୁ ବାପାଙ୍କୁ କହୁଥିଲେ । ଭାରି ଗେହ୍ଲା କରୁଥିଲେ ବାପା, ବୋଉ ଓ ଘରର ଅନ୍ୟ ସମସ୍ତେ ।

ବାପା, ଦାଦା ସମସ୍ତେ ରୋଜଗାର କରି ଗୋଟିଏ ଜାଗାରେ ପଇସା ମିଶେଇ ଘର ଚଳାଉଥିଲେ । ପରିବାର ସଂଖ୍ୟା ତେର ଜଣ । ଦାଦାଙ୍କର ତିନିଜଣ ପୁଅ ଝିଅଙ୍କୁ ମିଶେଇ ସେମାନେ ଭାଇ ଭଉଣୀ ନଅ ଜଣ ।

ଭାରି ଗେହ୍ଲାରେ ଶ୍ରୀକାନ୍ତ ବି.ଏ. ପାସ୍ କଲା ପର୍ଯ୍ୟନ୍ତ ବଢ଼ି ଆସିଚି ।

ସେଇ ସଜଳ ସ୍ମୃତି ସବୁ ଚଢ଼େଇପରି ତା’ ଆଗରେ ଉଡ଼ି ଉଡ଼ି ଚାଲିଗଲେ । ସେଥିରୁ ଗୋଟିଏ ବି ଚେଷ୍ଟା କରି ଅଟକେଇ ପାରିଲା ନାହିଁ ଶ୍ରୀକାନ୍ତ ।

ବର୍ତ୍ତମାନ କି କଷ୍ଟ ।

ସୁଖ ଶାନ୍ତିର ପରିବାର କ୍ରମଶଃ ଫାଟି ଆଁ ହୋଇଗଲା । ଏ ପାଖରେ ଇଏ, ସେ ପାଖରେ ସିଏ । ମୁଣ୍ଡ ବିକୃତ ହୋଇଗଲା ତା’ର । ବାପା ତା’ର କମ୍‍ ରୋଜଗାରୀ । ଏଡ଼େ ବଡ଼ ପରିବାର । ଏଇ କେଇଶ ଟଙ୍କା ଉପରେ ନିର୍ଭର କରି ଚଳିବ କେମିତି ? ଭାଇ ଭଉଣୀ ସବୁ ପାଠ ପଢ଼ିବେ କେମିତି ?? ସବୁ ଖାଲି ତା’ ଚାରି ପାଖରେ କହି ବୁଲିଲେ କେମିତି….କେମିତି…..କେମିତି....

ତକିଆ ଉପରେ ମୁଣ୍ଡ ଦୁଲ୍ ଦୁଲ୍ କରି ପିଟି ଦେଲା ସେ ।

କେଉଁ କାନ୍ଥର ବା କାନ ଅଛି ଶୁଣିବ ତା’ ପ୍ରାଣର କଷ୍ଟକୁ । କାହାକୁ ବା ବୁନିଆଦୀ ଘରର କାହାଣୀ ଫିଟେଇ ଶୁଣେଇ ଦେଇ ହେବ । ବାପ ଅଜାର ଯେଉଁଠି ନାଁ ବୁଲୁଥିଲା ଚାରିଆଡ଼େ, ତାଙ୍କରି ସେଇ ଅଭାବୀ ଘରର କଥା ବାହାରେ କେମିତି ସେ ଜଣେଇବ !

ଅମ୍ଳାନ ମୁହଁଟି ଶୁଖି ଆସିଲା–ସୂର୍ଯ୍ୟ ଅସ୍ତ ହେଲେ ପଦ୍ମ ଫୁଲଟି ପୁଣି ଯେମିତି କଢ଼ ହୋଇଯାଇଚି ।

ସେ ଅତୀତର ସବୁ କଥାକୁ ମନେପକେଇ ଯାଉଚି । କାହାର ମୁହଁ ଅଛପା ରହୁନି ତା’ ଆଖିରେ ।

କି ଆନନ୍ଦର ଜୀବନ ଭିତରେ ହଠାତ୍ ପୂର୍ଣ୍ଣଚ୍ଛେଦ ପଡ଼ିଗଲା ସତରେ ! ତା’ର ସବୁ ଆଶା ପଥର ପାଲଟି ବୁଡ଼ିଗଲା ନଈର ବିଫଳ ଢେଉରେ ।

ସେ ଭାବିଲା.....

ଭାବୁଥିଲା……

ଏମିତି ଭାବି ଚାଲିଲା…..

ମନ ଫୁଲାଣିଆ ଫୂର୍ତ୍ତିର ଦିନଗୁଡ଼ାକ କେତେ ଶୀଘ୍ର ଚାଲିଯାଉଚି ।

ବୟସ କମି ଆସୁଚି । ମୁଣ୍ଡ ଭିତର ଓଜନିଆ ହୋଇଆସୁଚି । ଅନେକ ଅନୁଭୂତି ବି ଜମି ଯାଉଚି ମନରେ । ଏଇ କଞ୍ଚା ପାଚିଲା ଅନୁଭୂତିକୁ ନେଇ ଜୀବନ । ସେଇ ଅନୁଭୂତିର ଜଟିଳ ଇତିହାସ ସୁଖ ଦୁଃଖର ପ୍ରଲେପ ।

ଦୁଃଖର ଅନୁଭୂତି ଭାରି ନିବିଡ଼ । ସନ୍ତସନ୍ତିଆ ଜାଗାରେ ଗୋଡ଼ ଗଳିଗଲା ପରେ ଗହୀରେଇକି ମନ ପଶି ଯାଇଥାଏ ସେଇ ସେଇ ଅନୁଭୂତିଗୁଡ଼ାକ ଭିତରେ ।

କି ଟାଣ ଦେହ ତା’ର !

ଦୁଃଖ ଯାହା ହାତ ଧରିବ ସେ ଇଚ୍ଛା କରିବ ପଥର ପାଲଟି ଯିବାକୁ । ପଥର–ମୂକ–ଜଡ଼–

ଶ୍ରୀକାନ୍ତ ପଥର ପାଲଟିଚି । ତା’ ଦେହରେ ଖୋଦିତ ହୋଇଯାଇଚି କେତେ କାହାଣୀ……. ବିବରଣୀ.........

ସେ ଗୋଟିଏ ଅନେକ ଯୁଗର ଶିଳାଲେଖ ।

ପର କରିଦେଇ ଆସିଥିବା ସମୟର ସମସ୍ତ ଛୋଟ ବଡ଼ ଘଟଣାର ସ୍ଵାକ୍ଷର ଏଇ ଶିଳାଲେଖ ।

ଶ୍ରୀକାନ୍ତ ନିଜ ଦେହରେ ହାତ ବୁଲାଇଲା । ସେ ସତକୁ ସତ ପଥରଟିଏ । କିନ୍ତୁ ଆଶ୍ଚର୍ଯ୍ୟ ହୋଇଗଲା ନିଜେ । ପଥର ପୁଣି କାନ୍ଦୁଚି କାହିଁକି ? ସେ କ’ଣ ସହିପାରିନି ଆଉରି ଉପରୁ ଖସି ଆସୁଥିବା ଖଣ୍ଡେ ବଡ଼ ପଥରର ଧକ୍‌କା ।

କ୍ଷଣ କ୍ଷଣକରେ ଚୂନା ହୋଇଯାଉଚି ଏଡ଼େ ବଡ଼ ପଥରର ଗଦା ।

ନିଜକୁ ପ୍ରବୋଧିବାକୁ କିଏ ବା ଆସିବ ? ଆଖିରୁ ଲୁହ ପୋଛିବାକୁ କିଏ ଆସିବ ??

ଚିଠି ବା ଦେବ କେଉଁଠିକି ? କେଉଁ ଠିକଣାରେ ??

ସବୁ ଠିକଣା ଆଜି ତା’ପାଖରୁ ହଜିଯାଇଚି । ସମୟ ଛଡ଼େଇ ନେଇଚି, ଭୁଲେଇ ଦେଇଚି ସମସ୍ତଙ୍କୁ । ତା’ପାଖରେ ସମସ୍ତେ ଅଚିହ୍ନା…..

ସବୁ ଛଳନାମୟ....Hypocracy…Mystic (ମିଷ୍ଟିକ୍)

ମୁଁ ମୋର ନୁହେଁ, ସେ ତା’ର ନୁହେଁ, କେହ କାହାର ନୁହେଁ । ଏକ ବନ୍ଧନର ସୂତ୍ରପାତ । ସମସ୍ତେ ଏକ ଏକ ସରଳ ରେଖା ।

ତା’ ଭିତରେ ବକ୍ର ରେଖାର ଛାଇ ଅନେକ । ଭିତରଟା କେବଳ ଗୋଲକ ଧନ୍ଦାରେ ଭର୍ତ୍ତି-

ଶ୍ରୀକାନ୍ତ ପଶିଗଲା ଗୋଲକ ଧନ୍ଦାର ଶିକୁଳି ଛିଡ଼ାଇବା ପାଇଁ । ଯେଉଁ ଶିକୁଳିକୁ ଆଜିପର୍ଯ୍ୟନ୍ତ କେହି ଦେଖିପାରିନି, ସେ ପୁଣି ବୃଥା ଚେଷ୍ଟା କରୁଚି ତା’ପାଖରେ ପହଞ୍ଚିବା ପାଇଁ । ତଥାପି ଗୋଟିକ ପରେ ଗୋଟିଏ କବାଟ ଭାଙ୍ଗିବାକୁ ଲାଗିଲା ।

ବାପା ତା’ର ସ୍କୁଲ ଶିକ୍ଷକ ।

ସକାଳୁ କେହି ନ ଉଠିବା ପୂର୍ବରୁ ହଳିଆ ଆସି ପହଞ୍ଚିଥିବ ଦୁଆର ମୁହଁରେ । ହଳ ଯୋଚା ହେବ ।

ଦାନ୍ତ ନ ଘଷୁଣୁ ବାପା ବିଛଣା ଛାଡ଼ି ଚାଲିଯାଇଥିବେ ବିଲକୁ ।

ହଳିଆ ଚଷିବ ବିଲ । ବାପା ବିଲ ତଦାରଖ କରୁଥିବେ ହଳିଆ ପଛରେ ।

ବାଜିବ ଦିନ ଦଶଟା । ଧଇଁ ସଇଁ ହୋଇ ଫେରିବେ ବିଲରୁ ବାପା । ଘରଠାରୁ କୋଡ଼ିଏ ହାତ ଦୂରରୁ ପିଲାଙ୍କୁ ଡାକ ଛାଡ଼ିଥିବେ ତେଲ ପାଇଁ । ଦେହ ମୁଣ୍ଡରେ ଟିକେ ତେଲ ମାରି, ଦାନ୍ତରେ ଦି’ଥର ଦାନ୍ତକାଠି ଘଷି ଢାଳି ହୋଇ ପଡ଼ିବେ ଦି’ବାଲ୍‌ତି ପାଣି । ସେତିକି ତାଙ୍କର ଗାଧୁଆ ।

ଘର ଭିତରକୁ ପଶିବା ପୂର୍ବରୁ ଭାତ ବାଢ଼ି ରଖା ହେବାର ବରାଦ କରୁଥିବେ । ଅଳ୍ପ ଚନ୍ଦା ମୁଣ୍ଡରେ ପାନିଆ ଘଷି ଆଣି ବସିଯିବେ ପଖାଳ କଂସା ପାଖରେ ।

 

ଆଉ ବିଶ୍ରାମ ନାହିଁ । ଖାଇବା ପରେ ଚାରି ପାଞ୍ଚଟା ପାନ ଧରି ବାହାରି ଯିବେ ଆର ଗାଁର ସ୍କୁଲକୁ ।

 

ସେ ହାଇସ୍କୁଲର ଜଣେ ହିନ୍ଦୀ ଶିକ୍ଷକ ମାତ୍ର ।

 

ଫେରନ୍ତି ଚାରିଟାରେ । ଜଳଖିଆ ତ କେବେ ଖିଆ ହୁଏନା । ଲୁଗା ପାଲଟି ଲୁଙ୍ଗି ପିନ୍ଧି ପୁଣି ଯାଆନ୍ତି ବିଲକୁ, ନହେଲେ ମୂଲିଆ‌ ଠିକ୍ କରିବାକୁ ।

 

ସଞ୍ଜବେଳକୁ ସେଇ ଘର ବିଷୟରେ ଚର୍ଚ୍ଚା ।

 

ତେଲ ଲୁଣ ଯେଉଁଠୁ ବାକି ଆସୁଚି–ତା’ର ତିନିଶ’ ଟଙ୍କା ହେଲାଣି । ସେ ଏଇ ମାସ ଶେଷ ସୁଦ୍ଧା ଟଙ୍କା ନେବ । ଲୁଗା ଦୋକାନରେ ବାକି ବଢ଼ିଗଲାଣି । ଆଗକୁ ଅଷ୍ଟମୀ ଆସୁଚି–ତା’କୁ ନ ଦେଲେ ଅଚଳ ।

 

ବିଲରୁ ପ୍ରତିଦିନ ମୂଲିଆ ଫେରିବେ ସଞ୍ଜରେ । ବାପା ସେଇ ପିଣ୍ଡା ଉପରେ ବସି ତାଙ୍କର ମଜୁରୀ ଚୁକ୍ତି କରିବେ । କାଲିକି ଆସିବେ କି ନାଇଁ ବରାଦ କରିବେ ।

 

ଏଇ ତାଙ୍କର ପ୍ରତିଦିନର କାମ । ସେ ଜଣେ ସାଧାରଣ ମଣିଷ । ତାଙ୍କର ଦେଶପାଇଁ ଚିନ୍ତା ନାହିଁ, ନାଁ ସାହିତ୍ୟ ପାଇଁ ନାହିଁ ।

 

ସେ କାମ କରୁଛନ୍ତି ନିଜ ପରିବାରର ଲୋକଙ୍କୁ ପୋଷିବା ପାଇଁ । ବାପା ଜଣେ ପାରିବାରିକ, ସାଂସାରିକ ଜୀବ । ସେଇ ମୁଣ୍ଡରେ ଯେତିକି ଭାବିଲେ ସେତିକି କାମ କଲେ ।

 

ଘର ସୁଖରେ ଚଳିଲେ ସେ ସୁଖୀ ହୁଅନ୍ତି ।

 

ବାପ ଭାରି ନିଷ୍କପଟିଆ ଲୋକ । ମୁହେଁ ମୁହେଁ କଥା ଶୁଣେଇ ଦେବେ । ପେଟ ଭିତରେ ପଦୁଟିଏ ରଖିପାରିବେନି ।

 

ଗାଁ ନିଶାପକୁ ବାପା ଯାଆନ୍ତି । ସବୁ ନିଶାପରେ ଗାଁ ଲୋକମାନେ ବାପାଙ୍କୁ ଡାକନ୍ତି । ବାପାଙ୍କର ପକ୍ଷପାତିତା ନାହିଁ ।

 

ଗାଁରେ ପୋଖରୀ ସଫା ହେବ, ହରି ପଟ୍ଟନାୟକଙ୍କୁ ଡାକ–ଗାଁରେ ଲାଇବ୍ରେରୀ ଘର ଛାଉଣୀ ହେବ–ହରି ପଟ୍ଟନାୟକଙ୍କୁ ଡାକ । ଏମିତିକି ଟିକି ନିଖି ସବୁ କଥାରେ ହିଁ ବାପାଙ୍କୁ ଖୋଜା ପଡ଼େ ।

 

ବାପା ସବୁ କାମରେ ଆଗଭର । କି’ଏ କ’ଣ କହୁଚି ନକହୁଚି ସେଥିକି ତାଙ୍କର ନିଘା ନାହିଁ ।

 

ସେ ଗାଆଁକୁ ଭାରି ଭଲପାଆନ୍ତି । କେଉଁଠି କଣ୍ଟାବାଡ଼ ବଢ଼ି ଆସି ରାସ୍ତାକୁ ଲୋଟି ପଡ଼ିଛିତ ସାଙ୍ଗେ ସାଙ୍ଗେ ଟୋକା ଦୁଇ ଚାରିଟା ଧରି ହାଣି ସଫାକର, ରାସ୍ତା ଖାଲୁଆ ହୋଇ ପାଣି ଜମି କାଦୁଅ ହେଉଛି ତ ମାଟି ପକାଇ ଉଚ୍ଚାକର ଇତ୍ୟାଦି ସବୁ କାମର ମୂଳରେ ସେ ।

 

ତାଙ୍କର ପ୍ରେରଣା ଗାଁର ଟୋକାଟାକରାଙ୍କୁ ବେଶ ଉତ୍ସାହ ଦିଏ କାମ କରିବାକୁ । ବାପା ଯେମିତି ଗାଁ ଲୋକଙ୍କ ଆଖିରେ ମଣିଷ ନୁହଁନ୍ତି–ଜୀଅନ୍ତା ଦେବତାଟିଏ ।

 

କିଏ ବା ଜାଣିଥିଲା ଏମିତି ଦୁଃସମୟ ଆସି ବାପାଙ୍କ ତଣ୍ଟିକୁ ଚାପି ଧରିବ । ଏତେ କନ୍ଦେଇବ ।

 

ସ୍ନେହ ପ୍ରବଣ ବାପା ମୁଣ୍ଡରେ ହାତ ଦେଇ ବସିଥାନ୍ତି ଦାଣ୍ଡ ପିଣ୍ଡାରେ । ଆଗ ପରି ମୁହଁରେ ହସ ନାହିଁ । ମୁହଁ ଶୁଖି ଟିକିଏ ହୋଇଯାଇଚି ।

 

ଏଡ଼େ ବଡ଼ ମୁଣ୍ଡ ତଳକୁ ହୋଇଯାଇଚି ।

 

ଗାଁ ପିଲାଏ ଶୁଖିଲା ମୁହଁ ଦେଖି ଆଉ ଆସି ପଚାରିପାରୁନାହାନ୍ତି କି କାମ କରିବେ ନ କରିବେ । ପିଲାଏ ବିରସ ମନରେ ଏଣେତେଣେ ବୁଲୁଚନ୍ତି ।

 

ବସନ୍ତ ଋତୁ ଆସିଲା ସମସ୍ତଙ୍କର ଅଜଣାରେ । ପୁଣି ଚାଲିଗଲା ଅଜଣାରେ । କେହି ଜାଣିପାରିଲେନି ଗଲା କୁଆଡ଼େ ।

 

ଗଛରୁ ପତ୍ର ଶୁଖି ଆସିଲା । ହଳଦିଆ ପତ୍ର ସବୁ ଝଡ଼ି ଗଛ ଥୁଣ୍ଟା ହୋଇଗଲା । ଉଛୁଳା ନଈ ସରୁଆ ଧାରଟିଏ ହୋଇଗଲା । ଗଦା ଗଦା ବାଲି ଯେମିତି ପଡ଼ି ରହିଛନ୍ତି କାହାର ଅପେକ୍ଷାରେ…

 

ବାଡ଼ି ବଗିଚାରେ ଫୁଲ ଆଉ ହସୁ ନାହାନ୍ତି, ଆଗ ପରି ପିଲାଏ ତୋଳି ଆଣି ଆଗପରି ପିଣ୍ଡାରେ ବସି ଖେଳୁ ନାହାନ୍ତି ।

 

ବାପା ମୂକ ପାଲଟି ଯାଇଚନ୍ତି । ଖୁବ୍ କମ୍ କଥା କହୁଛନ୍ତି ଏଥର । ମପାଚୁପା କଥା । ସେ କଥାରେ ସ୍ନେହ ନାହିଁ, ଭାବପ୍ରବଣତା ନାହିଁ, କେବଳ ରହିଛି ପୁଞ୍ଜିଭୂତ ବେଦନାର ଦୀର୍ଘଶ୍ଵାସ, ଆଉ ଗଡ଼ିଯାଇଥିବା ବୟସ ଗୁଡ଼ାକର ସଜଳ କାହାଣୀ ।

 

ସବୁ ଗଲା କଥା ଆଜିପରି ଲାଗୁଚି ।

 

ବୋଉ କହୁଥିଲେ, ବାପା ଖୁବ୍ କମ୍ ବୟସରେ ବାହା ହୋଇଥିଲେ । ତେଇଶ ବର୍ଷରେ ଜନ୍ମ ହୋଇଥିଲା ବଡ଼ ଭଉଣୀ ନିଲୁ । ଅଣଚାଳିଶ ବର୍ଷ ହେଲା ବେଳକୁ ସେ ହୋଇଯାଇଥିଲେ ଭାଇ ଭଉଣୀ ଛଅ ଜଣ ।

 

ଏଇ ମାଷ୍ଟର ଚାକିରି ଦରମାରେ ସମସ୍ତେ ପାଠ ପଢ଼ୁଥିଲେ, ଘର ବି ଚଳୁଥିଲା । ଚାଷରୁ ଯାହା ମିଳୁଥିଲା ବାପା ସଞ୍ଚୟ କରି ରଖୁଥିଲେ ତାଙ୍କ ଆଲମାରି ଭିତରେ ଥିବା ଛୋଟିଆ ଟିଣ ବାକ୍‌ସରେ ।

 

ଦାଦା ପଢ଼ୁଥିଲେ କଲେଜରେ ସେତେବେଳେ । ପ୍ରତି ମାସକୁ ମାସ ଟଙ୍କା ପଠେଇ ଦିଅନ୍ତି ବାପା ।

 

ମା’ କହୁଥିଲେ–ଦାଦା ଜମା ଭଲ ପଢ଼ନ୍ତି ନାହିଁ । ମେଟ୍ରିକ୍ ପାସ୍‍ ପର୍ଯ୍ୟନ୍ତ କେତେ ଯେ ଟଙ୍କା ଖର୍ଚ୍ଚ, ଆଉ କାହା ପାଠ ପଢ଼ାରେ ଏତେ ଖର୍ଚ୍ଚ ହୋଇନାହିଁ । ମେଟ୍ରିକ୍ ପାସ୍‍ ପରେ ଦାଦା କଲେଜରେ ପଢ଼ିଲେ । ସେଥିରେ ବି ସେ ଠିକ୍ ମୁତାବକ ପାଠ ପଢ଼ିପାରିଲେନି । ଚାରି ଚାରି ଥର ପରୀକ୍ଷା ଦେଇ ବି ସେ ହାରିଗଲେ । ଶେଷରେ ବେଡ଼ିଂ ଧରି ଫେରିଆସିଲେ ଘରକୁ ।

 

ତାଙ୍କର ପାଠ ହେଲା ନାହିଁ । ଶେଷରେ ସ୍ଥିରହେଲା ଘରର ଚାଷବାସ ବୁଝିବେ ଦାଦା ।

 

ବୁଲା ଫାଙ୍କିଆ ଲୋକକୁ ମଣିଷ କରିବାର ଉଦ୍ୟମ ବାପାଙ୍କର ପଣ୍ଡ ହେଲା । ଟଙ୍କା ଖର୍ଚ୍ଚ କରି କରି ସେ ନୟାନ୍ତ ହୋଇପଡ଼ିଲେ । ତଥାପି ତାଙ୍କର ଆଶା ଥିଲା ଦାଦା ପୁଣି ପାଠ ପଢ଼ିବାକୁ ଯିବେ । ପରୀକ୍ଷାରେ ଭଲ କରିବେ ।

 

କିଏ ବୁଝିବ ତାଙ୍କ ସ୍ନେହ ପ୍ରବଣ ମନର ବେଦନା ।

 

ଛୋଟିଆ ଚାକିରିଟିଏ କରିଥିଲେବି ତାଙ୍କର ଆଶା ଥିଲା ବିରାଟ । ମନ ଥିଲା ମହତ୍ । ହେଲେ‚ ଶେଷରେ ସେ ସମୟ ନିକଟରେ ହାରିଗଲେ ।

 

ଦାଦା ଜମି‚ ଘର ଖବର‚ ଗାଈ ଗୋରୁ କଥା ବୁଝିଲେ ।

 

ପିଲାଙ୍କୁ ଭାରି ଶ୍ରଦ୍ଧା କରୁଥିଲେ ଦାଦା । ଏମିତିକି ନିର୍ଧୂମ ଖରାରେ ବିଲରୁ ଫେରିବା ପରେ‚ ପଖାଳ କଂସା ପାଖରେ ବସୁ ବସୁ ସେ ପିଲାଙ୍କୁ ଡାକ ଛାଡ଼ୁଥିଲେ ସାଙ୍ଗରେ ଖାଇବା ଲାଗି । ସେ ପିଲାଙ୍କ ସାଙ୍ଗରେ ପିଲାଟିଏ ହୋଇ ଖାଇବାକୁ ଭାରି ଭଲପାଆନ୍ତି ।

 

ବିଲରୁ ଫେରିଲାବେଳେ କେଉଁ କଣ୍ଟା ପଡ଼ିଆରୁ ଖିରିକୋଳି‚ ବଇଁଚ କୋଳି ଗାମୁଛା କାନିରେ ବାନ୍ଧି ଆଣିଥାନ୍ତି ପିଲାଙ୍କ ପାଇଁ । ଏମିତିକି ଖରା ଦିନରେ ଜାମୁକୋଳି ଆଣିବା ବି ବାଦ୍ ପଡ଼େନି ।

 

କେତେ ଭଲଲୋକ ଦାଦା । ଶୋଇଲାବେଳେ ରାତିରେ ଗେହ୍ଲେଇ କହନ୍ତି କେଉଁ ଯୁଗର ଅସୁର ଅସୁରୁଣୀ ଗପ । ସବୁ ମୁହଁରୁ ଖଞ୍ଜି‚ ମିଛ ଯୋଡ଼ି‚ ସତପରି କହି ଯାଆନ୍ତି । ପିଲାଏ ବକ ବକ କରି ଅନେଇ ଥାଆନ୍ତି ଦାଦାଙ୍କ ପାଟିକୁ‚ ଆଉ ହୁଁ ମାରୁଥାନ୍ତି ।

 

ଦାଦାଙ୍କର ବାହାଘର ହୋଇଗଲା । ବଡ଼ ଘରର ଝିଅ‚ ବୋହୂ ହୋଇ ଆସିଲା ଘରକୁ । ପିଲାଏ ଖୁସି ହେଲେ‚ ବାପା ବୋଉ ସମସ୍ତେ ଖୁସିହେଲେ । ଘରେ ଆନନ୍ଦର ଲହରୀ ଛୁଟିଲା ।

 

ଖୁଡ଼ୀ‚ ବୁନିଆଦୀ ବଂଶର ଝିଅ ।

 

ଯାନିଯୌତୁକ ଅନେକ । ଘଣ୍ଟା‚ ସାଇକେଲ‚ ଦାମିକା ରେଡ଼ିଓ‚ ସୁନା‚ ଘରର ଆସବାବ ଇତ୍ୟାଦି ଅନେକ ଜିନିଷ ।

 

ଖୁଡ଼ୀଙ୍କ ଘରୁ ଆସିଥିବା ଡ୍ରେସିଂ ଟେବୁଲ ବାପାଙ୍କ ଶୋଇବାଘରେ ରଖା ଯାଇଥିଲା । ରେଡ଼ିଓ ବି ରଖା ଯାଇଥିଲା ସେଇ ଟେବୁଲ ଉପରେ । ସବୁ ଆସବାବପତ୍ର ପରିବାରର ସମସ୍ତେ ବ୍ୟବହାର କରୁଥିଲେ ।

 

ଖୁଡ଼ୀ ପିଲମାନଙ୍କୁ ଭାରି ଭଲପାଉଥିଲେ । ଛନ୍ଦ କପଟ ନ ଥିଲା ତାଙ୍କ କଥାରେ‚ ଆଖିର ଚାହାଣିରେ ।

 

ସମସ୍ତଙ୍କ ପ୍ରତି ସମସ୍ତଙ୍କର ଥିଲା ଅନାବିଳ ସ୍ନେହ । ଘରେ ପାଦ ଦେବାପରେ ଖୁଡ଼ୀ ସବୁ ପିଲାଙ୍କର ନିଜର ହୋଇ ବସିଲେ । ଯେମିତି ଅନେକ ଦିନର ଚିହ୍ନାପରିଚ ଲୋକଟିଏ ସେ ।

 

ବୋଉ ଏଣିକି ଟିକିଏ ଅଳସୁଆ ହୋଇ ପଡ଼ିଲା । ଯିଏ ସକାଳୁ କେହି ନ ଉଠିବା ପୂର୍ବରୁ ବାସିପାଇଟି ସାରି ପିଲାଙ୍କ ପାଇଁ ଜଳଖିଆ ତିଆରି କରୁଥିଲା‚ ସେ ପୁଣି ଉଠୁଚି ସମସ୍ତେ ଉଠି ସାରିବା ପରେ ।

 

ତା’ ମୁଣ୍ଡରୁ ସକାଳ କାମର ବୋଝ ଉତୁରି ଯାଇଛି । ଭାରି ଅଳସେଇ ହୋଇ ପଡ଼ିଲାଣି । ସାନ ପୁଅଟା କାନ୍ଦି କାନ୍ଦି ତଣ୍ଟି ଛିଡ଼ିଗଲେ ବି ଉଠୁନି ।

 

ଖୁଡ଼ୀ ସକାଳର ସବୁକାମ କରନ୍ତି । ବାସନ ମଜାଠାରୁ ଚା’ ତିଆରି ପର୍ଯ୍ୟନ୍ତ ଦାୟିତ୍ଵ ତାଙ୍କ ମୁଣ୍ଡରେ । ଘରର ସବୁ ଭିତର କାମ ଖୁଡ଼ୀର ।

 

ବୋଉ ସବୁ ବାହାର କାମ କରେ । ଜାଳ କୁଟା ଆଣିବାଠୁ ଘସି ଗୁଣ୍ଡା ପାରିବା ପର୍ଯ୍ୟନ୍ତ ସେ କରେ । ଯେବେ ଧାନ ଉଁଷା ହୁଏ‚ ସେ ରାତି ତିନିଘଡ଼ି ସରିକି ଉଠେ‚ କାମ କରେ । ନହେଲେ ନାହିଁ ।

 

ଜହ୍ନି‚ କାକୁଡ଼ି‚ ଖଡ଼ାସାଗ‚ ସାରୁ ପ୍ରଭୃତି ବାରିରେ ଲଗେଇବା ବୋଉ କାମ । ସରୁ ବାହାର କାମ ସେ ଚାକିରିଆକୁ ବରାଦ କରେ ଓ ନିଜେ ସେଥିରେ ସାହାଯ୍ୟ କରେ ।

 

ଏମିତ ଖୁସିରେ ଚଳି ଯାଉଥିଲା ସଂସାରଟି ।

 

କିନ୍ତୁ ସୁଖର ଦିନ ଚାଲିଯାଏ ଘୋଡ଼ାରେ । ଦୁଃଖ ଆସେ ହାତୀରେ ଚଢ଼ି ।

 

ଆସ୍ତେ ଆସ୍ତେ ଦାଦାଙ୍କ ସଂସାର ବଢ଼ିଲା । ତିନୋଟି ପୁଅଝିଅ ତାଙ୍କର । ଖୁଡ଼ୀଙ୍କର ସ୍ନେହମମତା କମି ଆସିଲା ପୁତୁରା ଝିଆରୀଙ୍କ ଉପରୁ । ନାରୀ ମନ ହୋଇଗଲା ବଡ଼ ଜଟିଳ । ତାଙ୍କର ସେହି ସ୍ନେହ ପ୍ରବଣ ଆଖିରେ ଭରିଗଲା ଘୃଣାର ବିଷ । ଯେଉଁ ପିଲାଙ୍କ ଦେହରେ ଧୂଳି ଲାଗିଲେ ସେ ଦଶଥର ଝାଡ଼ି ପକାଉଥିଲେ‚ ତାଙ୍କ ଦେହରେ ଜମିଗଲା ବହଳ ଧୂଳିର ଚିହ୍ନ ।

 

ସେ ରୁକ୍ଷ ହେଲେ‚ କର୍କଶ ହେଲେ । ମାତୃ ହୃଦୟରୁ ଶୁଖିଗଲା ସ୍ନେହର ତଟିନୀ ।

 

ନିଜର ଜନ୍ମକଲା ପିଲାଙ୍କ ପାଇଁ ସେ ମାଆ । କିନ୍ତୁ ଅନ୍ୟ ପିଲାଙ୍କ ପାଇଁ ନୁହେଁ । ବଡ଼ ଜଟିଳ ହୋଇ ଆସିଲା କ୍ରମଶଃ ପରିବାରଟି । ଈର୍ଷା‚ ଦ୍ଵେଷର ବିଷାକ୍ତ ପବନ ନିଜର କାୟା ବିସ୍ତାର କଲା ସେହି ପରିବାର ଭିତରେ ।

 

ସ୍ନେହର ଡୋର ଛିଡ଼ିଗଲା ।

 

ଖୁଡ଼ୀଙ୍କ ମୁହଁର ରୂପ ବଦଳି ଯାଇଛି । ଆଖିରେ ହିଂସ୍ରତା । ହୃଦୟ କଠୋର । ସବୁବେଳେ ପାଟିରେ–‘ମୋ ପିଲା‚ ତାଙ୍କ ପିଲା....ଏମାନଙ୍କ ଭିତରେ ବିରାଟ ବ୍ୟବଧାନ ।

 

ଏ ବ୍ୟବଧାନର ପାଚେରୀ ଦିନେ ସୁଦୃଢ଼ ହୋଇଗଲା ।

 

ଦାଦା ଥିଲେ ନୀରବ । ଭାତୃସ୍ନେହ ବିରୁଦ୍ଧରେ ସେ ପ୍ରତିବାଦ ଜଣେଇବାକୁ କୁଣ୍ଠାବୋଧ କରୁଥିଲେ । ପୁନଶ୍ଚ ଖୁଡ଼ୀଙ୍କର ଅତ୍ୟାଚାରକୁ ସେ ପ୍ରତିରୋଧ କରିପାରୁନଥିଲେ ।

 

ଏକ ଦ୍ଵନ୍ଦ୍ୱ ଭିତରେ ତାଙ୍କର ସ୍ଥିତି ।

 

ଖୁଡ଼ୀଥିଲେ ନିଜ ବିଚାରରେ ଦୃଢ଼, ଏବଂ ସେ ଭାବୁଥିଲେ ତାଙ୍କର ବିଚାର ହିଁ ସର୍ବଶେଷ ରାୟ ଏ ଘର ପାଇଁ ।

 

ପିଲାଙ୍କ ପ୍ରତି ଏ ଦୁର୍ବ୍ୟବହାର ବୋଉବା କେତେ ସହି ପାରିବ ? ବୋଉ ଦୃଷ୍ଟିରେ ସବୁ ପିଲା ଥିଲେ ସମାନ । ଅନ୍ତର ପାନ୍ତରର ହୀନ ଚକ୍ରାନ୍ତ ନ ଥିଲା ବୋଉ ମନରେ । ଏକ ସ୍ଵଚ୍ଛ ପବିତ୍ର ମନ ଭିତରେ ସବୁ ପିଲାଙ୍କୁ ସେ ଦେଇଥିଲା ସମାନ ଅଧିକାର ।

 

ଖୁଡ଼ୀଙ୍କର ଏପରି ହୀନ କୌଶଳ ବୋଉ ଜାଣିଲା ଖୁବ୍ ଡେରିରେ । ସେ କେବେ ବିଶ୍ଵାସ କରିପାରିନଥିଲା‚ ଏପରି ପରିସ୍ଥିତିର ସମ୍ମୁଖୀନ ହେବ ଏ ଘର ।

 

ଦିନେ ତା’ର ଏ ବିଶ୍ଵାସ ସୁଦୃଢ଼ ହେଲା । ନିଜ ଆଖି ଆଗରେ ସେ ଖୁଡ଼ୀର ଭର୍ତ୍ସନାକୁ ସହିପାରିଲାନି । ତଥାପି ସେ ଖୁଡ଼ୀକୁ କିଛି କହିପାରିଲାନି ।

 

ସରଳିଆ ମନ ତା’ର କ୍ରୁଦ୍ଧ ହୋଇଉଠିଥିଲା ସେ ଦିନ ।

 

ଦାଦାଙ୍କର ଏଥିପ୍ରତି ପ୍ରତିବାଦର ସୂଚନା ମିଳିଲାନି । ଖୁଡ଼ୀଙ୍କର ଏକଛତ୍ରବାଦ ଶାସନ ଭିତରେ ଦାଦା ରହିଗଲେ ବନ୍ଦୀଟିଏ ପରି । ସମସ୍ତ ସ୍ଵାଧୀନତାକୁ ସେ ହରେଇ ବସିଲେ ।

 

ବାପାଥିଲେ ସ୍ପଷ୍ଟବାଦୀ ।

 

ଏହି ଅର୍ନ୍ତବିବାଦର ମୂଳ ଘଟଣା ତାଙ୍କୁ ଅମାଲୁମ ନ ଥିଲା ।

 

କୌଣସି ଏକ ଛୁଟି ଦିନରେ ଘରେ ଉପସ୍ଥିତ ଥିବା ସମୟରେ ସେ ଖୁଡ଼ୀଙ୍କର ଗାଳି ଶୁଣିପାରିଥିଲେ । ଏପରିକ ଖୁଡ଼ୀ ନିର୍ଭୀକ ଭାବରେ କହିଥିଲେ ଯେ ଦାଦାଙ୍କର ଉପାର୍ଜ୍ଜିତ ଟଙ୍କାରେ ହିଁ ସମସ୍ତ ପରିବାର ଚଳୁଚି । ‘‘ତାଙ୍କର ଏତେବଡ଼ ପରିବାରଟିକୁ ଚଳାଇବା ଆମର ଦରକାର କ’ଣ ? ସେମାନେ ଆମ ପାଇଁ କ’ଣ କରୁଛନ୍ତି ??”

 

ପୁଣି ଦାଦାଙ୍କୁ କହିଲେ ‘‘ପେଟରେ ଦାନା ନ ପୂରାଇ କାହିଁକ ତୁଛାଟାରେ ସକାଳୁ ସଞ୍ଜଯାଏ ବିଲରେ ଖଟୁଚ ? କ’ଣ ତାଙ୍କରି ପିଲା ଛୁଆଙ୍କୁ ପୋଷିବା ପାଇଁ–ନାଁ ? ସେମାନଙ୍କ ସହିତ ଆଉ ରହି ହେବ ନାହିଁ । ତାଙ୍କର ପୁଅ ଝିଅ ବଡ଼ ହୋଇଗଲେଣି । ଚାକିରି ବାକିରି କଲେ ସେମାନେ କ’ଣ ମୋ ପିଲାଙ୍କୁ ପୋଷିବେ ନାଁ ମଣିଷ କରିବେ ?? ଆଜହୁଁ ସବୁ ଠିକ୍ ହୋଇଯିବା ଦରକାର ।”

 

ଦାଦା ବି ଏ ଚକ୍ରାନ୍ତ ଭିତରେ ପଶିଯାଇଥିଲେ । ନାରୀମନର ମାୟାଜାଲ ଭିତରେ ସେ ଛନ୍ଦି ହୋଇ ଯାଇଥିଲେ । ସେ ନିଜର‌ ବିବେଚନା ଶକ୍ତିକୁ ହରାଇ ବସିଥିଲେ । ଅତୀତର ସଜଳ ସ୍ମୃତି‌ ଲିଭି ଯାଇଥିଲା ତାଙ୍କ ମନରୁ । ବଡ଼ ଭାଇ ମନର ବେଦନାକୁ ସେ ଠିକ୍ ଭବରେ ବୁଝିପାରିଲେନି ।

 

ଶ୍ରୀକାନ୍ତ ଘରର ଟିକ୍ ନଖ୍ ଖବର ସବୁ ଶୁଣିଚି । ସେ ମନରେ ପାଇଚି ଅସହ୍ୟ ଯନ୍ତ୍ରଣା । ଏତେବଡ଼ ପରିବାର ଧ୍ଵଂସ ମୁଖକୁ ଗତି କରୁଚି । ସେ ଠିକ୍ ବୁଝିଚି ।

 

ସେ କେତେ ଭଲ ନ ପାଏ ଦାଦାଙ୍କର ପୁଅ ଝିଅଙ୍କୁ । ଯେଉଁ ଦାଦା କୋଳେଇ କାଖେଇ ତାକୁ ମଣିଷପରି ମଣିଷଟିଏ କରିବାକୁ ଚାହିଁଥିଲେ‚ ତା’ର ଭବିଷ୍ୟତର ସ୍ଵପ୍ନ ଦେଖୁଥିଲେ‚ ସେଇ ପୁଣି ତାଙ୍କ ନିକଟରୁ ତାକୁ ଦୂରେଇ ଦେବେ । ଯେଉଁ ଖୁଡ଼ୀ ମୁହଁରୁ ଅଶୁଭ କଥାରୁ ପଦେ ବାହାରୁ ନ ଥିଲା‚ ସେ ପୁଣି କେମିତି ଚାହୁଁଛନ୍ତି ଏତେ ବଡ଼ ପରିବାରକୁ ଉଜାଡ଼ି ଦେବାକୁ ?

 

ଦୁଃଖରେ ଭାଙ୍ଗିପଡ଼ୁଥିଲା ଶ୍ରୀକାନ୍ତ । ମୁଣ୍ଡ ଘୂରିଯାଉଥିଲା ।

 

ତାଙ୍କରି ଘର ଭିତରେ ପୁଣି ତିଆର ହେବ‚ ଗୋଟିଏ ନୂଆ ପାଚେରୀ !

 

ଆଜି ତା’ର ଠିକ୍ ମନେପଡ଼ୁଚି । ବାପା କେତେ ଲୋକଙ୍କ ଘରେ ନିଶାପ କରି ଭଙ୍ଗାଘରକୁ ଯୋଡ଼ିଛନ୍ତି । ଯାହା ଆଜିପର୍ଯ୍ୟନ୍ତ ବି ଗୋଟିଏ ହୋଇ ରହିଛନ୍ତି । ସେଇ ଲୋକର ଘର ଆଜି ଭୁଷୁଡ଼ି ପଡ଼ିବାକୁ ଯାଉଚି । କିଏ ବା ଆସିବ ଆଉ ସେ ଘରକୁ ଯୋଡ଼ିବାକୁ !!!

 

ବାପାଙ୍କ ମନ ବି ଫାଟି ଯାଇଚି ।

 

ଶ୍ରୀକାନ୍ତ‚ ବାପା ଓ ବୋଉଙ୍କୁ ଖୁବ୍ ବୁଝେଇଚି । ଦାଦାଙ୍କ ପାଖରୁ ଅଲଗା ହେବାର ପ୍ରସ୍ତାବ ନ ଆସିବା ଯାଏ‚ ବାପା କିଛି କହିବେନି କହି ବୋଉ ପାଖରେ ଢେର କାନ୍ଦିଚି ସେ । ଶେଷକୁ ତା’କଥା ହିଁ ରହିଚି ।

 

ସତକୁ ସତ ଦିନେ ଅଲଗା ହୋଇଯିବାର ପ୍ରଶ୍ନ ବାଢ଼ିଲେ ଦାଦା । ଯାହା ଫଳରେ ବାପା ବି ସେହି ଦିନଠାରୁ ଅଲଗା ହୋଇ ଆସିଲେ ଦାଦାଙ୍କ ପାଖରୁ ।

 

ଅଲଗା ରୋଷେଇ ହେଲା ।

 

ଏତେ ବଡ଼ ପରିବାରଟି ଫାଟି ଦୁଇଫାଳ ହୋଇଗଲା ।

 

ଅନେକ ଦିନ ପର୍ଯ୍ୟନ୍ତ ଶ୍ରୀକାନ୍ତ ଜାଣିପାରିଲାନି ଏ ବିଷୟରେ । ତା’ର ନିର୍ଦ୍ଦିଷ୍ଟ ପରିକଳ୍ପନା ସାମଗ୍ରୀକ ରୂପ ପାଇଲା । ମାନସିକ ଯନ୍ତ୍ରଣା ଭିତରେ ସେ ନିଜକୁ ଦାରୁ କରିଦେଇଥିଲା-

 

ସେ ଥିଲା ପାରିବାରିକ ଚିନ୍ତାଠାରୁ ବହୁ ଊର୍ଦ୍ଧ୍ଵରେ । ତା’ ଭବନାର ଜଗତ ଚିର ହିରଣ୍ମୟ ।

 

ସେ କବି ।

 

ସେ ଲେଖକ ।‌

 

ରାତି ବଢ଼ି ଚାଲିଛି ।

 

ସହରର ରାସ୍ତାରେ ବିଜୁଳିବତୀର କୋଳାହଳ ।

 

ପାଖ ଘରମାନଙ୍କରେ ସମସ୍ତେ ଶୋଇଗଲେଣି ।

 

ଶ୍ରୀକାନ୍ତ ବହିଟିଏ ଖେଳେଇ ବସିଚି ଟେବୁଲ ପାଖରେ । ଏଇ ଅଳ୍ପଦିନ ହେଲା ସେ ଘରର ସବୁ ଖବର ରଖିଚି । ମାନସିକ ଅସ୍ଥିରତା ଭିତରେ ସେ କେବଳ ବହିକୁ ଚାହିଁଚି । ଯେମିତି ବହିର ଛାପା ପୃଷ୍ଠାଗୁଡ଼ାକ ସାଧାକାଗଜପରି ଦେଖାଯାଉଚି ତା’ ଆଖିରେ । କେତେବେଳେ କେମିତ ପୁଣି ଅକ୍ଷରଗୁଡ଼ାକ ଜାଲଜାଲୁଆ ଦେଖାଯାଉଚି ।

 

ବେଳେ ବେଳେ ସେ ନିଜର ସ୍ଥିତିକୁ ଭୁଲିଯାଉଚି ।

 

ସେମାନେ ଭାଇ ଭଉଣୀ ଛଅ ଜଣ । ବଡ଼ ଭଉଣୀ ଦୁଇବର୍ଷ ହେଲା ବାହା ହୋଇଯାଇଛି-। ତା’ ଶାଶୁଘର ଚଳିବା ସେମିତି ମନ୍ଦ ନୁହେଁ ।

 

ସେ ଖୁବ୍ ଖୁସିରେ ରହିଚି ।

 

ଶ୍ରୀକାନ୍ତ ବାପାଙ୍କର ଦ୍ଵିତୀୟ ସନ୍ତାନ । ତା’ ତଳକୁ ତିନୋଟି ଭଉଣୀ । ହାଇସ୍କୁଲଠାରୁ ଆରମ୍ଭ କରି ମାଇନର ସ୍କୁଲ ପର୍ଯ୍ୟନ୍ତ ପଢ଼ୁଛନ୍ତି ସମସ୍ତେ । ସବା ସାନ ଭାଇ ଅ ଆ ମଡ଼ୋଉଚି ଘରେ-। ପୁଣି କେତେବେଳେ କେମିତି ଚାଟଶାଳୀକୁ ଯାଉଚି ।

 

ବାପା ବା ଦରମା ପାଉଛନ୍ତି କେତେ ! ଏଡ଼େ ବଡ଼ ପରିବାରଟି ନିର୍ଭର କରନ୍ତି ସେଇ ଦରମା ଉପରେ । ଯାହା ଜମି ବାଡ଼ି ଆଠ ଦଶମାଣ ଭାଗରେ ପଡ଼ିବ ସେ ପୁଣି ଭାଗ ବଖରାରେ ଚାଷ ହେବ । ଧୋଇଆ ଜମି । କେତେ ବା ଫସଲ ମିଳିବ ବର୍ଷକୁ ? ଏତିକି ସମ୍ବଳ ନେଇ ବାପା ତା’ର ଚଳେଇବେ ପରିବାରଟିକୁ ।

 

ଶ୍ରୀକାନ୍ତ ପଢ଼ୁଚି ଏମ୍.ଏ. । ମାସକୁ ଦରକାର ଦୁଇଶହ ଟଙ୍କା । କେଉଁଠୁ ବା ତା’ ଭାଷାରେ ଏତେ ଟଙ୍କା ପଡ଼ିବ ? ବିବ୍ରତ ହୋଇ ପଡ଼ୁଥିଲା ଶ୍ରୀକାନ୍ତ ।

 

ଯେମିତ ପରିବାରର ସମସ୍ତ ବୋଝକୁ ସେ ମୁଣ୍ଡେଇ ବସିଥିଲା । ବଡ଼ ପୁଅ ହିସାବରେ ନିଜର କର୍ତ୍ତବ୍ୟକୁ ସେ ଠିକ୍ କରୁଥୁଲା ।

 

ଘରୁ ଆଉ ପହିଲାକୁ ଠିକ୍ ଭାବରେ ପଇସା ଆସିପାରୁନି । ଅନେକ କଷ୍ଟରେ ସେ ଚଳୁଚି-। ତଥାପି ପଇସା ପାଇଁ ଘରକୁ ଖବର ଦେବାକୁ ଯେମିତ ତା’ ବିବେକ ବାଧା ଦେଉଚି । ଘରକୁ ଚିଠିଦେଲେ କେବଳ ସେ ଏତିକି ଲେଖେ–“ବର୍ତ୍ତମାନ ମୋ ଦେହ ଭଲ ଅଛି । ଯାହାହେଉ‚ ଯେମିତି ହେଲେ ଚଳିଯାଉଚି । ମୋ’ପାଇଁ ଯେମିତ କେହି ବ୍ୟସ୍ତ ନ ହୁଅ । ଘରେ ପିଲାମାନଙ୍କ ପଢ଼ା ପ୍ରତି ଦୃଷ୍ଟି ଦେଉଥିବ । ଆଶା‚ ସମସ୍ତେ ଭଲରେ ଥିବେ”–ଏତିକି ।

 

ସମସ୍ତ ସୁବିଧା ଅସୁବିଧାକୁ ଆଡ଼େଇ‚ ନିଜ ବାଟରେ ସେ ଚାଲିଚି । ସବୁ ଦୁଃଖ‚ କଷ୍ଟକୁ ସେ ନିଜର କରି ନେଇଚି । ଆଉ ବା କେଉଁ ଅସମୟ ତାକୁ ଡରେଇ ପାରିବ ?

 

ସେ ମଣିଷ ହେଲେ ବି ପଥର ପାଲଟିଚି ।

 

ଦୁଇ ମାସ ହେବ ଗାଁକୁ ଯାଇନି ଶ୍ରୀକାନ୍ତ । ଏତେ ବଡ଼‚ ଦୁର୍ଗାପୂଜା ଛୁଟିଟା ଗଲା‚ ଘରେ ବୋଉ ଚାହିଁଥିବ ପୁଅ ଆସିବ ବୋଲି‚ ଭାଇ ଭଉଣୀ ଚାହିଁ ବସିଥିବେ ବଡ଼ ଭାଇ ଆସିବ ବୋଲି । ସେ କିନ୍ତୁ ସମସ୍ତଙ୍କ ଆଶାକୁ ଧୂଳିସାତ୍ କରିଦେଇ ଗାଁକୁ ଗଲା ନାହିଁ । ଏକ ଅବଶୋଷର ମନ ନେଇ ନିଜ ସହର ଭିତରେ ପଡ଼ିରହିଲା ସେ ।

 

ଅନେକଥର ମନେପଡ଼ିଚି ତା’ର ସେଇ ଛୋଟିଆ ପୃଥିବୀ କଥା । ଯେଉଁ ମାଟିରେ ତା’ର ଜନ୍ମ ଯାହାର ଧୂଳି ଦେହରେ ବୋଳି ସେ ଏକଦା ନାଚୁଥିଲା‚ ଯାହାର ଛାତିକୁ ଚିରି କେତେ ବାଗ ଡୁ…ଡୁ…ଖେଳ ହେଉଥିଲା–ଏତେ ଶୀଘ୍ର କ’ଣ ଭୁଲି ହୋଇଯିବ ସେ ମାଟିର ମୋହ !! ଏତେ ଶୀଘ୍ର କ’ଣ ଛିନ୍ନ କରିହେବ ସେ ମାଟିର ମମତା !!!

 

ଅନେକ ଟାଣ ସେ ମାଟିର ମୋହ । ତା’ର ଯାଦୁକାରୀ ମୋହରେ ବଶବର୍ତ୍ତୀ ଏଇ ମଣିଷ-

 

କେତେ ପୁନେଇଁର ରଜତ ସୁଅରେ ସେ ନିଜକୁ ହଜେଇ ଦେଇଚି ସେଇ ଗାଁ ମାଟିରେ । ପୋଖରୀ ହୁଡ଼ାର କାଶତଣ୍ଡି ଫୁଲ ଉପରେ ପବନ ବହିଗଲେ ନଇଁଯାଏ କାଶ ଫୁଲର ବେକ । କି ସୁନ୍ଦର ସେ ଦୃଶ୍ୟ । ଜହ୍ନ ଆଲୁଅ ମେଞ୍ଚି ମେଞ୍ଚି ହୋଇ ତୋଟା ସାରା ବିଛୁଡ଼ି ହୋଇ ପଡ଼ିଥାଏ । ପବନରେ ପୋଖରୀର ପାଣି ଚହଲିଲେ ଜହ୍ନ ହଲିଯାଏ, ପାଣି ଚକ୍ ଚକ୍ ଦିଶେ, ତରଳା ରୂପା ପରି ଦିଶେ । ଆଉ ଆମ୍ବଗଛ ସବୁ ଭାଙ୍ଗ ଭାଙ୍ଗ ହୋଇ ଦୋଳି ଖେଳନ୍ତି ପାଣି ଭିତରେ ।

 

ଖରାଦିନରେ ଖଣ୍ତି ଖଣ୍ଡିକିଆ ଧଳା ବାଦଲ ଭିତରେ ଜହ୍ନ ଲୁଚକାଳି ଖେଳେ ଠିକ୍ ପ୍ରେମିକା ପରି । ପବନ ଦେହରେ ବାଜିଲେ ଲାଗେ ବୋଉର ନରମ ହାତ ଆଉଁସା ପରି ।

 

ଏଇ ରାତିରେ କେତେ ଲୁଚକାଳି ଖେଳ । ପିଲାବେଳର ସ୍ମୃତି ବଡ଼ ମଧୁର । ସବୁ କଥାକୁ ମନେପକେଇ ହୁଏନା । ସେଥିପାଇଁ ବଡ଼ କଷ୍ଟ ଲାଗେ ମନରେ ।

 

କଲେଜରେ ପଢ଼ିଲା ପରେ ଅନେକଥର ମନେପଡ଼ିଚି ତା’ର ଏଇ ଗାଁ ମାଟିର ଅଲିଭା ସ୍ମୃତି । ଅନେକଥର ସେ କଲେଜ ଛାଡ଼ି ଫେରିଆସିଚି ଗାଁକୁ । ବାପା, ଦାଦା ଗାଳି ଦେଇଛନ୍ତି । କିନ୍ତୁ ସେ କାହାରି କଥା ଶୁଣିନି । ଗାଁ ମାଟିର ମୋହକୁ ସେ ଭୁଲି ପାରୁନି ।

 

ଯେଉଁଦିନ ଏ ଗାଁ ଛାଡ଼ି ସେ ସହରକୁ ଯାଉଥିଲା, ପଛରେ ରହି ଯାଇଥିଲା ଗାଁ ଭୂଇଁ । ଆଖି ଛଳ ଛଳ ହୋଇ ଆସେ ଏବେ ବି ସେ କଥା ମନେପଡ଼ିଲେ । ବାପା ଆସିଥିଲେ ବାଟେଇ ଦେବାକୁ ନଈ ବନ୍ଧ ପର୍ଯ୍ୟନ୍ତ । ବାରମ୍ବାର କହୁଥିଲେ–“ଜଗି ରଖି ସହରରେ ଚଳିବୁ । ଦେହର ଯତ୍ନ ନେବୁ ଭଲ କରି । ସେଠିତ ଆଉ ପଖାଳ ଭାତ ନାହିଁ ଯେ କଲେଜରୁ ଫେରିଆସି ଖାଇବୁ ! ଘରେ ତୋ’ର ଖାଇବା ଲାଗି କେତେ ମହଜର !! ଆଜିଠାରୁ ସବୁ ଗଲା । ହେଉ, କଷ୍ଟ ବରଂ ପା’ ବଡ଼ ମଣିଷଟିଏ ହୋଇ ଫେରିଆ ।”

 

ବାପା ତାଙ୍କର ଶେଷ ଇଚ୍ଛାଟି କହି ପଛକୁ ମୁହଁ କରି ଫେରିଆସିଲେ ।

 

ଶ୍ରୀକାନ୍ତ ଯାଉଚି ଆଗକୁ । ନିଜର କର୍ମ ପଥରେ ।

 

ଗାଁ ରହିଯାଉଚି ଏକୁଟିଆ । ସବୁଜ ଧାନର କ୍ଷେତ ଅନନ୍ତ ନୀଳ ଆକାଶର ବକ୍ଷପରି ସେ ଧାନ କ୍ଷେତର ସୁଷମା । ସକାଳର ଉଦିତ ସୂର୍ଯ୍ୟ କିରଣରେ ଶୁଆପକ୍ଷୀଆ ପତର ଉପରେ ଶିଶିର ବିନ୍ଦୁ ଦେଖାଯାଏ ମାଣିକ୍ୟ ପରି । ଆଉ କିଛି ସମୟ ପରେ ସେହି ମାଣିକ୍ୟ ପାଲଟି ଯାଏ ହୀରା । କିଏବା ନ ଦେଖି ବିଶ୍ଵାସ କରିପାରିବ ଏ ଦୃଶ୍ୟ !

 

ସବୁ ସ୍ମୃତି ବର୍ଷା ଦିନରେ କାଗଜ ଡଙ୍ଗା ଭାସିଗଲାପରି ଭାସିଯାଉଚି ଶ୍ରୀକାନ୍ତର ଆଖି ଆଗରେ ।

 

ଏ ସହରରେ ସୂର୍ଯ୍ୟୋଦୟ ଦେଖିବା ଯେମିତି ବଡ଼ ଭାଗ୍ୟ । ଏଠି ଆକାଶ ମୁହଁରେ ନାହିଁ ସରସତା । ସୂର୍ଯ୍ୟ ମୁହଁରେ ନାହିଁ ହସ । ବିଷାକ୍ତ ଏ ପାଣି, ପବନ ।

 

ରୂପା ଥାଳିଆ ଜହ୍ନ ଝୁଲି ଝୁଲି ଉଠିଲେ କେହି ନାହିଁ ଉପଭୋଗ କରିବା ପାଇଁ । କାର୍ଯ୍ୟବ୍ୟସ୍ତ ସମସ୍ତଙ୍କ ମନ । ବିଜୁଳି ଆଲୁଅର ଶୋଭାଯାତ୍ରାରେ ନୀରବ ଜହ୍ନର ରୂପେଲି କିରଣ ।

 

କବି ସ୍ୱପ୍ନ ଦେଖିଲା ଆକାଶରେ ଜହ୍ନଟା ରୁଟିପରି ।

 

ବୈଜ୍ଞାନିକ ସ୍ଵପ୍ନ ଦେଖିଲା ମଣିଷ ପୁଣି ବସବାସ କରିବ ଏହି ଚନ୍ଦ୍ରରେ ।

 

ଏଇ ପରିକଳ୍ପନା ଭିତରେ ମଣିଷ ବଞ୍ଚିଚି । ବଞ୍ଚିବା ପାଇଁ କରୁଚି ଅବିରତ ସଂଗ୍ରାମ । ଯାହାକୁ ଦେବତାର ପରିକଳ୍ପନା କରୁଥିଲା, ତାକୁ ଉପହାସ କରୁଚି ।

 

ବେଦବାଣୀ ବେଦରେ ରହିଗଲା । ପ୍ରକୃତିର ଯେକୌଣସି ପଦାର୍ଥଠାରୁ ମଣିଷ ସାହାଯ୍ୟ ପାଉଥିଲା, ତା’ ଆଖିରେ ସେ ହେଉଥିଲା ଦେବତା । ଚନ୍ଦ୍ର, ସୂର୍ଯ୍ୟ, ବର୍ଷା, ନଦୀ, ବୃକ୍ଷଠାରୁ ଆରମ୍ଭ କରି ପଶୁପକ୍ଷୀ ପର୍ଯ୍ୟନ୍ତ ମଣିଷ ପୂଜା ଆରମ୍ଭ କରିଦେଲା ।

 

ବର୍ତ୍ତମାନର ସହରୀ ସଭ୍ୟତାର ବିଷାକ୍ତ ଧୂଆଁ ମଣିଷର ଏଇ ସରଳିଆ ମନକୁ ବଦଳାଇ ଦେଇଚି । ଯୁଦ୍ଧର ବିଭୀଷିକା ଭିତରେ ଆତ୍ମଗୋପନ କରିଚି ମଣିଷର ହୃଦୟ ।

 

ସେଇ ସୁନ୍ଦର ଅତୀତ ଶ୍ରୀକାନ୍ତ ମନରେ ହୋଇଉଠିଚି ବର୍ତ୍ତମାନ ସହରର ଜନାକୀର୍ଣ୍ଣ ପରିବେଶ ଭିତରେ ତଥାପି ସେ ନିଃସଙ୍ଗ–ଅସହାୟ ।

 

ବନ୍ଧୁତ୍ୱର ମାନେ କିଛି ନାହିଁ ସହରର ପାଣି ପବନରେ ।

 

ବନ୍ଧୁତ୍ୱ କେବଳ ଇଁ ଛଳନା । ନିଜକୁ ଭଲ ବୋଲି ଅନ୍ୟ ଆଗରେ ପ୍ରମାଣ କରାଇବାର ଏକମାତ୍ର ପନ୍ଥା । ଜଣେ ତ୍ୟାଗକଲେ ଅନ୍ୟ ଜଣକ ତ୍ୟାଗ କରିବାକୁ ବାଧ୍ୟ–ଏଇଆ ହିଁ ବନ୍ଧୁତ୍ୱର ମାପକାଠି ।

 

ସତରେ କ’ଣ ଏହା ଠିକ୍ ? ପ୍ରଶ୍ନ ଆସେ ଶ୍ରୀକାନ୍ତ ମନରେ ।

 

ସେ ଯେଉଁମାନଙ୍କୁ ସାହାଯ୍ୟ କରିଚି । ତା’ର ପ୍ରତିବଦଳରେ ସେମାନଙ୍କୁ ବାଧ୍ୟ କରି ତ ସେ କେବେ ସାହାଯ୍ୟ ଚାହିଁନି !

 

ସେ ଜାଣିଚି ପରସ୍ପରର ଆନ୍ତରିକତା ହିଁ ବନ୍ଧୁତ୍ୱ । ଯେଉଁଠି ସ୍ନେହ ନାହିଁ, ସୋହାଗ ନାହିଁ, ଭଲପାଇବା ବଦଳରେ ଭଲପାଇବା ନାହିଁ–ସେ ବନ୍ଧୁତ୍ୱର ମାନେ କ’ଣ ହୋଇପାରେ ?

 

ଏଇ ସହର ରହଣୀ ଭିତରେ ସେ ଅନେକଙ୍କ ସହିତ ବନ୍ଧୁତ୍ୱ ସ୍ଥାପନ କରିଛି । ସରଳ ମନନେଇ ସମସ୍ତଙ୍କୁ ବିଶ୍ଵାସ କରିଚି ।

 

କିନ୍ତୁ ଛଳନାବାଦୀ ଦୁନିଆଁରେ କେହି ତା’ର ନିଜର ହୋଇ ନାହାନ୍ତି ।

 

ସେ ଅନେକ ଆଶା କରିଚି, ଅନ୍ତତଃ ଜୀବନ ଭିତରେ ଭଲ ସାଙ୍ଗଟିଏ ପାଇବା ପାଇଁ ।

 

ସମସ୍ତେ ଆସିଛନ୍ତି ନିଜର ସ୍ୱାର୍ଥ ମେଣ୍ଟାଇବାକୁ । ପୁଣି ଚାଲିଯାଇଛନ୍ତି ନିଜ ବାଟରେ । କେହି ବୁଝି ନାହାନ୍ତି ତା’ର ଅନ୍ତର ବେଦନାକୁ ।

 

ଦିନଥିଲା, ଯେତେବେଳେ ସେ ଥିଲା ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ । ଅନେକ ସାଙ୍ଗ ଆସିଥିଲେ ତା’ ପାଖକୁ । କେତେ ପାର୍ଟିରେ ସେ ଯୋଗ ନ ଦେଇଚି ! ପ୍ରତ୍ୟେକ କାମରେ ହୁଏତ ସାଙ୍ଗମାନେ ଆସି ତା’ର ପରାମର୍ଶ ଲୋଡ଼ୁଥିଲେ । ସିନେମା ଦେଖିବା, ପିକ୍‌ନିକ୍‌ ଯିବା, ରେସ୍ତୋଁରାରେ ବସିବା–ସବୁ ଲିଷ୍ଟରେ ଶ୍ରୀକାନ୍ତର ନା ପ୍ରଥମ । ରୁମରେ ବି ପାର୍ଟି । ଚା’ ଓ ସିଗାରେଟ ଧୂଆଁରେ ରୁମ୍‍ ଭର୍ତ୍ତି ।

 

ଏମିତି ଥରେ ପିକ୍‌ନିକ୍‌ ପଡ଼ିଥିଲା କୋଣାର୍କ । ଚାନ୍ଦା ଆଦାୟଠାରୁ ଜିନିଷପତ୍ର କିଣାକିଣି, ଜଳଖିଆ ତିଆରି ଓ ବସ୍ ଠିକ୍ କରିବା ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇ ଥିଲା ଶ୍ରୀକାନ୍ତ ।

 

ରାତ୍ର ଆଠଟାରୁ ବସ୍ ବାହାରିଲା କୋଣାର୍କ ଅଭିମୁଖେ । ଶୀତର ପ୍ରକୋପ ବଢ଼ି ଯାଇଥିଲା । କଲେଜଠାରୁ କୋଣାର୍କ ତିନିଶହ କିଲୋମିଟର ବାଟ । ଅନ୍ତତଃ ଆଠ ଘଣ୍ଟାରୁ କମ୍ ସମୟ ଲାଗିବନି ପହଞ୍ଚିବାକୁ । ଅଶୀ ଜଣ ପିଲା ବସ୍ ଭିତରେ। ସାର୍‌ମାନେ ବି ଯୋଗ ଦେଇଛନ୍ତି ଏହି ପିକ୍‌ନିକରେ।

 

ବସ୍ ଚାଲିଚି ।

 

ସମସ୍ତ ଦାୟିତ୍ଵ ଶ୍ରୀକାନ୍ତର ।

 

ବସ୍ କୋଣାର୍କରେ ପହଞ୍ଚିଲା ବେଳକୁ ଭୋର ଚାରିଟା ବାଜିଯାଇଥିଲା । ସାଙ୍ଗମାନେ ଶ୍ରୀକାନ୍ତକୁ ଟେକି ଟେକି ନେଇ ହର୍ଷନାଦରେ ପ୍ରକମ୍ପିତ କରିଦେଇଥିଲେ ସେଇ ବାଲୁ ପ୍ରାନ୍ତରକୁ।

 

ଚନ୍ଦ୍ରଭାଗା କୂଳ ପର୍ଯ୍ୟନ୍ତ ବସ୍‍ ଚାଲି ଯାଇଥିଲା । ସମସ୍ତେ ଭଲରେ ପହଞ୍ଚିଥିଲେ ସେଠାରେ ।

 

ସକାଳର ସୂର୍ଯ୍ୟୋଦୟ ପୂର୍ବରୁ ପୂର୍ବାକାଶ ଲାଲ୍ ରଙ୍ଗରେ ରଞ୍ଜିତ ହୋଇ ସାରିଥିଲା । ଯେମିତି କେହି ଶିଳ୍ପୀ ସମଗ୍ର ପୂର୍ବଖଣ୍ଡକୁ ରଙ୍ଗେଇ ଦେଇଚି ।

 

ଏବେ ଠିକ୍ ଭାବରେ ମନେପଡ଼ୁନି ଆକାଶ ଯନ୍ତ୍ରଣା ପାଇଥିଲା କାହିଁକି ? ଆକାଶରେ ଯେମିତି କିଏ ନିଆଁ ଲଗେଇ ଦେଇଥିଲା–ବର୍ତ୍ତମାନ ତା’ର ମନେ ହେଉଚି ।

 

ସମୁଦ୍ର ଗର୍ଜୁ ଥିଲା । ଉତ୍ତାଳ ଢେଉ ଅଗ୍ନିଉଗ୍ନିରଣପରି ତାଳଗଛ ଉଚ୍ଚାରେ ଉପରକୁ ଉଠି ପୁଣି ଭାଙ୍ଗିପଡ଼ୁ୍ଥଲେ ।

 

ସାରା ସମୁଦ୍ରରେ ଯେମିତି ରକ୍ତର ଢେଉ ଖେଳୁଚି ।

 

ରକ୍ତର ସମୁଦ୍ରକୁ ଆଖିପାଉନି । ସବୁ ପିଲା ପାଣିରୁ ଟୋପାଏ ଲେଖାଏଁ ମୁଣ୍ଡରେ ମାରିଲେ ।

 

ସେ କେଇ ବିନ୍ଦୁ ପାଣି ଚାଖିଲା ।

 

ରକ୍ତ ପରି ଲୁଣିଆ ।

 

ତା’ର ପ୍ରତ୍ୟେକ ଶିରାରେ ଉଷୁମ ରକ୍ତର ଜୁଆର ଖେଳିଲା । ଆଖି ଗରମ ହୋଇଆସିଲା ।

 

ନିଃଶ୍ଵାସ ସାପ ପରି ସଁ ସଁ ହେଲା । ସେ କ୍ରମଶଃ ନିଶ୍ଚେଷ୍ଟ ଅନୁଭବ କଲା ।

 

ଝିଅପିଲାମାନେ ଅଳ୍ପ ଦୂରରେ ଡେଇଁ ଡେଇଁ ବୁଲୁଥିଲେ । ସେମାନେ ଖୁବ୍ ଉପଭୋଗ କରୁଥିଲେ ପାହାନ୍ତା ପ୍ରହରର ଦୃଶ୍ୟ । ସେମାନଙ୍କ ମୁହଁ ଲାଲ୍ ଦେଖାଯାଉଥିଲା ।

 

ମଧୁଛନ୍ଦା, ରୀତା, ମିନି, ବୀଣା ପ୍ରଭୃତି ସାଙ୍ଗ ହୋଇ ବସିଥିଲେ ଓ ସମୁଦ୍ରକୁ ଚାହିଁଥିଲେ । ସାର୍‌ମାନେ ଏପାଖ ସେପାଖ ବୁଲୁଥିଲେ ବାଲି ଉପରେ ।

 

ସମୁଦ୍ରର ଢେଉ ମାଡ଼ି ଆସୁଥିଲା ଶ୍ରୀକାନ୍ତର ପାଦ ପାଖକୁ । ଫେରସ୍ତ ଢେଉ ସିରି ସିରି କରି ବାଲି କାଢ଼ିନେଇ ଯାଉଥଲା ତା’ ଗୋଡ଼ତଳୁ । ଗୋଡ଼ ଦବି ଆସୁଥିଲା । ସେ ଅନୁଭବ କରୁଥିଲା ତା’ ବୟସକୁ ଯେମିତି କମାଇ ଦେଉଚି ଏଇ ସମୁଦ୍ର । ତା’ ଯୌବନକୁ ଅପହରଣ କରି ବୃଦ୍ଧ, ସ୍ଥାଣୁ, ଅଥର୍ବ କରି ଦେଉଚି ଏଇ ସମୁଦ୍ର ।

 

ଚଢ଼େଇଟି ଏକୁଟିଆ କେଁ କେଁ ଶବ୍ଦ କରି ଉଡ଼ିଯାଉଥିଲା ସମୁଦ୍ର ଉପରେ । କେହି ସାଙ୍ଗ ନାହିଁ । ଏକାକୀ–ନିଃସଙ୍ଗ ।

 

ଶ୍ରୀକାନ୍ତର ମନ ସେହି ଚଢ଼େଇ ସାଙ୍ଗରେ ଉଡ଼ି ବୁଲିଲା । ଏତେ ପିଲାଙ୍କ ମେଳରେ ସେ ନିଜକୁ ଅସହାୟ ମନେ କଲା । ଗହୀରିଆ ଦୃଷ୍ଟି ନେଇ ସେ ଚାହୁଁଥିଲା ନିଃସଙ୍ଗ ପକ୍ଷୀଟିକୁ ।

 

ଝିଅମାନେ ଜୋରରେ ହସିଉଠିଲେ । ସମସ୍ତେ ଯେମିତି ଅନେଇ ରହିଥିଲେ ଶ୍ରୀକାନ୍ତର ଗତିବିଧିକୁ ।

 

ଖୁବ୍ ଜୋରରେ ଲହରୀଟିଏ ଆସି ଫେରିଲା ବେଳକୁ ତା’ ଗୋଡ଼ତଳୁ ସରୁ ବାଲିକୁ ଯେମିତି ଖସେଇ ନେଲା, ଶ୍ରୀକାନ୍ତ ଦୁଲ୍‌କରି ପଡ଼ିଗଲା ଓଦା ବାଲି ଉପରେ । ପୁଣି ବାଲି ସର ସର ହୋଇ ଉପରକୁ ଉଠି ଆସିଲା ।

 

ମଧୁଛନ୍ଦା ତା’ ପାଖକୁ ଲାଗି ଆସିଥିଲା । ତା’ର କଅଁଳିଆ ହାତରେ ଶ୍ରୀକାନ୍ତ ଦେହକୁ ଝାଡ଼ିଦେଲା ।

 

ଶ୍ରୀକାନ୍ତ ଲାଜରେ କିଛି କହିପାରିଲାନି । କେବଳ ତା’ର ସେହି ସରଳିଆ ମୁହଁଟିକୁ ଚାହିଁ ଟିକେ ହସି ଦେଇଥିଲା ସେ ।

 

ମଧୁଛନ୍ଦା ଫେରି ଯାଇଥିଲା ସାଙ୍ଗ ଝିଅମାନଙ୍କ ପାଖକୁ ।

 

ସୂର୍ଯ୍ୟ ଲାଲ୍ ପେଣ୍ଡୁଟିଏ ପରି ଉପରକୁ ଉଠୁଥିଲେ ।

 

ସମସ୍ତେ ନିଜ ନିଜ ନିତ୍ୟକର୍ମ ଶେଷ କରି ଜଳଖିଆ ଖାଇବାକୁ ପ୍ରସ୍ତୁତ ହେଉଥିଲେ ।

 

ଟାଣ ହୋଇନଥିଲା ଖରା ।

 

ଜଳଖିଆ ଖାଇ ନେବା ପରେ ସମସ୍ତେ ଫେରିଆସିଥିଲେ କୋଣାର୍କ ମନ୍ଦିର ପାଖକୁ । ମନ୍ଦିରମାଳିନୀ ଉତ୍କଳର ଚାରୁକଳାର ଶ୍ରେଷ୍ଠ ନିଦର୍ଶନ । ବାରଶହ ବଢ଼େଇର ବାରବର୍ଷ ତପସ୍ୟାର ଫଳ ।

 

ପଥର ଛାତିରେ ଯୁଗ ଯୁଗର କାଳଜୟୀ କଳା । ନୃତ୍ୟରତା ରମଣୀର ଛନ୍ଦରେ ପୂର୍ଣ୍ଣଚ୍ଛେଦ ଟଣା ହୋଇଯାଇଚି । ନୃତ୍ୟ ଭଙ୍ଗୀରେ ରହିଯାଇଚି ସମଗ୍ର ଶରୀର । ଅଥଚ ଅନେକ ଯୁଗରୁ ସେ ମୃତ । ସେ ଜୀବନ ଫେର ପାଇବାକୁ ଚାହେଁ । ପୁନଶ୍ଚ ବୀଣା ବଜାଇ ନାଚିବାକୁ ଚାହେଁ ।

 

ଆଖିରେ ସେଇ ଅବଶୋଷ ପାଇଁ ଅନେକ ଜିଜ୍ଞାସା । ଉତ୍କଳର ଆଉ କେଉଁ ବରେଣ୍ୟ ଶିଳ୍ପୀ ଜୀବଦାନ ଦେଇପାରିବ ଏହି ଶିଳାନ୍ୟାସଗୁଡ଼ିକୁ ।

 

ଶିଳାର ପ୍ରତିଟି ଅଣୁର ସ୍ପନ୍ଦନ ଯେ କେହି ଅନୁଭବ କରିପାରିବ ତାହାକୁ ସ୍ପର୍ଶକରି । ପ୍ରତିମା ଦେହରେ ନିର୍ଦ୍ଧିଷ୍ଟ ଋତୁର ପଦଚିହ୍ନ, ଆଖିରେ ଅନୁକମ୍ପାର ଚାହାଣି । ବୟସ ବଢ଼ିଯାଇଚି ଅନେକ ତା’ର । ତଥାପି ମଉଳି ଯାଇନି ଢଳ ଢଳ ରୂପ ଯୌବନ ।

 

ପିଲାମାନେ ବୁଲୁଥିଲେ ମନ୍ଦିର ଚାରିପାଖ ।

 

ଶ୍ରୀକାନ୍ତ ବସିଥିଲା ଖଣ୍ଡେ ପଥର ଉପରେ । ଅନ୍ୟମନସ୍କ ଭାବେ ଚାହିଁଥିଲା ଭାଙ୍ଗିଯାଇଥିବା ଦଧିନଉତିକୁ l

 

ସିଗାରେଟରେ ନିଆଁ ଧରାଉଥିଲା ଓ କ’ଣ ଭାବୁଥିଲା ।

 

ସାର୍‌ମାନେ ଥିଲେ ଆର ପାଖରେ ।

 

ଝିଅମାନେ ବୁଲୁଥିଲେ ଏପାଖ ସେପାଖ । ଅନ୍ୟ ସାଙ୍ଗମାନେ ବିଭିନ୍ନ ପ୍ରତିମାର ସ୍ନାପ୍ ନେଉଥିଲେ ।

 

ମଧୁଛନ୍ଦା କେତେବେଳୁ ଆସି ଠିଆ ହୋଇ ରହିଚି ଶ୍ରୀକାନ୍ତ ପଛରେ । ହୁଏତ ଶ୍ରୀକାନ୍ତ ଜାଣିପାରିନି । ସିଗାରେଟ ଧୂଆଁର ଗୋଲେଇ ଭିତରେ ସେ ଦେଖୁଚି ଆର ପାଖରେ ଥିବା ଲାଇଟ୍ ପୋଷ୍ଟର ବଡ଼ ବଡ଼ ବଲ୍‌ବ୍ । ଗୋଟିଏ ଗୋଟିଏ ଜାଗାର ୨୦।୨୫ଟି ବଲ୍‌ବ୍ । ଚାରିପାଖ ଯାକ ସେମିତି ଲାଇଟ୍‍ ପୋଷ୍ଟ । ବଡ଼ ବଡ଼ ପୂନେଇ ପର୍ବ, ତିଥିମାନଙ୍କରେ ଲାଇଟ୍‌ ସବୁ ଜଳି ଉଠେ । ଅନ୍ଧାରୁଆ ଜାଗାରେ ପୁଣି ଆଲୁଅର ସ୍ରୋତ ବହିଯାଏ । କେମିତି ଦେଖାଯାଉଥିବ ଏ ଜାଗାଟା ସେତେବେଳେ !

 

ଶ୍ରୀକାନ୍ତ କଳ୍ପନା ଭିତରେ ଦେଖେ ସ୍ଵପ୍ନ । ସେ ବାସ୍ତବତାକୁ ସ୍ୱୀକାର କରେ, ବିଶ୍ଵାସ କରେ ବି । କିନ୍ତୁ ଏଇ ବାସ୍ତବତାର ନିଷ୍ଠୁର ପରିହାସକୁ ଉପେକ୍ଷା କରି ସେ ଅନେକ ସମୟରେ ଦେଖେ ସ୍ୱପ୍ନର ଇନ୍ଦ୍ରଜାଲ । ସ୍ୱପ୍ନ ବରଂ ହେଉ ସାମୟିକ–ତହିଁରେ ଅଛି ନୂଆ ଜୀବନର ସ୍ୱାଦୁ, ନିଜକୁ ନୂଆ କରି ଦେଖିବାର ଛନ୍ଦ ।

 

ସବୁ ବାସ୍ତବଗୁଡ଼ାକ ଭୟଙ୍କର । ବାସ୍ତବତା ଆଗରେ ରହିଛି ସମାଜ । ଯାହା ପ୍ରତ୍ୟେକ ମୁହୂର୍ତ୍ତରେ ମଣିଷର ସ୍ଵାଧୀନତାକୁ ଅପହରଣ କରିନିଏ, ସ୍ୱପ୍ନକୁ ସଫଳ କରିବାର ସୁଯୋଗ ଦିଏନା ।

 

ଶ୍ରୀକାନ୍ତ କଳ୍ପନା ଭିତରେ ପାଏ ସ୍ୱର୍ଗୀୟ ଆନନ୍ଦ ।

 

ମଧୁଛନ୍ଦାର ମୃଦୁ କର ସ୍ପର୍ଶ ଶ୍ରୀକାନ୍ତ ଦେହରେ ।

 

କଳ୍ପନା ଭିତରୁ ବାସ୍ତବ ରାଜ୍ୟକୁ ଫେରିଆସିଲା ଶ୍ରୀକାନ୍ତ । ପଛ ପାଖରେ ମଧୁଛନ୍ଦାର ସ୍ମିତ ହସ ଲହରୀ ଭାଙ୍ଗୁଛି ।

 

ଅପ୍ରତିଭ ହୋଇ ଠିଆ ହେଲା ସେ । କ’ଣ କହିବ କିଛି ଭାବି ପାରୁ ନ ଥିଲା । ହୁଏତ ଅନେକ ଝିଅଙ୍କର ଓଠ ଉପରେ ମୁଲାୟମ ହସ ସେ ଦେଖିଚି, କିନ୍ତୁ ମୁଛନ୍ଦାର ହସରେ ନିଜକୁ ହଜାଇ ଦେବାର କୁହୁକ ସେ ଅନୁମାନ କରୁଥିଲା ।

 

କିଛି ସମୟ ପାଇଁ ଦୁହେଁ ନୀରବ । ପରସ୍ପରକୁ ଚାହିଁ ରହିଛନ୍ତି ସେମାନେ । ଶ୍ରୀକାନ୍ତ ଆଖିରେ ଗମ୍ଭୀର ଚାହାଣି ।

 

ଶଙ୍କି ଯାଇଥିଲା ମଧୁଛନ୍ଦା । କିଛି କହିବ କହିବ ହୋଇ ନିଷ୍ପାପ ଓଠ ଦିଓଟି ତା’ର ଥରୁଥିଲା । ସକାଳର ଶିଶିର ଭିଜା ନାଲି କଇଁର ଦୁଇଟି ପାଖୁଡ଼ା ଯେମିତ ଥରୁଚି ମୃଦୁ ମଳୟ ପବନରେ ।

 

ମଧୁଛନ୍ଦାର ଶାଢ଼ିରେ ଅନେକ ଫୁଲର ସମାରୋହ । ବାତ୍ୟା ବିପର୍ଯ୍ୟସ୍ତ ଫୁଲବଗିଚା ପରି ଶାଢ଼ିର ଫୁଲମାନେ ଦୋହଲୁଥିଲେ । ମଳିନ ହୋଇଆସୁଥିଲା ଫୁଲମାନଙ୍କର ମୁହଁ ।

 

ଶ୍ରୀକାନ୍ତ ଠିଆ ହୋଇଛି କୋଣାର୍କର କିନ୍ନର ଶିଳାମୂର୍ତ୍ତିପରି ।

 

ଅନେକ ସାହସ ସଞ୍ଚୟ କରି ମଧୁଛନ୍ଦା ଧରି ପକାଇଲା ଶ୍ରୀକାନ୍ତର ହାତ । ଚାହିଁବାରେ ଅନେକ ପ୍ରଶ୍ନବାଚୀ । ଗଣ୍ଡଦେଶର ଦୁଇଟୋପା ଜମାଟ ବନ୍ଧା ଲୁହରେ ସୂର୍ଯ୍ୟକିରଣ ଚିକ୍ ଚିକ୍ କରୁଥିଲା । ଅନେକ ସୂର୍ଯ୍ୟର ରଶ୍ମି ସେ ମୁହଁରେ ।

 

ଶ୍ରୀକାନ୍ତର ପାପୁଲିରେ ମଧୁଛନ୍ଦା ଆଖିର ଲୁହ ।

 

କଅଁଳା ପିଲାଟି ପରି ମଧୁଛନ୍ଦା ମୁହଁ ଲୁଚେଇ ଦେଇଥିଲା ଶ୍ରୀକାନ୍ତର କାନ୍ଧରେ । ଏଇ କାନ୍ଦୁରୀ ଝିଅମାନଙ୍କୁ ବା କିଏ ବୋଧ କରିପାରିବ ? କି କଥା କହି ହସେଇ ପାରିବ ଶ୍ରୀକାନ୍ତ ??

 

ଶ୍ରୀକାନ୍ତ ତା’ର ହାତ ଧରି ନେଇଯାଇଥିଲା ଭଗ୍ନ ମନ୍ଦିରର ଶିଳାଖଣ୍ଡରେ ନୃତ୍ୟରତା ପ୍ରତିମାମାନଙ୍କ ନିକଟକୁ । ନୃତ୍ୟରତା ରମଣୀ, ଶାପଗ୍ରସ୍ତ କିନ୍ନର କିନ୍ନରୀ–ସବୁକୁ ବୁଲେଇ ଦେଖାଇ ଥିଲା ସେ । ମୈଥୁନରତ ପୁରୁଷ ଓ ନାରୀଙ୍କର ଖୋଦିତ ମୂର୍ତ୍ତି ପାଖକୁ ଦୃଷ୍ଟି ଶକ୍ତି ଧାଇଁ ଯାଉ ଯାଉ ଜଣେ ଜଣକୁ ଚାହିଁଲା ବେଳେ ଆପେ ଆପେ ଆଖି ତଳକୁ ନଇଁ ଆସୁଥିଲା ।

 

ବାକ୍ ଶକ୍ତିହୀନ ଦୁଇଟି ପ୍ରସ୍ତର ମୂର୍ତ୍ତି ଜୀବନ୍ୟାସ ପାଇ ଯେପରି ମନ୍ଦିର ପରିକ୍ରମା କରୁଛନ୍ତି ! ଦୀର୍ଘ ସମୟ ପର୍ଯ୍ୟନ୍ତ ଦୁହିଁଙ୍କ ମୁହଁରେ କଥା ନାହିଁ ।

ଶ୍ରୀକାନ୍ତ ନିଜକୁ ଖୁବ୍ ସଂଯତ କରି ପଚାରିଲା–“ସାଙ୍ଗ ଝିଅମାନଙ୍କୁ ଛାଡ଼ି ମୋ ପାଖକୁ ଆସିଲ କାହିଁକି ? ସେମାନେ କ’ଣ ଭାବୁଥିବେ ??”

ମଧୁଛନ୍ଦା ନୀରବ ।

ଶ୍ରୀକାନ୍ତର ପୁଣି ସେଇ ପ୍ରଶ୍ନ ।

“କାହାର ଭାବିବା ନ ଭାବିବାକୁ ନେଇ ମଣିଷ ବଞ୍ଚି ରହେନା ଶ୍ରୀକାନ୍ତ । ମୋ ଇଚ୍ଛା ହେଲା ମୁଁ ତୁମ ପାଖକୁ ଆସିଲି । ସେଥିରେ ଅନ୍ୟମାନେ ମୁଣ୍ଡ ଖେଳେଇବେ କାହିଁକି ? ସେଇ ପୁରୁଣା ଦିନର କଥା ଯେପରି ମୋର ଆଜି ମନେପଡ଼ିଯାଉଚି । ଯେଉଁଦିନ ତୁମକୁ ମୁଁ ପ୍ରଥମ ଥର ପାଇଁ ଦେଖିଥିଲି କଲେଜରେ । ଭାବିଥିଲି ହୁଏତ କେବେ ଏକୁଟିଆ ଦେଖାହେଲେ କହିବି ବୋଲି, ଯାହା ଆଜିପର୍ଯ୍ୟନ୍ତ କହିପାରିନି ।’’ ଖୁବ୍ ଧୀର ଗଳାରେ କହୁଥିଲା ମଧୁଛନ୍ଦା ।

ଶ୍ରୀକାନ୍ତ ବୁଝିବ ମଧୁଛନ୍ଦା ମନର ଭାଷା । ଅନେକ ଆଗରୁ ସେ ଯାହା ବୁଝିଥିଲା ମଧୁଛନ୍ଦାର ପ୍ରତୀକ୍ଷାରୁ ।

ମଧୁଛନ୍ଦା ଚାହିଁଥିଲା ଶ୍ରୀକାନ୍ତ ଅନ୍ତତଃ କଥାର ଆରମ୍ଭ କରୁ । ଯାହା ଶ୍ରୀକାନ୍ତ ଆଜିପର୍ଯ୍ୟନ୍ତ ଉପେକ୍ଷା କରି ଆସିଥିଲା । ସେ ଇଚ୍ଛାକୃତ ଭାବରେ ଭାବି ନ ଥିଲା କୌଣସି ଝିଅ ସାଙ୍ଗଟିଏ ପାଇବା ପାଇଁ ।

କଲେଜ ଛୁଟିପରେ ଶ୍ରୀକାନ୍ତ ଅନେକଥର ଦେଖିଚି ମଧୁଛନ୍ଦାକୁ ଏକାକୀ ସେଇ ଝାଉଁ ଗଛ ତଳେ । ମୁହଁ ଟେକି ଚାହିଁନି କିମ୍ବା ମୁହଁ ଫେରେଇ ଚାହିଁନି ସେ । କେତେଥର ମଧୁଛନ୍ଦା କିଛି କହିବା ପୂର୍ବରୁ ଏକ ମୁହାଁ ହୋଇ ଦ୍ରୁତ ଗତିରେ ସେ ଚାଲିଯାଇଛି । ସେ ଭଲଭାବରେ ବୁଝିଚି, ମଧୁଛନ୍ଦା ତାକୁ ଖୁବ୍ ଭଲପାଏ, ଯାହା ସେ ଗ୍ରହଣ କରିବାକୁ ଚାହୁଁନଥିଲା ।

ପୁଣି ମଧୁଛନ୍ଦା କଥାର ଖିଅ ଧରି କହିଲା–“ତମେ କ’ଣ ଝିଅମାନଙ୍କୁ ଘୃଣା କର ? ନାଁ ଝିଅମାନଙ୍କର emotion ରେ ବାଧା ଦେଇ ତମେ ଆନନ୍ଦ ପାଅ ?? ତମେ ଯଦି ଭାବୁଛ ମୋ ମନରେ ବାଧା ଦେଇ ଖୁବ୍ ଖୁସି ହେଉଚ ବୋଲି, ଏହା ମୁଁ ଜାଣିଲେ ଅତ୍ୟନ୍ତ ଖୁସି ହେବି ।” କଥାର ଅନର୍ଗଳ ସୁଅ ଛୁଟିଲା ମଧୁଛନ୍ଦାର ମୁହଁରୁ ।

ଶ୍ରୀକାନ୍ତ ସବୁ ଶୁଣୁଚି ଆଉ ଧିର ଗତିରେ ଆଗେଇ ଚାଲୁଚି ଗୋଟିଏ ପ୍ରତିମା ପାଖରୁ ଆଉ ଗୋଟିଏ ପ୍ରତିମା ପାଖକୁ ।

ସେ ଦର୍ଶନର ଛାତ୍ର । ସବୁ କଥାକୁ ଗହୀରେଇ ଭାବିବା ତା’ର ଅଭ୍ୟାସ ।

ସାଙ୍ଗ ପିଲାମାନେ ପାଖକୁ ଆସିଲେଣି । ଝିଅପିଲାଏ ବସ୍ ପାଖକୁ ଚାଲିଗଲେଣି ।

ନନ୍ଦନକାନରେ ପିକ୍‌ନିକ୍ ହେବ ।

ଆଉ ଅଳ୍ପ ସମୟପରେ ସେମାନେ କୋଣାର୍କ ଛାଡ଼ି ଚାଲିଯିବେ । ତତଲା ବାଲିର କୂଳରେ ସେମିତି ଠିଆ ହୋଇଥିବ କୋଣାର୍କ । ଅନେକ ଭ୍ରମଣକାରୀ ଆସୁଥିବେ ଏବଂ ଯାଉଥିବେ । କୋଣାର୍କର ସ୍ଥିତି କିନ୍ତୁ ଅଚଳ । ସେ ଉତ୍କଳ ଚାରୁକଳାର ମୂକସାକ୍ଷୀ ।

ମଧୁଛନ୍ଦାକୁ ଇଙ୍ଗିତ ଦେଲା ଶ୍ରୀକାନ୍ତ ବସ୍ ପାଖକୁ ଯିବାପାଇଁ ।

 

ସମସ୍ତେ ବସ୍ ଉପରକୁ ଉଠି ସାରିଥିଲେ ।

 

ମଧୁଛନ୍ଦା ଭାବବିହ୍ୱଳ ଆଖିରେ ଆଗ ସିଟରେ ବସିଥିଲା ଓ ରାସ୍ତାକଡ଼ର ଗଛମାନଙ୍କୁ ଚାହିଁଥିଲା ।

 

ଶ୍ରୀକାନ୍ତ ବସ୍ ଭିତରେ ନୀରବ । ସାଙ୍ଗମାନେ ତା’ ସହିତ ଏଣୁତେଣୁ କଥାବାର୍ତ୍ତା କରୁଥିଲେ ।

 

ବସ୍ ଦ୍ରୁତଗତିରେ ଆଗେଇ ଚାଲିଲା ନନ୍ଦନକାନନ ଅଭିମୁଖେ ।

 

ଅପରାହ୍ନ ଦୁଇଟା ସୁଦ୍ଧା ସେମାନେ ପହଞ୍ଚି ଯାଇଥିଲେ ପିକ୍‍ନିକ୍ ସ୍ପଟରେ । ଦଳଦଳ ପିଲା ଯେ ଯାହାର ଇଚ୍ଛା ଅନୁଯାୟୀ ବୁଲିବାକୁ ବାହାରିଗଲେ ।

 

ରୋଷେଇ ପାଖରେ ସାହାଯ୍ୟ କରିବାକୁ ସାର୍‌ମାନଙ୍କ ସହିତ ରହିଗଲା ଶ୍ରୀକାନ୍ତ । ସବୁ ଯୋଗାଡ଼ କରିସାରିବା ପରେ ସେ ସାଙ୍ଗମାନଙ୍କୁ ଅନୁସରଣ କରି ଚାଲିଲା ।

 

ମଧୁଛନ୍ଦାର ସଜଳ ସ୍ମୃତିକୁ ସେ ଭୁଲିଯିବାକୁ ବାରମ୍ବାର ଚେଷ୍ଟାକଲା । ବିବ୍ରତ ହେଲା । ଏତେ ଶୀଘ୍ର ତା’ ମନରୁ ଲିଭିଲା ନାହିଁ ସ୍ମିତ ହସର ଦାଗ ।

 

ସେ ଯାଇ ଠିଆହେଲା ମହାବଳ ବାଘର ପଞ୍ଜୁରୀ ପାଖରେ । ପିଞ୍ଜରାବଦ୍ଧ ବାଘ ଶୋଇଚି କୁନି ପିଲାଟିପରି ।

 

ସେ ଉଠେଇବାକୁ ଚେଷ୍ଟାକଲାନି ।

 

ସୁପ୍ତବାଘ ଜାଗ୍ରତ ହେଲେ ହୁଏତ ଭୟଙ୍କର ରଡ଼ିରେ ପଞ୍ଜୁରୀର ଦ୍ୱାର ଭାଙ୍ଗିଦେଇପାରେ-। ସେ ନିଜ ଛାତିକୁ ଥାପୁଡ଼େଇ ଦେଲା ।

 

ତା’ ପେଟରେ ରଡ଼ ନିଆଁର କ୍ଷୁଧା ।

 

ଶ୍ରୀକାନ୍ତ ମନ ଭିତରେ ବାଘଟି ଚୁପ୍‌ଚାପ୍ ଶୋଇ ପଡ଼ିଚି । ସେ ଚାହୁଁନି ମଧୁଛନ୍ଦା ସହିତ କୌଣସି ସମ୍ପର୍କ । ତା’ର ହୃଦୟ ଖୁବ୍ ନିଷ୍ଠୁର । ଦର୍ଶନ ଭିତରେ ପ୍ରେମର ଯେମିତି କୌଣସି ସ୍ଵତନ୍ତ୍ର ସ୍ଥାନ ନାହିଁ ।

 

ହରିଣ ଛୁଆମାନେ ତାରାବାଡ଼ ଭିତରେ ଦୌଡ଼ାଦୌଡ଼ି କରୁଥିଲେ । ଅସ୍ତସୂର୍ଯ୍ୟର କିରଣ ଚିକ୍‌କଣ ଦେହକୁ ରଙ୍ଗେଇ ଦେଇଥିଲା । ଚଳଚଞ୍ଚଳ ତ୍ରସ୍ତ ଚାହାଣିରେ କନକନ ଦୌଡ଼ା ଖୁବ୍ ସୁନ୍ଦର ମାନୁଥିଲା ସେ ପଶୁମାନଙ୍କୁ । ତା’ ମନ ହରିଣ ଛୁଆପରି ହୋଇଗଲା ଓ ମୁହୂର୍ତ୍ତକ ଭିତରେ ଏପାଖ ସେପାଖ ଡିଆଁ ମାରିଲା ।

 

ଅଳ୍ପ ଦୂରରେ ଝିଅମାନଙ୍କର ହସ ଶୁଭୁଥିଲା । ସେମାନେ ଧଳା ମୂଷା ଛୁଆମାନଙ୍କର କୌତୁକ ଦେଖୁଥିଲେ ବୋଧହୁଏ ।

 

କିନ୍ତୁ ମଧୁଛନ୍ଦାର ସ୍ମିତ ହସପରି ସେମାନଙ୍କର ହସ ନ ଥିଲା । ମଧୁଛନ୍ଦାର ହସରେ ଥିଲା ଯାଦୁକାରୀ ମାୟା ।

 

ମଧୁଛନ୍ଦା ମନରେ ସେ କଷ୍ଟ ଦେଇଚି । କ’ଣ ପାଇଁ ? ତା’ର ବା କେଉଁ ଅଧିକାର ଅଛି ଗୋଟିଏ ଝିଅ ମନରେ କଷ୍ଟ ଦେବାର । ସେ ଭଲପାଇପାରିନି । ସେ ଠିକ୍ କରିଛି–ନିଜକୁ ନିଜେ ପ୍ରବୋଧୁ ଥିଲା ଶ୍ରୀକାନ୍ତ ।

 

ଶ୍ରୀକାନ୍ତ ଏକାକୀ ଠିଆ ହୋଇଛି ଓ ହରିଣମାନଙ୍କୁ ଦେଖୁଚି ।

 

ମଧୁଛନ୍ଦା ଆସୁଚି ତା’ ପାଖକୁ । ଶ୍ରୀକାନ୍ତ ଡରି ଯାଇଥିଲା ।

 

ମଧୁଛନ୍ଦାର ଅନାବିଳ ସ୍ନେହ ଶ୍ରୀକାନ୍ତର ହୃଦୟକୁ ମନ୍ଥି ଦେଉଥିଲା । ଶ୍ରୀକାନ୍ତ ବି ତା’ ପାଖକୁ ଆଗେଇ ଚାଲିଲା ।

 

ସେ ତାକୁ ଭଲପାଇପାରୁନି । ଏପରିକି ସେ କୌଣସି ଝିଅକୁ ବି ଭଲପାଇପାରିବନି ଅନ୍ତତଃ ଜଣେଇଦେବା ଥିଲା ତା’ର ଅଭିପ୍ରାୟ । ଏତିକି କହିବା ପାଇଁ ଯେମିତି ସେ ସାହାସ କରିପାରୁନି ।

 

ମଧୁଛନ୍ଦାର ମନ ବଗିଚା ଭିତରେ ସେ ପ୍ରଥମ ଫୁଲ କଢ଼ିଟିଏ ହୋଇ ଫୁଟିଛି । ଯେଉଁଥିପାଇଁ ମଧୁଛନ୍ଦାର ଏତେ ମୋହ ତା’ପ୍ରତି । ନିଜ ହାତରେ ନିଜର ଭଲପାଉଥିବା ବଗିଚା ଭିତରୁ ପ୍ରିୟ ଫୁଲଟିକୁ ସେ ନଷ୍ଟ କରିଦେବାକୁ ଚାହୁଁନି ।

 

ଶ୍ରୀକାନ୍ତ ମୁକ୍ତ ପକ୍ଷୀଟିଏ ପରି ଉଡ଼ିବାକୁ ଚାହେଁ । ମୁକ୍ତପକ୍ଷୀ ଚାହେଁନା ପିଞ୍ଜରାବଦ୍ଧ ହେବାକୁ ।

 

ସେ ପିଲାବେଳେ ଅନେକ ଗପ ଶୁଣିଚି । କେଉଁ ଦେଶର ରଜାଝିଅ ରଜାପୁଅକୁ ଭଲପାଇ ବସିଲା । ଦୁହିଁଙ୍କ ଭିତରେ ସମ୍ପର୍କ ଘନିଷ୍ଠ ହୋଇଗଲା । ରଜାପୁଅ ବାହାହେଲା ରଜାଝିଅକୁ-। ରଜାଝିଅ ପ୍ରେମରେ ବାନ୍ଧିହୋଇ ଫେରିପାରିଲାନି ନିଜ ରାଜ୍ୟକୁ । ଶେଷରେ ବାପା’ ମା’ଙ୍କ ପାଖରୁ ସେ ଦୂରେଇଗଲା । ରହିଗଲା ବନ୍ଦୀଟିଏପରି ସେ ରଜାଝିଅ ପାଖରେ । ସାଙ୍ଗମାନଙ୍କଠାରୁ ପ୍ରେମ ସମ୍ପର୍କିତ ଅନେକ ଘଟଣା ସେ ଶୁଣିଚି । କିଏ କେଉଁଠି କେତେଥର ପରୀକ୍ଷାରେ ଖରାପ କରିଛି, କିଏ ଘରଦ୍ୱାର ବାପା’ମା’ ଛାଡ଼ି ଚାଲିଯାଇଛି, ପୁଣି କାହାର ଭବିଷ୍ୟତ ସମୟ ଦୁଃଖର ଦରିଆରେ ଡୁବି ଯାଇଛି, ସେ ସବୁର ଦୃଷ୍ଟାନ୍ତ ସେ ପାଇଚି ।

 

ତା’ର ବାପା, ବୋଉ ଓ ପରିବାରକୁ ସେ ଖୁବ୍ ଭଲପାଏ । ସେ ଚାହେଁନା ଘରର ସମସ୍ତଙ୍କୁ ଛାଡ଼ି ଏମିତି ଏକ ଝିଅର ଭଲପାଇବା ଭିତରେ ଛନ୍ଦି ହୋଇ ରହିବାକୁ । ସେ କାହାକୁ ଭଲପାଇବନି–ଭଲପାଇପାରିବନି ବି ।

 

ମଧୁଛନ୍ଦାର ଅନେକ କାତୋରକ୍ତି ଭିତରେ ତା’ର କୌଣସି ସ୍ୱୀକାରୋକ୍ତି ନ ଥିଲା ।

 

ସେ ଫେରିଆସିଥିଲା ପିକ୍‌ନିକ୍ ସ୍ପଟ ଉପରକୁ ।

 

ପିକ୍‌ନିକ୍ ପରେ ସମସ୍ତେ ଫେରିଥିଲେ କଲେଜକୁ । ମଧୁଛନ୍ଦା ସହିତ ଆଉ ସାକ୍ଷାତ ହୋଇନଥିଲା ଶ୍ରୀକାନ୍ତର । ସେଦିନର ପିକ୍‌ନିକ୍‍ର ସଫଳତା ପାଇଁ ସାଙ୍ଗମାନେ ଖୁବ୍ ପ୍ରଶଂସା କରିଥିଲେ ଶ୍ରୀକାନ୍ତ କାର୍ଯ୍ୟ ଦକ୍ଷତା ପାଇଁ । ହିପ୍ ହିପ୍...ହୁରେ-ରେ ବାୟୁମଣ୍ଡଳ ପ୍ରକମ୍ପିତ କରିଥିଲେ । ଶ୍ରୀକାନ୍ତ ସାଙ୍ଗମାନଙ୍କୁ ଅଭ୍ୟର୍ଥନା ଜଣାଇଥିଲା ଚା’ ପାର୍ଟିରେ, ହୋଟଲ୍‌ର ଡିନରରେ ।

 

ସେଇ ସାଙ୍ଗମାନେ ଆଜି ତା’ପାଖରେ କେହି ନାହାନ୍ତି । ସମୟ ବଦଳି ଯାଇଚି–ସବୁ ଓଲଟ ପାଲଟ ହୋଇଯାଇଚି ।

 

ସେ ବର୍ତ୍ତମାନ ନିଃସ୍ଵ ହୋଇଯାଇଚି, ଗରିବ ହୋଇଯାଇଚି ।

 

ତା’ପାଖରେ ଆଗପରି ଟଙ୍କା ନାହିଁ । ମନ ଭାଙ୍ଗିପଡ଼ିଚି ।

 

ଅତୀତ ତା’ପାଇଁ ମୃତ । ଭବିଷ୍ୟତ ହୋଇଚି ଅନ୍ଧକାର । ବର୍ତ୍ତମାନର ସ୍ଥିତି ସ୍ଥାପକତାରେ ସେ ସଂକୁଚିତ ।

 

ଏ ଥିଲା ଦୁଇବର୍ଷ ପୂର୍ବର ଘଟଣା । ଆଉ ତା’ପାଇଁ ମଧୁଛନ୍ଦା ଝୁରୁ ନ ଥିବ, କାନ୍ଦୁ ନ ଥିବ-। ସେ ହୁଏତ ବାହା ହୋଇସାରିବଣି । ସ୍ଵାମୀକୁ ନେଇ ଘରସଂସାର କରିବଣି । ସେ ଅନ୍ତତଃ ସୁଖୀ ହେଉ ।

 

ବ୍ୟକ୍ତିଗତ ଦାରିଦ୍ର୍ୟ ଓ ପରିବାର ପାଇଁ ମାନସିକ ଚିନ୍ତା ତା’ ଜୀବନର ପ୍ରଥମ ସୋପାନରେ ଏକ ପ୍ରତିବନ୍ଧକ । ସେ ଆଉ ଗୋଟିଏ ପାଦ ଆଗେଇ ପାରୁନି । ଦୁଇଟି ପାଦ ପଡ଼ିବା ପରେ ତୃତୀୟପାଦକୁ ଆଉ ତା’ପାଇଁ ଭୂଇଁ ନାହିଁ ।

 

ମେଘାଚ୍ଛନ୍ନ ଆକାଶରେ ନିଃସଙ୍ଗ ତାରକାଟିଏ ପରି ଜୁଳୁ ଜୁଳୁ ହେଉଚି ସେ ତା’ର ଇଲାକା ଭିତରେ ।

 

ବାପାଙ୍କ ମନରେ ଖୁବ୍ କଷ୍ଟ ହୋଇଥିବ । ବୋଉ ଚିଠି ଦେଇଥିଲେ ପୂର୍ଣ୍ଣମୀକୁ ଘରକୁ ଯିବା ପାଇଁ । ଦୁଆର ବନ୍ଧରେ ସେ ରାତି ପର୍ଯ୍ୟନ୍ତ ଅପେକ୍ଷା କରିଥିବ । ବାରମ୍ବାର ଦାଣ୍ଡକୁ ଅନାଉଁଥିବ-। ଭାରି ବ୍ୟସ୍ତ ହେଉଥିବ ।

 

ବାପା ଆଉ ଦାଦା–ଗୋଟିଏ ଗଛର ଦୁଇଟି ଶାଖା । ଏହି ଦୁଇଟି ଶାଖାରେ ପିଲାବେଳୁ ଦୋଳି ଲଗାଇ ଖେଳିଚି ଶ୍ରୀକାନ୍ତ । କେଉଁ ଅପ୍ରତ୍ୟାଶିତ ବାତ୍ୟାରେ ଭାଙ୍ଗିପଡ଼ିଚି ଗୋଟିଏ ଡାଳ । ଆଉ ଛିଡ଼ିଯାଇଛି ଏପର୍ଯ୍ୟନ୍ତ ଖେଳି ଆସୁଥିବା ଦୋଳି । ଏଇଠୁ ଆରମ୍ଭ ତା’ର ଦୁଃଖମୟ ଜୀବନର ଏକକ କାହାଣୀ ।

 

ଗାଁ ଭିତରେ ଘରଟିଏ । ଲୋକମାନଙ୍କର ଅନେକ ଭରସା ଥିଲା ଏ ଘର ପ୍ରତି । ସବୁ ତୁଟିଗଲା । ନିଜର ରକ୍ତ ପୁଣି ଅଲଗା ହୋଇଗଲା ନିଜ ପାଖରୁ । ତା’ଠାରୁ ନିଜର ବନ୍ଧୁମାନେ ଯେପରି ଦୂରେଇ ଗଲେ ପଡ଼ୋଶୀ ଘରର ଲୋକମାନେ ।

 

ଏ ଥିଲା ଲଜ୍ଜାଜନକ ଶ୍ରୀକାନ୍ତ ପାଇଁ । ସେ ଘରକୁ ଯାଇନାହିଁ, ଏପରିକି ଯିବ ନାହିଁ–ଏହି ତା’ର ପ୍ରତିଜ୍ଞା ।

 

ଗାଁଠାରୁ ସେ ଦୂରେଇ ଆସିଲା ମାନସିକ ସ୍ତରରେ । ପୁଣି ସହର–ଏକ ଅନାତ୍ମୀୟ ସହର-। ମନ ଦୂରେଇ ଯାଉଚି ସହରରୁ ।

ତା’ହେଲେ କେଉଁଠି ତା’ର ସ୍ଥିତି ? ତା’ପାଇଁ କେଉଁଠି ଅଛି ନୂତନ ପୃଥିବୀ ??

ସେ ସମସ୍ତଙ୍କଠାରୁ ନିଜ ଇଚ୍ଛାରେ ଦୂରେଇ ଆସିଛି । ଦିନଥିଲା, ସେ ଅନୂଢ଼ା କିଶୋରୀର ମନ ଅଙ୍ଗନରେ ଫୁଲପରି ଫୁଟି, କିଛି ମହକର ଫୁଆରା ଛୁଟାଇ ତାକୁ ଆମୋଦିତ କରିଥିଲା ନିଜ ଅଜ୍ଞାତରେ । ତରାପରି ଫୁଟିଥିବା ଫୁଲର କଢ଼ିଟି ବର୍ଷାଭିଜା ଅନ୍ଧକାର ଭିତରେ ହଜାଇଛି ନିଜର ସ୍ଥିତି-

ସେ ଆଜି ଅଜ୍ଞାତବାସ ଭିତରେ । ହୁଏତ କିଶୋରୀଟି ତା’ର ଭାବପ୍ରବଣ ମନ ଭିତରୁ ଲିଭାଇ ଦେଇଥିବ ତା’ର ସେଇ ଅତୀତ କ୍ଷତକୁ । ସେଦିନ ସେ ବୁଝିପାରିଲାନି କେତେ କଷ୍ଟ ପାଇଥିଲା ମଧୁଛନ୍ଦା.....

ପୁଣି ନିଜକୁ ନିଜ ଅକ୍ତିଆର ଭିତରକୁ ନେଇ ଆସିଲା ଶ୍ରୀକାନ୍ତ । କାହିଁକି ପୁନଶ୍ଚ ସେ ଲିଭିଯାଇଥିବା କ୍ଷେତକୁ ଉଣ୍ଡାଳି ଖୋଜୁଚି ?

ସବୁ ଦୁଃଖକୁ ମନେପକାଇ ବେଶୀ କଷ୍ଟ ପାଇବା ମଣିଷର ପ୍ରକୃତି । ଟିକିଏ କଷ୍ଟରେ ସେ ଗୋଟେଇ ଆଣେ ଘଟିଯାଇଥିବା ସବୁ କଷ୍ଟକୁ । ସବୁକୁ ମିଶେଇ ସେ ଦୁଃଖର ପାହାଡ଼ ଉପରେ ଠିଆହୋଇ ଅନ୍ୟମାନଙ୍କୁ ଦେଖେ । କିଏ କେମିତି ଅଛି–ଅନ୍ୟମାନଙ୍କୁ ପରଖେ । ସେ ଯେମିତି ବୁଝେ, ତା’ଛଡ଼ା ସଂସାରରେ ସମସ୍ତେ ସୁଖୀ । ଆଉ କେହି ବେଶୀ ଯାତନା ସହିପାରିବେନି ତା’ ବ୍ୟତୀତ । ସେଇଠି ଜୀବନ ପ୍ରତି ବିତୃଷ୍ଣା ଆସେ ତା’ର । ସେ କାନ୍ଦେ, ଅଧୀର ହୁଏ ।

ଶ୍ରୀକାନ୍ତ ନିଜକୁ ସେମିତି ଭାବୁଥିଲା ।

କିନ୍ତୁ ସେ ଚାହୁଁଥିଲା ଅନ୍ୟମାନେ ତା’ପରି ଏତେ ଦୁଃଖି ନ ହୁଅନ୍ତୁ ।

ଦର୍ଶନ ପାଠ ଉପରେ ତା’ର ଢେର ବିଶ୍ଵାସ ଥିଲା । ଋତୁଚକ୍ରର ଆବର୍ତ୍ତନ ଭିତରେ ଧୂ…ଧୂ…ଖରା ପରେ ବର୍ଷା ଆସିବ । ଆଦ୍ୟ ଆଷାଢ଼ ବର୍ଷିଯିବ ଅସରା ଅସରା ପାଣି । ପୁଣି ଶସ୍ୟକ୍ଷେତ୍ର ଶ୍ୟାମଳ ବର୍ଣ୍ଣ ଧାରଣ କରିବ । କାଶତଣ୍ଡି ଫୁଲ ହସିବ । ବସନ୍ତ ଆସିବ ଫୁଲର ପସରା ସଜାଇ । ଦିଗ୍‌ବିଦିଗରେ ଛୁଟିଯିବ କୁସୁମ ସୁବାସ । ତା’ ଜୀବନରେ ବି ପରିବର୍ତ୍ତନ ଘଟିବ । ଏଇ ଦୁଃଖର ଦରିଆ ଡେଇଁ ସେ ନୂତନ ଦିଗନ୍ତର ସନ୍ଧାନୀ ହେବ । ସୁଖୀ ହେବ ।

ଚୈତ୍ରର ପତ୍ରଝଡ଼ା ଥୁଣ୍ଟା ଗଛରେ ତା’ ଅବକ୍ଷୟ ଜୀବନର ଶେଷ ସ୍ମୃତିଫଳକ ସ୍ମରଣ କରାଇଦିଏ ମଧୁଚ୍ଛନ୍ଦାର ପୁଲକିତ ଆତ୍ମା ଭିତରୁ ପ୍ରକାଶ ପାଇଥିବା ଦରୋଟି ଭାଷା ।

ବାପା, ବୋଉ ଆତ୍ମୀୟତାର ରକ୍ତାକ୍ତ ଅବଶେଷ ।

ମଧୁଛନ୍ଦା–ଅଶାନ୍ତ ଝଡ଼ର ସ୍ତମ୍ଭିତ ଗୋଧୂଳି ।

ମଧୁଛନ୍ଦା, ବାପା, ବୋଉ, ପରିବାର ବର୍ଗର ଲୋକମାନେ, ଶ୍ରୀକାନ୍ତ, ଦୁଃଖ–ସମସ୍ତେ ଏକ ଏକ ସରଳରେଖା ।

ବନ୍ଧୁତ୍ଵର ଅହମିକା ଛଳନାର ବିଷାକ୍ତ କୁହୁଡ଼ି ।

ଆଗରେ ତା’ର ଦିଗନ୍ତ ବିସ୍ତାରି ପଥ । ଚାଲିବାକୁ ଅଛି ଅନେକ ବାକି ।

 

ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ, ତାରକାପରି ସେ ବଞ୍ଚିବାକୁ ଚାହେଁ ।

 

ଶ୍ରୀକାନ୍ତ ନିଶ୍ଚଳ ଭାବରେ କୋଠରୀ ଭିତରରେ ବସିଥିଲା ଓ ନିର୍ନିମେଷ ନୟନରେ ବାହାରକୁ ଚାହଁଥିଲା ।

 

କୁହୁଡ଼ିର ଘେର ଭିତରେ ଶୀତର ସକାଳ । ମାଟି ଭିତରକୁ ଭେଦି ନ ଥିଲା ଖରା । ସକାଳର ଚା’ ଖାଇ ସିଗାରେଟରେ ନିଆଁ ଧରାଇଲା ସେ । ଏଇଟା ସିଗାରେଟ ଖାଇବାର ଚତୁର୍ଥ ମାସ । ସେ ଭୀଷଣ ସିଗାରେଟ ଖାଉଚି । ଅସମ୍ଭବ ଭାବେ ଧୂଆଁ ପେଟ ଭିତରକୁ ଚାଲି ଯାଉଛି । ଆଖି ଟଳମଳ ହୋଇ ଆସୁଚି । ଭ୍ରୂକୁଞ୍ଚିତ କରି ସେ ଅନେକ ଶାନ୍ତି ପାଉଚି ।

 

ବେଡ଼‌୍ ଉପରେ ସେ ସେମିତି ବସିଚି । ଗୋଟିଏ ପରେ ଗୋଟିଏ ସିଗାରେଟରେ ନିଆଁ ଧରାଉଚି କ୍ରମାଗତ ଭାବରେ ।

 

ଏଇ ଏମ୍.ଏ. ପଢ଼ିବା ଭିତରେ ଶ୍ରୀକାନ୍ତ ବୁଝିଥିଲା ସେ ଅନେକ ବଦଳି ଯାଇଛି । ସେଇ ପୁରୁଣା ଦୁଃଖକୁ ଉପମଶ କରିବା ପାଇଁ ସେ ସମ୍ପର୍କ ରଖିଛି ସିଗାରେଟ ସହିତ, ଶୁଚିସ୍ମିତା ସହିତ ।

 

ଶୁଚିସ୍ମିତା ତା’ର ଝିଅ ସାଙ୍ଗ, ଶ୍ରେଣୀ ବାନ୍ଧବୀ । ପୂର୍ବ ମଣିଷଟିର ସ୍ଥିତି ସ୍ଵତନ୍ତ୍ର । ଶ୍ରୀକାନ୍ତ ନିଜକୁ ପୁଣି ଖୁବ୍‌ ଭଲପାଇଯାଇଛି । ସେଇ ପୁରୁଣା ଜାମା, ପ୍ୟାଣ୍ଟ୍‌କୁ ଇସ୍ତ୍ରୀକରି ସେ ଚକ୍ ଚକ୍ କରିଦେଇଚି । ଅନ୍ୟର ସ୍ଵରୂପ ଭିତରେ ନିଜର କାମନାର ସୁଅ ପ୍ରବାହିତ ।

 

ସେ ନିଜେ ଯାଇ ଶୁଚିସ୍ମିତା ସହିତ ପରିଚୟ ହେଲା । କାହିଁକି କେଉଁ ଦୁର୍ବଳ ମୁହୂର୍ତ୍ତରେ ସେ ତା’ପ୍ରତି ଆସକ୍ତ ହେଲା କେଜାଣି !

 

ଆସକ୍ତ ହେବାକୁ ଯାଉଥିବା ସେଇ ଦୁର୍ବଳ ମୁହୂର୍ତ୍ତଗୁଡ଼ାକ ଭଲଭାବରେ ମନେପକାଇ ସ୍ମୃତିକୁ ଆଣିବାର ଇଚ୍ଛା ନ ଥିଲା ଶ୍ରୀକାନ୍ତର ।

 

ସେ ନିଜକୁ ନିଜେ ସୁଖୀ କରାଇବା ପାଇଁ ଚେଷ୍ଟା କରୁଥିଲା । ପୂର୍ବର କଲେଜ ଜୀବନ ଆଉ ବର୍ତ୍ତମାନର ବିଶ୍ଵବିଦ୍ୟାଳୟ ଜୀବନ ଭିତରେ ହୁଏତ ଅନେକ ପାର୍ଥକ୍ୟ ହୋଇଯାଇଥିଲା । ଯାହା ଦେଖି ସେହି ପୂର୍ବର ସାଙ୍ଗମାନେ ଆଶ୍ଚର୍ଯ୍ୟାନ୍ଵିତ ହେଉଥିଲେ ।

 

ପୁରୁଣା ରଫୁ ପ୍ୟାଣ୍ଟ୍, ହାତର ମହୁରି ଫିଟି ଯାଇଥିବା ସାର୍ଟ ଓ ତା’ର ନୂତନ ପ୍ରେମିଲା ମନକୁ ଦେଖି ଶ୍ରୀକାନ୍ତକୁ କେହି ବିଶ୍ଵାସ କରୁ ନ ଥିଲେ । ଦୁଇବର୍ଷ ପୁର୍ବର ଶ୍ରୀକାନ୍ତ ସେ ଆଉ ନୁହେଁ ।

 

ଶୁଚିସ୍ମିତା ପାଖକୁ କାହିଁକି ତା’ ମନ ଟାଣି ହୋଇଗଲା ?

 

ଅତୀତର ସେଇ ଗୋରା ଚିବୁକ ଉପରେ କଳାଜାଇଟିଏ ବର୍ତ୍ତମାନର ଶୁଚିସ୍ମିତା ପାଖରେ-। ଅନଭିଜ୍ଞ ଶିଶୁସୁଲଭ ଚପଳତା ଭିତରେ ଶ୍ରୀକାନ୍ତ ନିଜକୁ ସମର୍ପି ଦେଇଚି ତା’ ମନ ନିକଟରେ-। କୌଣସି ଉତ୍ତରର ପ୍ରତ୍ୟାଶା ପାଇଁ ଅନେକ ସମୟରେ ଅପେକ୍ଷା ରଖୁଚି ଶୁଚିସ୍ମିତାକୁ-

 

ବ୍ୟଗ୍ର, ବ୍ୟାକୁଳ ମନନେଇ ସେ ବାରମ୍ବାର ଭେଟୁଚି ତା’ର ନିର୍ଦ୍ଧାରିତ ସ୍ଥାନରେ । କେତେକଥା ଆପେ ଆପେ ପାଟିରୁ ବାହାରି ଆସୁଛି । ନିଜକୁ ସଂଯତ କରି ଗପିବାର ସମସ୍ତ ଶକ୍ତିସାମର୍ଥ୍ୟ ସେ ହରାଇଚି ।

 

ଶୁଚିସ୍ମିତାକୁ ସେ ଭଲପାଉଚି, ଏଇଟା ତା’ର ଦୁର୍ବଳତା ।

 

ସାଙ୍ଗମାନଙ୍କର ପ୍ରତିଯୋଗୀତା ଭିତରେ ସେ ଜିତିଯାଇଛି । ଠିକ୍ ଭାବରେ ମନେପଡ଼ୁନି ପ୍ରଥମେ ସେ କେମିତି ଭେଟିଥିଲା ଶୁଚିସ୍ମିତାକୁ । କିନ୍ତୁ ସେ ପ୍ରଥମେ ଡାକି ଆଣିଥିଲା କ୍ଲାସ ଭିତରୁ ।

 

ଝିଅମାନଙ୍କ ସହ କଥାବାର୍ତ୍ତା ହେବାକୁ ତାକୁ ଯେତିକି ଲାଜ ଲାଗୁଥିଲା, ସେତିକି ଡର ମାଡ଼ୁଥିଲା ବି । ତଥାପି ନିଜର ପୌରୁଷତ୍ଵକୁ ଜାହିର କରିବା ପାଇଁ ସେ ଅନେକ ସମୟରେ ରାସ୍ତାରେ, କଲେଜ ଲନରେ ଭେଟୁଥିଲା ଶୁଚିସ୍ମିତାକୁ ।

 

ବାରମ୍ବାର ସେ ଦେଖିଚି ଶୁଚିସ୍ମିତାକୁ ବହୁ ଆଗରୁ । ହୁଏତ ଏମ୍.ଏ. ଶ୍ରେଣୀରେ ନାଁ’ ଲେଖେଇଲା ବେଳୁ । କିନ୍ତୁ ସେତେବେଳେ ଶୁଚିସ୍ମିତାକୁ ଦେଖି ତା’ ମନରେ କୌଣସି ଭାବାନ୍ତର ସୃଷ୍ଟି ହୋଇ ନ ଥିଲା । ନିଜର ପରିଧି ଭିତରେ ନିଜକୁ ଚଳାଇ ନେବାର ଚେଷ୍ଟା ସେତେବେଳେ ଥିଲା ତା’ର ମୁଖ୍ୟ । କିନ୍ତୁ ସେଇ ମୁହଁ, ସେଇ ଆଖି କେମିତି ତାକୁ ଭୁଲାଇ ଦେଲା ?

 

ନାରୀ କ’ଣ ମଣିଷକୁ ସୁଖୀ କରିପାରେ ? ମାନସିକ ଶାନ୍ତି ପାଇଁ ନାରୀର ଆବଶ୍ୟକତା କେତେ ଦୂର ଅଛି–ତା’ର ଦର୍ଶନଶାସ୍ତ୍ରରେ କାହିଁତ କେଉଁଠି ଲେଖାନାହିଁ ? ?

 

ସେ ନିଜକୁ ଜଣେ ନାରୀ ପାଖରେ ସଅଁପି ଦେଇଚି । ସିଏ ନ ବୁଝୁ ତା’ ମନର ଭାବ, ସେଥିକି ତା’ର ନଜର ନାଇଁ । ସବୁ ଅନୁଭବର କଥାକୁ ସେ ଅନ୍ତତଃ ଶୁଚିସ୍ମିତା ପାଖରେ ପ୍ରକାଶ କରିଦେଇ ଶାନ୍ତି ପାଉଚି । ସେତିକି ତା’ର ଯଥେଷ୍ଟ ।

 

କିନ୍ତୁ ଶୁଚିସ୍ମିତାକୁ ତା’ ମନ ପାଖରେ ନିଜର କରିବାକୁ ସେ ବହୁତ ଚେଷ୍ଟା କରିଚି । ସେ ଭାବିଚି, ଜୀବନରେ ଯାହାକୁ ସେ ଭଲପାଇବ, ମନପ୍ରାଣ ଦେଇ ଭଲପାଇବ । ନିଜର ମୃତ୍ୟୁ ପର୍ଯ୍ୟନ୍ତ ଚେଷ୍ଟା କରିବ ମନର ନାୟିକାକୁ ସୁଖୀ କରାଇବା ପାଇଁ । ସେଥିପାଇଁ ସେ ଅନେକ ସମୟ ଧରି ବିଭିନ୍ନ ଦର୍ଶନ ଧାରା ଉପରେ ଆଧାରିତ କଥାମାନ କହିଚି । ନାରୀ ପୁରୁଷର ସମ୍ପର୍କକୁ ନୈସର୍ଗିକ ଭାବେ ବର୍ଣ୍ଣନା କରିଚି ।

 

ତଥାପି ତା’ ବଦଳରେ ସେ କେବେ ଶୁଚିସ୍ମିତାଠାରୁ ମନ-କୋହଳା କଥା ପଦେ ଶୁଣି ପାରିନି । କେବଳ ଶୁଣିଚି “ଆଜି ବେଶୀ ବେଳଯାଏ କଥାବାର୍ତ୍ତା ହେଲେଣି, ତୁମେ କାଲି ଆସ ।’’

 

ଶ୍ରୀକାନ୍ତ ଫେରଆସିଚି ଆକାଶେ ଗ୍ଳାନି ମୁଣ୍ଡାଇ । ସେ ନିଜକୁ ସାନ୍ତ୍ଵନା ଦେଇଚି ପୁଣି କାଲିକି ଯିବ । ତାକୁ ବାରମ୍ବାର ବୁଝେଇବ । ବିଭିନ୍ନ କବି, ଦାର୍ଶନକଙ୍କର ଚିନ୍ତାଧାରା ପ୍ରୟୋଗ କରିବ-। ଆପେ ଆପେ ସବୁ ଠିକ୍ ହୋଇଯିବ ।

 

ସେ ନିଜକୁ ନିଜେ ବୁଝୋଉଚି । ହେଲେ ଛାତି ଭିତରଟା କୋରିବିଦାରି ହୋଇ ଯାଉଛି । ଆଖି କାନ୍ଦ କାନ୍ଦ ହେଲାବେଳେ ଓଠ ବରଡ଼ାପତ୍ରପରି ଥରୁଚି । ଆଉ ତ କେହି ନାହିଁ ପୋଛି ଦେବାକୁ ମନର ବେଦନା । କିଏ ବା ବୁଝିପାରିବ ତା’ର ମନର ଭାଷା । ସେ କଳ୍ପନା ଭିତରେ ଆସନ୍ତାକାଲିର ସ୍ଵପ୍ନ ଦେଖେ । ଗତକଥା ସବୁକୁ ଭୁଲିଯାଏ ନିମିଷକେ । ପୁଣି ଭଲପିଲାଟିଏ ପାଲଟିଯାଇ ନିଜ କାମରେ ମନୋନିବେଶ କରେ ।

 

ବିଛଣାରେ ଗଡ଼ପଡ଼ ହେଉଥାଏ । ଦୃଶ୍ୟପଟରେ ଭାସିଯାଏ ଶୁଚିସ୍ମିତାର ଛବି । ଘୁମନ୍ତ ଆଖି, ଧାର ନାକ, ହସିଲେ ଗାଲରେ ଭଉଁରିଟିଏ ହୋଇଯାଉଚି, ଦାନ୍ତଗୁଡ଼ାକ ଖୁବ୍ ସଫା ବଗ ତାର-ପରି, ଡଉଲଡାଉଲ ହାତଗୋଡ଼–ସାରା ଶରୀରଟି ତା’ ଆଖି ଆଗରେ ଦୁଶିଯାଏ । ସେ ନିର୍ବାକ୍‍ ହୋଇ ଆଖିମୁଦି ଅନୁଭବ କରୁଥାଏ ସବୁ ଅଙ୍ଗର ସ୍ପର୍ଶ । ବାରମ୍ବାର କଡ଼ ଲେଉଟାଇ ଏପଟ ସେପଟ ହେଉଥାଏ । ମନେ ମନେ ଖୁବ୍ ଖୁସି ହୋଇ ଆସନ୍ତାକାଲିକୁ ଅପେକ୍ଷା ରଖେ । ଅନେକ ବଡ଼ ହୋଇଯାଏ ରାତି ତା’ ଅନୁଭବରେ ।

 

ନିଦ ଲାଗିଯାଏ କ୍ରମଶଃ ।

 

ଖୁବ୍ ଶୀଘ୍ର ଆସନ୍ତାକାଲି ଆଜିରେ ପରିଣତ ହୋଇଯାଏ । ବସାଉଠା, ଖାଇବା, ପଢ଼ିବା ଭିତରେ ଶୁଚିସ୍ମିତାର ସ୍ଵପ୍ନ ।

 

ଯଥାରୀତି ଭାବରେ ଶ୍ରେଣୀଗୃହକୁ ଯାଏ ସେ । ଶ୍ରେଣୀଗୃହ ଭିତରେ ମୁହୂର୍ତ୍ତକ ମଧ୍ୟରେ ଖୋଜିଲା ଖୋଜିଲା ଆଖି ବୁଲିଆସେ । ଠିକ୍ ଜାଗାରେ ଦୃଷ୍ଟିଶକ୍ତି ନିବଦ୍ଧ ହୁଏ ।

 

ଶ୍ରୀକାନ୍ତ ମନଦିଏ କ୍ଲାସ ପଢ଼ାରେ । ସମୟଗୁଡ଼ାକ ତା’ପାଖରେ ବୋଝପରି । ଆଦୌ ଯେମିତି ଘଣ୍ଟା ଚାଲୁନି। ବାରମ୍ବାର ଘଣ୍ଟା ଦେଖି ଦେଖି ଚିଡ଼ି ଲାଗୁଚି ତାକୁ । କ୍ଲାସ ସରିଲା ପରେ ତା’ ସହିତ କଥାହେବ ।

 

ସାର୍ ଅନେକଥର କହିଲେଣି ସେ ଅନ୍ୟମନସ୍କ ରହୁଚି ବୋଲି । ସାର୍ ବୋଧେ କିଛି ଖବର ପାଇଯାଇଛନ୍ତି–ନ ହେଲେ ତା’ ଉପରେ ଏପରି ନଜର ରଖନ୍ତେ କାହିଁକି ? ଅନେକ ସମୟରେ ଶ୍ରୀକାନ୍ତର ସନ୍ଦେହ ହୁଏ ଅନ୍ୟମାନଙ୍କ ଉପରେ ।

 

ପ୍ରେମିକର ମନ ନେଇ ଯିଏ ଯାଏ ସେ ଅନ୍ୟମାନଙ୍କୁ ସନ୍ଦେହ କରେ । ଏପରିକି ନିଜର ଅନ୍ତରଙ୍ଗ ବନ୍ଧୁ ଯଦି କୌଣସି କାର୍ଯ୍ୟବଶତଃ ପ୍ରେମିକା ସହିତ ଆଲୋଚନା କରିଦିଏ, ପ୍ରେମିକର ମନ ପିତା ହୋଇଯାଏ । ଅନେକ ବେଦନା ପାଏ ସେ ତା’ ମନ ଭିତରେ ।

 

ଶ୍ରୀକାନ୍ତ ଠିକ୍ ଭାବରେ ଏହା ଅନୁଭବ କରିଥିଲା ।

 

କ୍ଲାସ ସରିଲା ପରେ ସେ ଠିକ୍ ଜାଗାରେ ଭେଟିଥିଲା ଶୁଚିସ୍ମିତାକୁ । ଆଗରୁ ଠିକ୍ କରିଥିବା ଅନେକ ଭାବାବେଗକୁ ସେ ମନ ଭିତରେ କ୍ରମାନ୍ଵୟ ଭାବରେ ସଜାଇ ଆଣିଲା ଓ ନିଜ ତରଫରୁ କହିବା ଆରମ୍ଭ କରିଦେଲା ।

 

“ତମେ ବହୁତ ଶୁଖି ଯାଉଚ କାହିଁକି ? ବେଶୀ ପଢ଼ାପଢ଼ି କଲେ ଦେହ ଏମିତି ଖରାପ ହୋଇଯାଏ । ଦେହ ପ୍ରତି ଯତ୍ନନେବା ଦରକାର ।” ପୁଣି–“କାଲି କେମିତି ପଢ଼ାପଢ଼ି କଲ–ଘରୁ କିଏ ଆସିଥିଲେ କି ନାହିଁ–ଏମିତି ଅନେକ କଥା ।’’

 

ଅତି ସଂକ୍ଷିପ୍ତ ଭାବରେ ଉତ୍ତର ଦେଇଦିଏ ଶୁଚିସ୍ମିତାକୁ । ସବୁ ଉତ୍ତର ଯେମିତି ଲାଗେ ସେ ବାଧ୍ୟବାଧକତାରେ କିଛି କହୁଛି । ବେଶୀ ସମୟ କଥା କହିବାକୁ ଯେମିତି ତା’ର ସମୟର ଅଭାବ ଘଟୁଛି ।

 

ଶ୍ରୀକାନ୍ତର ଉତ୍ସାହିତ ମନ ପାହାଚେ ପାହାଚେ ଦବିଆସେ । ଏମିତିକି ସେ ଆଉ ବେଶୀ କିଛି କହିବାକୁ ଭାବିପାରେନା । କିନ୍ତୁ ସେ ଚାହେଁ ଶୁଚିସ୍ମିତା ସବୁବେଳେ ଏମିତି ତା’ପାଖରେ ଠିଆହୋଇ ରହୁ । ସେ ସେମିତି କେବଳ ଚାହିଁ ରହିଥିବ ତା’ର ସମଗ୍ର ଦେହକୁ । ସେଥିରେ ବି ସେ ଅନେକ ଆନନ୍ଦ ପାଇବ ।

 

ଏତିକି ବି ସେ ପାଇପାରେନା । ଅବଶୋଷର ଲୁଣି ସମୁଦ୍ରରେ ତା’ର ସମସ୍ତ ଶବ୍ଦ ଆତ୍ମହତ୍ୟା କରନ୍ତି । ସେ ସବୁ ବୁଝେ, ପୁଣି ନିର୍ଜୀବ ହୋଇଯାଏ । ସବୁକୁ ଆଡ଼େଇ ଦେଇ ନୂଆ କିଛି କହିବାର ଆଳକରେ ।

 

ହେଲେ ଶୁଚିସ୍ମିତାର ଗୋଟିଏ କଥା–“ଅନେକ ଡେରି ହୋଇଗଲାଣି ।”

 

ଯିବାକୁ ତରତର ହୁଏ ସେ । ବାଧ୍ୟକରି ଅଟକେଇ ରଖେ ଶ୍ରୀକାନ୍ତ । ପ୍ରସଙ୍ଗ ପରିବର୍ତ୍ତନ କରି ବୁଲିଯିବା ପାଇଁ ଡାକେ ସେ । ଏମିତି ସବୁଦିନେ ସେ ଡାକେ । କିନ୍ତୁ ଦିନକ ପାଇଁ ତା’ କଥାର ସମ୍ମାନ ସେ ଶୁଚିସ୍ମିତାଠାରୁ ପାଇନି ।

 

ତଥାପି ତା’ର ଭରସା ଅଛି–ଏମିତି ଅନେକବାର ଡାକିବା ପରେ ସେ ହୁଏତ ଦିନେ ନା ଦିନେ ତା’ ସାଥିରେ ବୁଲିବା ପାଇଁ ଯିବ । ସାଥିହୋଇ ଜଳଖିଆ ଖାଇବେ । ଖୁସିଗପ ହୋଇ ରାସ୍ତାରେ ଚାଲି ଚାଲି ଫେରିବେ ।

 

ପ୍ରତିଦିନର କଷ୍ଟ ପରେ ଦିନେ କୃଷ୍ଣ ଦେଖାହେବ । ସେଇ ଦେଖାରେ ସେ ସବୁ ଦୁଃଖ ଭୁଲିଯିବ । କିନ୍ତୁ କଳ୍ପନା ଆଉ ବାସ୍ତବ ଭିତରେ ଥିବା ରାସ୍ତାର ଦୂରତ୍ଵକୁ ସେ କେବେ ମାପିନି । ଏମିତିକି ମାପିବା ପାଇଁ ଇଚ୍ଛା ପ୍ରକାଶ କରିନି । ତଥାପି ତା’ କଳ୍ପନା ପ୍ରସ୍ତୁତ ବାଟରେ ସବୁ କଣ୍ଟାକୁ ଫୁଲପରି ଭାବି ସେ ଚାଲିଚି । ପାଦରେ କ୍ଷତହୋଇ ରକ୍ତ ବାହାରିଲେ ବି ସେ ତାକୁ ଝାଳ ବୋଲି ପୋଛି ଦେଇଚି । ସବୁ ଦୁର୍ଗମପଥର ଦ୍ୱାର କଳ୍ପନା ପାଖରେ ଉନ୍ମୁକ୍ତ ।

 

ସେ ବାସ୍ତବତାକୁ ଏଇ ରୋମାଣ୍ଟିକ ପରିବେଶ ଭିତରେ ସମ୍ପୂର୍ଣ୍ଣ ଭୁଲିଯାଇଚି । କେତେ ପରିବର୍ତ୍ତନଶୀଳ ଏଇ ମଣିଷ ।

 

ନିଜକୁ ଯେତେ ପରିବର୍ତ୍ତିତ କରି ସମୟ ସହିତ ଖାପ ଖୁଆଇଲେ ବି ସେଇ ସମୟ ଚାଲିଯାଇଥାଏ ଦୂରକୁ, ଆଉରି ଦୂରକୁ । କେହି ମଣିଷ ହୁଏତ ପୂରାପୂରି ନିଜର ଇଚ୍ଛାଧୀନ ହୋଇ କାମ କରିପାରେନି । ସେ ହିଁ ସମୟର ଅଙ୍ଗୀକାରକୁ ସ୍ଵୀକାର କରେ ।

 

ଠିକ୍ ଭାବରେ ମନେପଡ଼ୁଚି ଶ୍ରୀକାନ୍ତର, ସେଦିନ ସକାଳଠାରୁ ଝଡ଼ିବର୍ଷା ଆରମ୍ଭ ହୋଇ ସାରିଥିଲା । ରିମ୍‌ଝିମ୍ ବର୍ଷାର ସୁଅରେ ରାସ୍ତାରେ ଚାଲୁଥିଲା ପାଣିର ସିଆର । ବର୍ଷାଭିଜା ଦେହରେ ସେ ଫେରୁଥିଲା ଷ୍ଟେସନରୁ ବସାଘରକୁ । ଗୋଟିଏ ଦିନ ସେ ବାହାରେ ରହିପାରିଲାନି । ବର୍ଷାର ସାନ୍ଦ୍ରତା ଭିତରେ ପୁଲକିତ ମନରେ ଉଙ୍କି ମାରିଲା ଶୁଚି ।

 

ବସା ଘରକୁ ଫେରବା ବାଟରେ ଗୋଡ଼ ଯାଇ ଠିକ୍ ଅଟକି ଯାଇଥଲା ଶୁଚିର ଭଡ଼ାଘର ପାଖରେ । ଭୀଷଣ ବର୍ଷା ଆରମ୍ଭ ହୋଇଯାଇଚି । ଦେହମୁଣ୍ଡରୁ ଟପ୍‌ଟାପ୍ ପାଣି ଖସି ପଡ଼ୁଚି । ଏଭଳି ଅଚାନକ ପରିସ୍ଥିତିରେ ସେ ଚାହୁଁନଥିଲା ସେଠାରେ ମୁହୂର୍ତ୍ତଟିଏ ଅପେକ୍ଷା କରିବାକୁ ।

 

ସମ୍ପୂର୍ଣ୍ଣ ରାକ୍ଷୀପୂର୍ଣ୍ଣିମାର ସଉକି ମଉଳି ଯାଇଚି ବର୍ଷା ଭିଜା ଅନ୍ଧକାରର ଦିନ ଭିତରେ । ଦାଣ୍ଡଘାଟ ଶୂନଶାନ୍ । ସମ୍ପୂର୍ଣ୍ଣ ଲୋକାରଣ୍ୟ ସହରଟି କୋଳାହଳ ଶୂନ୍ୟ ।

 

ସେ ଏକୁଟିଆ ବାରଣ୍ଡାରେ ଠିଆ ହୋଇଚି । ଅନେକ ଭାବନା, ଅସଂଖ୍ୟ ଭାବାନ୍ତର । ବର୍ଷା ଛାଡ଼ି ଯିବାକୁ ସେ ଅପେକ୍ଷା ରଖିଚି । ମନକୁ ମନ ପ୍ରଶ୍ନ ଆସୁଚି ବୋଧହୁଏ ସେ ଭୁଲ୍ କରିଚି ଏ ଘର ପାଖରେ ଅଟକି ଯାଇ ।

 

ଠିକ୍ ମନେପଡ଼ୁଥିଲା, ପୂର୍ବବର୍ଷ ଦିନକର ଡହକା ଖରାରେ ରାସ୍ତା କେମିତି କ୍ରମଶଃ ଶୋଇବାର ଉପକ୍ରମ କରୁଥିଲା ।

 

କାଁ, ଭାଁ କେମିତି ଗୋଟିଏ ଟ୍ରକ୍ କିମ୍ବା ବସ୍‌ର କର୍କଶ ସ୍ଵରରେ ଢୋଳାଉଥିବା ରାସ୍ତା ପୁଣି ସଚେତନ ହୋଇ ଉଠୁଥିଲା । ରାସ୍ତାକଡ଼ର ଗଛଗୁଡ଼ା ଝାଉଁଳି ପଡ଼ି ଦେଖାଯାଉଥିଲେ ମା’ ଛେଉଣ୍ଡ ପିଲାପରି ।

 

ସେ ଆଗକୁ ଆଗକୁ ପାଦ ପକାଇ ପୂର୍ବାପେକ୍ଷା ଦ୍ରୁତଗତିରେ ଚାଲିବା ଆରମ୍ଭ କରିଦେଲା-। ଜଳନ୍ତା ଖରାରେ ମୁହଁ ବିବର୍ଣ୍ଣ । ଥପ୍‌ଥପ୍ ଝାଳସବୁ କପାଳରୁ ନିଗିଡ଼ି ପାଟି ପର୍ଯ୍ୟନ୍ତ ବହି ଆସୁଥିଲା-। ଶୁଖିଲା ଓଠ ଉପରେ ଜିଭ ବୁଲାଇ ସେ ଝାଳର ସ୍ଵାଦୁ ବାରିବାକୁ ଚେଷ୍ଟା କରୁଥିଲା-

 

ତା’ର ଭାବନା ଶକ୍ତି ତୀବ୍ରବେଗରେ ବଢ଼ି ଚାଲିଛି । ହାତ ଘଣ୍ଟାକୁ କ୍ଳାନ୍ତି ଆଖିରେ ଚାହିଁଲା–ଦୁଇଟା ବାଜିବାକୁ ପନ୍ଦର ମିନିଟ୍ ବାକି ଅଛି । ଏକ ଦୀର୍ଘଶ୍ଵାସ ପକାଇ କପାଳରୁ ଝାଳସବୁ ବିଶି ଆଙ୍ଗୁଠିରେ ପୋଛିଆଣି ସେ ପିଚୁ ରାସ୍ତା ଉପରକୁ ଛାଟିଦେଲା । ଯେମିତି କେଇବିନ୍ଦୁ ରକତ କଳା ପିଚୁ ସହିତ ମିଶିଗଲା । ଏଥର ସେ କେମିତି ଟିକେ ଆଶ୍ୱସ୍ତ ଅନୁଭବ କଲା ।

 

ଏମିତି କେତେ ମଣିଷର ରକ୍ତ ଝାଳହୋଇ ଏ ମାଟିରେ ମିଶିଛି । କେତେ ହାତରେ ଫୋଟକା ହୋଇଛି ... ହାତ ବିଣ୍ଡି ହୋଇଯାଇଛି....ତଥାପି ବିରତି ଚାହିଁ ନାହାନ୍ତି ସେମାନେ । କାମ କରିଛନ୍ତି । ଏଇ ସେ ଚାଲୁ ଚାଲୁ କେଇ ବିନ୍ଦୁ ଝାଳ ନିଗିଡ଼ି ପଡ଼ିଲା । ପାଦକୁ ଅଳ୍ପ ଟିକେ କଷ୍ଟ ହେଲା-। କିନ୍ତୁ ସେମାନେ ତ ଏତେ କଷ୍ଟ ସହି କାମକରି ଚାଲିଥିଲେ । ସେମାନେ ତ ମଣିଷ ! ଠିକ୍‍ ଆମରିପରି ତାଙ୍କର ହାଡ଼, ରକ୍ତ, ମାଂସ, ମୁଣ୍ଡ ଅଛି–ଜୀବନ ଅଛି । ଏତେ କଷ୍ଟ…ଗୋଟିଏ ସାଧନା-

 

ଏଇ ପିଚୁ ରାସ୍ତାରେ ଯାଉ ଯାଉ ତା’ ଆଗରେ କେତୋଟି ମୁହଁ ଭାସିଗଲା । ପରିଚୟର ଆବଶ୍ୟକ ନ ଥିଲା । ପରିଚୟ–କୁଲି, ମୂଲିଆ, ମଜଦୁର ।

 

ବର୍ତ୍ତମାନ ମନେପଡ଼େ ସେଇ ନୁଆଁଣିଆ ଅର୍ଦ୍ଧ ଉଲଗ୍ନ ଚାଳଘର । ଚାଳରେ ଅଳନ୍ଧୁ ସବୁ ଝୁଲୁଛନ୍ତି ଚେମେଣିଆପରି । ବୁଢ଼ିଆଣୀର ଜାଲରେ ଘରଟି ବନ୍ଦୀ । ସାମ୍ନା ଚଉରାରେ ଥିବା ତୁଳସୀ ଗଛଟି ଶୁଖି ମରିଯାଇଛି । ଡାଙ୍ଗଟା ସେମିତି ଠିଆହୋଇ ଘରର ମାଟି ଝଡ଼ା କାନ୍ଥକୁ ଅନାଇଛି ଏକ କରୁଣ କଟାକ୍ଷରେ ।

 

କେତେବେଳୁ ସୂର୍ଯ୍ୟ ଅସ୍ତ ଗଲେଣି । ଧାରା ଶିରାବଣ ସେ ଦିନ କାହିଁକି ବସ୍ତିଆଡ଼କୁ ହଠାତ୍ ମାଡ଼ି ଆସିଲା । ତା’ ହୃଦୟରେ ଦୟା ମାୟା ନ ଥିଲା । ସନ୍ଧ୍ୟା ନ ହେଲେ ବି ଡିବିରିର ମିଞ୍ଜି ମିଞ୍ଜି ଆଲୁଅ ମଶାଣିରେ ଲିଭି ଆସୁଥିବା ଜୁଇଭଳି ଦିକ୍‌ ଦିକ୍‌ କରୁଥିଲା ସେ ଅପନ୍ତରା ଘର ଭିତରେ-। କୋହଲା ପବନରେ ଅବିରତ କାଶ ଶବ୍ଦ ପିଟିହୋଇ କଳା ମେଘ ଦେହରେ ବିଜୁଳିର ଝଲକ ସୃଷ୍ଟି କରୁଥିଲା ।

 

ବର୍ଷାପାଣି ଛୋଟିଆ ବସ୍ତିର ରାସ୍ତାକୁ ଧୋଇ ଦେଉଥିଲା । ରାସ୍ତା ଉପରେ ଠିଆହେଲେ ବି ଦୁଃଖର ନଈ ଭିତରେ ବର୍ଷାପାଣିର ଲହରୀଗୁଡ଼ିକ ଘର ଭିତରେ ଠିକ୍ ଭାବରେ ଦେଖାଯାଉ ଥିଲା-। ଜଳନ୍ତା ଚୁଲିରେ ପାଣି ପଶି ଯେଉଁ ଧୂଆଁ କୁଣ୍ଡଳୀ ସୃଷ୍ଟି କରୁଥିଲା, ତାହା ଦାରିଦ୍ର୍ୟର କୁହେଳିକୁ ଆକାଶ ପର୍ଯ୍ୟନ୍ତ ଠେଲି ନେଇ କଳାବାଦଲ ସହିତ ମିଶାଇ ଦେଉଥିଲା ।

 

ଅପରିଷ୍କାର ଜୀର୍ଣ୍ଣ, ଶୀର୍ଣ୍ଣ ଲୁଗାରେ ଆଖି ପୋଛୁ ପୋଛୁ ଗୃହିଣୀ ହାତଯୋଡ଼ି ଭଗବାନଙ୍କୁ ପ୍ରାର୍ଥନା କରୁଥିଲା–‘‘ମଣିଷକୁ ଦୁଃଖ ଓ କଷ୍ଟ ମଧ୍ୟରେ ପାଷାଣକର ପ୍ରଭୁ…ଦୁଃଖ ସହିବାର ବଳ ଦ୍ଵିଗୁଣିତ କର…ତୁମକୁ ପ୍ରାର୍ଥନା କରିବାର ସାହାସ ଦିଅ ।”

 

ସେ ଅପଲକ ଆଖିରେ ଚାହିଁ ରହିଥିଲା ଗୃହକର୍ତ୍ତ୍ରୀଙ୍କ ଯୋଡ଼ ହସ୍ତକୁ । ମଣିଷ ଯାହାକୁ ଘୃଣାକରେ, ପାଖରେ ବସେଇ ଦିଏନା, ସେଇ କୁଲିମାନଙ୍କର ଅର୍ତ୍ତଚିତ୍କାର ଯେପରି ତା’ର ହୃଦୟର ପ୍ରତ୍ୟେକ ତନ୍ତ୍ରୀଗୁଡ଼ିକୁ ଅବସାଦର ତୀକ୍ଷ୍ଣ ଛୁରିକାରେ ଖିନ୍‌ଭିନ୍‌ କରିଦେଇଚି । ଅସହ୍ୟ ଯନ୍ତ୍ରଣା ସେ ନିଜେ ହିଁ ଅନୁଭବ କରିପାରୁଚି ।

 

ରୋଗଣା ଗୃହକର୍ତ୍ତାଙ୍କର କାଶ ବଢ଼ି ଚାଲିଥିଲା । ବର୍ଷାର କାଲୁଆ ଥଣ୍ଡାରେ ପକ୍ଷପାତ ରୋଗୀପରି ହାତ ଉଠାଇ ଅଳସ ଭାଙ୍ଗୁଥିଲା ସେ । କର୍ଦ୍ଧମାକ୍ତ ରାସ୍ତାରେ ଆଗକୁ ଗୋଟିଏ ଗୋଟିଏ ପାଦ ପକାଇ ଫେରି ଆସୁଥିଲ ଶ୍ରୀକାନ୍ତ ।

 

ଏମିତି କେତେ ଜୀବନକୁ ବିଶ୍ଳେଷଣ କରି ସେ ନିଜ ଜୀବନ ସହିତ ମିଶାଇ ଦେଇ ଚାଲିଚି ।

 

ପଇସାର ଅଭାବ ପାଇଁ ଏତେ ବାଟ ଚାଲି ଚାଲି ଯିବାକୁ ପଡ଼ିବ । କ୍ଷତି କ’ଣ ? ତା’ପରି ତ ଏମିତି ଅନେକ ଲୋକ ଚାଲନ୍ତି । ସମସ୍ତେ କ’ଣ ଠିକ୍‌ ତାରି ଭଳି ? କେବଳ ଗରମ ଚାହା ଭିତରେ ନିଜକୁ ଓ ନିଜର ମୁହଁ ଭିତରେ ଥିବା ଅସଲି ଦାରିଦ୍ର୍ୟର ଛାପାକୁ ସେମାନେ ଦେଖନ୍ତି । କର୍ମକ୍ଳାନ୍ତ ଶରୀରରେ ଅସହ୍ୟ ଯନ୍ତ୍ରଣା–ଭଙ୍ଗାଘର ଭିତରେ ରହି ଜୀବନ ଯେ କଟାଏ ତା’ ଅପେକ୍ଷା ଚାଲିବାରେ କୌଣସି ବାଧା ନାହିଁ ।

 

ଏମିତି ଭାବନାର କୁହୁଡ଼ି ଭିତରେ ହଜିଗଲା ବେଳେ ସମୟ ଅବିରାମ ଗତିରେ ଚାଲିଚି । କାହିଁ ସେ ତ ବିଶ୍ରାମ ଚାହୁଁନି ? ସେ ତ ସମୟ ??

 

ବର୍ଷା ଅଳ୍ପ କମି ଆସିବା ପରେ ସେ ପାହାଚକୁ ଗୋଡ଼ଟିଏ ବଢ଼ାଇଚି ଓହ୍ଲାଇ ଆସିବା ପାଇଁ । କିନ୍ତୁ ପାଦଟା ଠିକ୍‌ ଭାବରେ ପାହାଚରେ ସମ୍ପୂର୍ଣ୍ଣ ଲଗିନି । ବାଁ ପାଦର ବୁଢ଼ା ଆଙ୍ଗୁଠି ସହ ଆଉ ଦୁଇ ତିନୋଟି ଅଙ୍ଗୁଳି ପାହାଚରେ ଲାଗିବା ମାତ୍ରେ କାହାର ଅନୁଦାତ୍ତ କଣ୍ଠ ସ୍ଵରରେ ସେ ପୁନଶ୍ଚ ଗୋଡ଼ ପଛକୁ ବୁଲିଯାଇଛି ଓ ସେହି ଚିହ୍ନା ମୁହଁର ଦୃଶ୍ୟ ଦେଖି ସ୍ତମ୍ଭିତ ହୋଇଯାଇଛି ।

 

ଶୁଚିର ଡାକରେ ସେମିତି ମୁଗ୍‌ଧ ଅନୁଭବ ନ ଥିଲା ।

 

ସେ ଶୁଚିର ମୁହଁକୁ ଅପଲକ ଆଖିରେ ଚାହଁଥିଲା । ମୁହଁର ସରସତା ମେଘୁଆ ପାଗର ନୀରସତା ଭିତରେ ଲଭିଯାଇଚି । ଅପ୍ରତିଭ ଭାବରେ ଶ୍ରୀକାନ୍ତ କଥା କହିବାର ଭଙ୍ଗୀ ହୁଏତ ପ୍ରସ୍ତୁତ କରୁଥିଲା ।

 

ଘର ଭିତରକୁ ଯିବା ପାଇଁ ଶୁଚି ଦେଇଥିଲା ନୀରବ ଇଙ୍ଗିତ ।

 

ଟାଉଏଲ୍‌ଟିଏ ହାତକୁ ବଢ଼ାଇ ଦେଲା ପୋଛି ହେବା ପାଇଁ ଓ ସେ ଚାଲିଗଲା ଆରପାଖ ଘରକୁ ।

 

କାନ୍ଥରେ ଝୁଲା ହୋଇଥିବା ଶୁଚିସ୍ମିତାର ବିଭିନ୍ନ ଢଙ୍ଗର ଫଟୋକୁ ସେ ନିରୀକ୍ଷଣ କରୁଥିଲା । କେଉଁଟିରେ ଡାହାଣ ପାଖରୁ ଫଟୋ ନିଆଯାଇଛି ତ କେଉଁଥିରେ ମୁହଁର ଛାୟା ନିଆଯାଇ ମୁହଁର ଗୋଟିଏ ପାଖ ଫଟୋ ଉଠିଚି । ବାସ୍ତବିକ ଭାବରେ ଶ୍ରୀକାନ୍ତ ଅନୁଭବ କରୁଥିଲା ସେ ମୁହଁର ଖୋଜିଲା ଖୋଜିଲା ସ୍ୱରୂପ । କିଏ ସିଏ–ଯାହା, ଖୋଜୁଚି ଏଇ ମୁହଁ । ସିଏ ନିଜେ ଯେ ଖୋଜିଲା ଜିନିଷ ହୋଇପାରିବ, ଏଥିକି ତା’ର ଆଦୌ ବିଶ୍ଵାସ ପାଉନି ।

 

କିଛି ସମୟ ପାଇଁ ସେ ନିଜେ ଭୁଲିଯାଇଛି ଯେ ସେ ସମ୍ପୂର୍ଣ୍ଣ ଓଦା ଓ ଅନ୍ୟ କାହାର ଡ୍ରଇଂ ରୁମରେ ବସିଛି ବୋଲି । ଆର ପାଖକୁ ଟଙ୍ଗା ଯାଇଥିବା ସେଇ ହସକୁଳି ମୁହଁରେ ଫୁଟି ଦେଖାଯାଉଥିବା ଦାନ୍ତ ଗୁଡ଼ାକରେ ସେ ନିଜର ପ୍ରତିଛବି ଦେଖୁଥିଲା । ସେଇ ପ୍ରତିଛବିଟି ଥିଲା ବିବର୍ଣ୍ଣ, ବିଷଣ୍ଣ ଓ ଗୋଧୂଳି ଆକାଶପରି ଅତ୍ୟନ୍ତ ଉଦାସ । ସେ ନିଜକୁ ଖୁବ୍‌ ଛୋଟ ମନେକଲା ।

 

ମନେପଡ଼ିଗଲା ଦିନକର ଘଟଣା । ସେ ଖୁବ୍‌ ଆସକ୍ତ ହୋଇପଡ଼ିଥିଲା ଶୁଚିସ୍ମିତା ପ୍ରତି । ଆଉ ବାଧ୍ୟବାଧକତାରେ ସେ ତାକୁ କ୍ଲାସପରେ ଅଟକେଇ ରଖିଥିଲା । ଅନେକ ଜରୁରୀ କାର୍ଯ୍ୟର ଛଳନାରେ ଶୁଚି ଚାହୁଁଥିଲା ଘରକୁ ଫେରିଆସିବା ପାଇଁ । କିନ୍ତୁ ସେ ଛାଡ଼ି ନ ଥିଲା ଏତେ ଶୀଘ୍ର ।

 

ଏଇ ରାସ୍ତା ଶୂନଶାନ୍‌ ହେଲେ ଝିଅଟାର କେତେ ଡର ଏକୁଟିଆ ରାସ୍ତାରେ ଯିବାକୁ । ପୁଣି ସାଙ୍ଗରେ ଛାଡ଼ିବାକୁ ଯିବାକୁ କହିଲେ ଯେମିତି ତାକୁ ଆହୁରି ଡର ଲାଗୁଚି ଲୋକମାନଙ୍କୁ । ସେଇଥିପାଇଁ ସେ କହିଥିଲା–‘‘ତମେ ଏଣିକି ଖୁବ୍ ଶୀଘ୍ର କଥା ସାରିବାକୁ ଚେଷ୍ଟାକର, କିମ୍ବା ଲେଖିଆଣି ମୋତେ ଦେଇଗଲେ ମୁଁ ଘରେ ପଢ଼ି ନେବି !’’

 

ଆଉ କିଛି କହିବା ପୂର୍ବରୁ ସେ ଚାଲି ଆସିଥିଲା । ଶ୍ରୀକାନ୍ତ ଚୁପ୍‌ ହୋଇ ଠିଆ ହୋଇଥିଲା ଖୁଣ୍ଟଟିକୁ ଧରି । କେବଳ ଚାହିଁଚି ତା’ ଯିବା ବାଟକୁ ।

 

ଶୁଚି ପାଦେ ପାଦେ ଆଗକୁ ଯାଉଚି । ତା’ ଚାଲି ଦେଖିବାକୁ ଖୁବ୍‌ ସୁନ୍ଦର । ବାଁ ପାଦ ଟେକିଲାବେଳେ ଅଣ୍ଟା ଡାହାଣ ପାଖକୁ ଢଳି ଆସେ, ପୁଣି ଡାହାଣ ପାଦ ପକେଇଲା ବେଳେ ଅଣ୍ଟା ବାଁ ପାଖକୁ ଢଳି ଆସେ । ସେ ଚାଲିଲେ ଅଣ୍ଟା ପାଖରୁ ଗୋଡ଼ ପର୍ଯ୍ୟନ୍ତ ଖୁବ୍‌ ସୁନ୍ଦର ଦେଖାଯାଏ । ବହି କେତୋଟିକୁ ଛାତି ଉପରକୁ ଆଉଜାଇ ଆଣି ସେ ଝୁଲି ଝୁଲି ଚାଲେ ।

 

ଶ୍ରୀକାନ୍ତ ମୁହଁ ଝାଉଁଳି ଆସିଲା । ଅଖି ଆଗରେ ସଫା ଫଟୋଗୁଡ଼ାକ ଝାଉଁଳି ଆସିଲା ।

 

କପ୍‌ ପ୍ଲେଟ୍‌ର ଶବ୍ଦରେ ସେ ମୁହଁ ଟେକିଲା ।

 

ହାତରେ ଦୁଇକପ୍‍ କଫିଧରି ଆଗରେ ଠିଆ ହୋଇଚି ଶୁଚି । ନୀଳ ଶାଢ଼ିଟିଏ ପିନ୍ଧି ସେ ପ୍ରତିମାପରି ଦେଖାଯାଉଚି । ବାରମ୍ବାର ନିରୀକ୍ଷଣ କରି ଦେଖୁଚି ସେ ବିସ୍ଫାରିତ ଚକ୍ଷୁରେ ।

 

ଶୁଚି ଅଳ୍ପ ହସି ଆଗରେ କଫିକପ୍‌ଟି ଥୋଇଦେଲା ।

 

କପ୍‌ଟିକୁ ଧରିବା ପୂର୍ବରୁ ଶୁଚିର ହାତଟି ଯଥା ସମ୍ଭବ ଟେବୁଲ ପାଖରୁ ଦୂରେଇ ଆସିଥିଲା ।

 

କଫିର ଉପରିସ୍ଥ ଫେଣରେ ଶୁଚିର ଅସଂଖ୍ୟ ମୁହଁ ।

 

ସେ ମୁହଁ ଟେକି ପୁନଶ୍ଚ ଚାହିଁଲା ।

 

ଶୁଚି ଓଠରେ ମଧୁଛନ୍ଦାର ସ୍ମିତ ହସ । କିନ୍ତୁ ତାହା ମଧୁଛନ୍ଦାର ହସପରି ପବିତ୍ର କି ନୁହେଁ ସେ ବିଷୟରେ ଶ୍ରୀକାନ୍ତ ଭାବୁଥିଲା ।

 

ଶୁଚିସ୍ମିତାର ମପାଚୁପା କଥା ହିତରେ ସେ ନିଜ ପ୍ରତି ନିଜେ ଅତ୍ୟନ୍ତ ବିରକ୍ତ ହେଉଥିଲା । ଅମାରପରି ପ୍ରଶସ୍ତ ତା’ର ମନ । ସବୁ ପୁରୁଷର ମନ ଠିକ୍‌ ଏହିପରି । ନାରୀ ପାଖରେ ମନର ସଂଗୋପନ ସମସ୍ତ ଭାବ ଓ ବେଦନାକୁ ସେ ସମର୍ପଣ କରିଦେବାକୁ ଚାହେଁ । ସେଥିରେ ସେ ପାଏ ଆତ୍ମସନ୍ତୋଷ । ନିଜକୁ ଉପେକ୍ଷା କରି ସେ ନିଏ ନାରୀର ଯନ୍ତ୍ର–ଯେମିତି ପୁରୁଷ ଜୀବନର ସାର୍ଥକତା ନାରୀର ସୁଖ ସୌହାର୍ଦ୍ଦ୍ୟ ଭିତରେ । ସେ ନିକଟରେ ହୁଏ ନାରୀର । କିନ୍ତୁ ନାରୀ ପଦ୍ମ ଫୁଲପରି ଘୁଞ୍ଚି ଘୁଞ୍ଚି ଯାଉଥାଏ ପୁରୁଷ ପାଖରୁ । ପୁରୁଷର ମନକୁ ଟାଣି ଟାଣି ନେଇଯାଏ ଅନେକ ଦୂର–ନିଷିଦ୍ଧ ଅଞ୍ଚଳ । ଯେଉଁଠୁ ଆଉ ଫେରିଆସି ପାରେନା ପୁରୁଷର ମନ । ସେତେବେଳେ ସେ ସ୍ଵେଚ୍ଛାଚାର ଶାସନ ଆରମ୍ଭ କରେ ସେହି ସରଳିଆ ମନ ଉପରେ ।

 

ନାରୀର ମନ ସଂକୁଚିତ ମୂଷାଗାତ ଭଳି । ଅନେକ କଷ୍ଟ;–ସେଇ ମନରୁ ଅକଳଙ୍କ କଥା ପଦିଏ ଶୁଣିବା । ଆହୁରି କଷ୍ଟ ସେଇ ମନର ଗଭୀରତା ମାପିବା । ହସି ଦେଲେବି ମନ ଭିତର ଘାଣ୍ଟି ଚକଟି ହେଉଥାଏ ଭିନ୍ନ ସ୍ୱରୂପରେ । ନାରୀ ଏକ ସଁବାଳୁଆ ହୋଇପାରେ । ଯହିଁରୁ ବିଭିନ୍ନ ସ୍ତର ଦେଇ ପ୍ରଜାପତିଟିଏ ଜନ୍ମ ହୁଏ ଓ ତା’ର ଚିତ୍ର ବିଚିତ୍ର ଡେଣା ଝାଡ଼ି ଉଡ଼ିବୁଲେ । ହାତରେ ପ୍ରଜାପତିଟି ଥିଲା ପର୍ଯ୍ୟନ୍ତ ସେ ହୁଏ ନିଜର । ଛାଡ଼ିଦେଲେ ପୁଣି ଉଡ଼ି ଉଡ଼ି ଚାଲିଯାଏ ଆଉ କାହା ବାଡ଼ି ବଗିଚାକୁ-। କିନ୍ତୁ ହାତରେ ଯେଉଁ ରେଣୁ ଲାଗିଯାଏ, ତାହା ହୋଇଯାଏ ଅନେକ ସ୍ମୃତିର କଣିକା । ଯାହାକୁ ନେଇ କଷ୍ଟ ପାଏ ପୁରୁଷ ।

 

ଶ୍ରୀକାନ୍ତ ହାତରେ ଲାଗିଚି ସେଇ ଲଘୁପକ୍ଷ ପ୍ରଜାପତିର ସ୍ମୃତିରେଣୁ । ପ୍ରଜାପତିଟି ଆପେ ଆସି ତା’ ହାତ ପାପୁଲିରେ ବସିଥିଲା । ସେ ଧରିଲାନି । ପୁଣି ସେ ଉଡ଼ି ଚାଲିଗଲା । ଶ୍ରୀକାନ୍ତ ଗୋଡ଼େଇ ଦେଲା ପ୍ରଜାପତିଟିକୁ ।

 

ଏବେ ସାରା ବଗିଚାରେ ଘୂରି ଘୂରି ସେ ପ୍ରଜାପତି ପଛରେ ଧାଇଁଚି । ଫୁଲର ବାସ ଆଉ ଚହଟୁନି । ପ୍ରଜାପତି ବସୁନି କୌଣସି ଫୁଲରେ । ସେ ଉଡ଼ୁଚି ଓ ବଗିଚା ସାରା ଖାଲି ଉଡ଼ି ଉଡ଼ି ବୁଲୁଚି । ବହୁ କଷ୍ଟରେ ହଠାତ୍‌ ଶ୍ରୀକାନ୍ତ ଧରି ନେଇଚି ତା’ର ଲଘୁପକ୍ଷକୁ । ପ୍ରଜାପତି ସ୍ଥିର ହୋଇନି । ତଥାପି ସେ ଛାଡ଼ିନି । କିନ୍ତୁ ଆଦୌ ପୋଷା ମାନିଲାନି ପ୍ରଜାପତିଟି । ସେ ଛାଡ଼ିଦେଲା । ତା’ ହାତରେ ଲାଗିଚି ସେଇ ରେଣୁଝରି । ସେ ଚାହିଁଚି ତା’ର କଅଁଳିଆ ଆଙ୍ଗୁଠିକୁ ଓ ଆଙ୍ଗୁଠିର ରେଖା ସବୁ ଗଣିବାରେ ଲାଗିଚି ।

 

ଶ୍ରୀକାନ୍ତ ଖୁବ୍‌ ଆଶ୍ଵସ୍ଥିକର ଅନୁଭବ କଲା । ଅନେକ ସମୟ ନୀରବତା ଭିତରେ ଦୁହେଁ କଫି ଖାଉଥିଲେ ।

 

କ୍ଷୀଣସ୍ଵରରେ ଶ୍ରୀକାନ୍ତ ପଚାରିଲା–‘ବାପା ନାହାନ୍ତି କି ?’ “ନାଁ । ବୋଉ ନାହାନ୍ତି ମଧ୍ୟ । ସେ କିଛିଦିନ ହେବ ତାଙ୍କ ଘରକୁ ଚାଲି ଯାଇଛନ୍ତି । ଆଉ ଭାଇ ତ କେଉଁଠି ବୁଲୁଥିବେ । ସକାଳ ପ୍ରହରରୁ ଯାଇଛନ୍ତି ଯେ, କେଉଁଠି ବସି ଚା’ ସିଗାରେଟ ଖାଇ ତାସ୍‌ ଖେଳି ଫେରିବେ ସନ୍ଧ୍ୟାବେଳକୁ-। ଏକେତ ଛୁଟିଦିନ । ସଇଙ୍କ ଅଫିସ ଛୁଟି । ପୁଣି ଏମିତି ପାଗ ଦେଖିଲେ ସେ ଏକୁଟିଆ ଘରେ ବସିବାକୁ ଆଦୌ ଭଲପାଆନ୍ତିନି । ତାଙ୍କର ସେଇ କ୍ଲାସମେଟ୍‌ ନୀରଦ ବାବୁଙ୍କ ଘରେ ଏମିତି ସେ ପ୍ରତ୍ୟେକ ଛୁଟିଦିନକୁ କଟେଇ ଦିଅନ୍ତି । ଦିନେ ଦିନେ ବି ନୁନ୍‌ ଓ ଡିନର ଖାଇ ଫେରନ୍ତି ରାତି ନ’ଟା ବେଳକୁ । ଅଫିସରେ ତ ଅନେକ ଫାଇଲ କାମ । ସବୁ ଦିନର ବୋର୍‍କୁ ସେ ଏକାଥରେ ଏମିତି ଆମୋଦ ଭିତରେ କଟେଇ ଦେବାକୁ ଚାହାନ୍ତି । ଘରେ ବା କାମ କ’ଣ ?’’ କହୁଥିଲା ଶୁଚି ।

ମଝିରେ ପୁଣି ଶ୍ରୀକାନ୍ତ କହିଲା–“ବାପା ଫେରିବେ କେତେବେଳେ ?’’

“ବୋଧହୁଏ ଫେରୁଥିବେ । ଅନେକ ବେଳୁ ଗଲେଣି । ଅବଶ୍ୟ ରେନିକୋଟ ନେଇ ଯାଇଛନ୍ତି । ଫେରିବାରେ ହୁଏତ କିଛି ଅସୁବିଧା ହେବନି । ଇନ୍‌କମ୍‌ ଟ୍ୟାକ୍‌ସର ଲୋକ ତ ! କେଉଁଠି କେଉଁ ଦୋକାନରେ ବସି ଗପୁଥିବେ ତ ଗପୁଥିବେ । କିମ୍ବା ଯଦି କେଉଁ ଚିହ୍ନା ଭଦ୍ରବ୍ୟକ୍ତିଙ୍କ ସହିତ ଦେଖା ହୋଇଥିବ ତ ଫେରିବାରେ ସାମାନ୍ୟ ବିଳମ୍ବ ହୋଇପାରେ ।”

ଶ୍ରୀକାନ୍ତ ଶୁଣୁଚି କେବଳ ।

ଏଇ କଥାଗୁଡ଼ାକ ସେ ଖୁବ୍‌ ଶୀଘ୍ର ଶୀଘ୍ର କହିପାରେ । ବାପା, ଭାଇଙ୍କ କଥା କହିଲାବେଳେ ସେ ଭାରି ଖୁସି ହୋଇଯାଏ ।

ଶ୍ରୀକାନ୍ତ ପ୍ରତି କଥାରେ ମଥା ହଲାଇ ସମ୍ମତି ସୂଚକ ଇଙ୍ଗିତ ଦେଉଥାଏ ।

କଥା ଶେଷ ହେବାର ପୂର୍ବ ମୁହୂର୍ତ୍ତରୁ ଶ୍ରୀକାନ୍ତ ଉଠି ଠିଆହେଲା ଫେରିଆସିବା ପାଇଁ । ବର୍ଷା କମି ଆସିଲାଣି । ସେ ଅନେକବେଳୁ ବସିଚି ଓଦା ଜାମା, ପ୍ୟାଣ୍ଟ୍‌ ପିନ୍ଧି । ଦେହ ଥଣ୍ଡା। ଥଣ୍ଡା ଲାଗିଲାଣି । ଦୀର୍ଘ ଏକଘଣ୍ଟା ହେଲା ସେ ନିରୋଳାରେ ବସିଚି ଶୁଚି ସହିତ । ଘରଟିରେ କେବଳ ଜଣେ ପୁରୁଷ ଓ ଜଣେ ସ୍ତ୍ରୀ ।

ଶୁଚି ଘରୋଇ ପ୍ରସଙ୍ଗ ଶେଷ କରି ଚାହିଁଲା ଶ୍ରୀକାନ୍ତକୁ । ଶ୍ରୀକାନ୍ତ ମୁହଁରେ ଅନେକ ଯୁଗର ବିଷାଦ ଭରି ରହିଥିଲାପରି ତାକୁ ଲାଗିଲା । ଆଉ ଶ୍ରୀକାନ୍ତ ଚାହିଁଥିଲା ଶୁଚି ପାଦର ନରମ ନାଲିରଙ୍ଗ ବୋଳା ନଖକୁ ।

ଆକସ୍ମିକ ଭାବରେ ଶୁଚି ପଚାରିଲା–“ଆଚ୍ଛା ଶ୍ରୀକାନ୍ତ ତମେ କେବଳ ମୋ ସହିତ କଥାବାର୍ତ୍ତା କର କାହିଁକି ?’’

ଏଭଳି ଏକ ଅଡ଼ୁଆ ପ୍ରଶ୍ନର ଉତ୍ତର ଦେବାକୁ ଶ୍ରୀକାନ୍ତ ନିଜକୁ ଦୁର୍ବଳ ମନେକଲା । କିଛି ସମୟ ସେ ନୀରବତା ଭିତରେ ଖୋଜି ବୁଲିଲା ସେହି ପ୍ରଶ୍ନର ଉତ୍ତର । ସତରେ, ଏତେ ବେଶୀ ଭାବରେ ସେ କାହିଁକି ତା’ ସହିତ କଥାବାର୍ତ୍ତା କରୁଛି । ପୁଣି ତା’ର ଅନୁପସ୍ଥିତିରେ ନିଃସଙ୍ଗ ଓ ଏକାକୀ ଅନୁଭବ କରୁଚି । କାହିଁକି..... ??

ଖୁବ୍‌ ତରତରରେ ପାଟିରୁ ବାହାରି ଆସିଲା–‘‘ତମେ ଖୁବ୍‌ ଭଲ ଲାଗ ବୋଲି ।’’‍‌

ଶୁଚି, କାହିଁକି ବେଶୀ ଭଲ ଲଗେ । ଏ ପ୍ରଶ୍ନର ବା ଉତ୍ତର କ’ଣ ହୋଇପାରିବ ! ଯାହାକୁ ଯାହା ଭଲ ଲଗେ ସେଠି କାହିଁକିର ମାନେ ଥାଏନା । ନିଜ ମନକୁ ସେ ଯୁକ୍ତିଦ୍ଵାରା ବାରମ୍ବାର ବୁଝାଇବାକୁ ଲାଗିଲା ।

‘‘ମତେ କ’ଣ ତେବେ ଭଉଣୀପରି ଭଲପାଅ ? ତେବେ ଆଜି ପୂର୍ଣ୍ଣମୀରେ ତମକୁ ରାକ୍ଷୀ ପିନ୍ଧାଇ ଦେଲେ କେମିତି ହୁଅନ୍ତା ।”

ଶ୍ରୀକାନ୍ତ ସେମିତି ଠିଆ ହୋଇଛି । ନର୍ବିକାର ଭବରେ ସେ କହିଲା–‘‘ତମକୁ ମୁଁ କେବେ ଭଉଣୀର ସ୍ନେହ ଦେବାକୁ ଚାହିଁନି କିମ୍ବା ଭଉଣୀପରି ଭଲପାଇବାକୁ ଇଚ୍ଛା କରିନି । ତେବେ ମୋର ବା କେଉଁ ଅଧିକାର ଅଛି ତମଠାରୁ ରାକ୍ଷୀ ଗ୍ରହଣ କରିବି ?’’

ପୁଣି ତା’ର ପ୍ରଶ୍ନ–‘‘ତେବେ କ’ଣ ଜଣେ ସାଙ୍ଗ ଭାବରେ ଭଲପାଅ ? ଯଦି ସାଙ୍ଗ ଭାବରେ ଭଲପାଉଥାଅ, ତା’ହେଲେ ତମର ତ ଅନେକ ସାଙ୍ଗ ଅଛନ୍ତି । ସେମାନଙ୍କୁ ମୋ’ପରି ଭଲପାଉନ କାହିଁକି ?”

“ସବୁ ସାଙ୍ଗକୁ ସମାନ ଅଧିକାରରେ ଭଲପାଇ ହୁଏନା । ପୁଣି ତମେ ତ ମୋର ସାଙ୍ଗ ବୋଲି ମୁଁ କେବେ ପରିକଳ୍ପନା କରିନି । ଗୋଟିଏ ସାଙ୍ଗକୁ କ’ଣ ଏତେ ପରିମାଣରେ ଭଲପାଇ ହୁଏ-! ସେମିତି ତମ ପାଖକୁ ମୁଁ ଦିନଟିଏ ନ ଆସିଲେ ଦୁଃଖକଷ୍ଟ ଭିତରେ ବୁଡ଼ି ରହୁଛି, ସେମିତି କ’ଣ ସମସ୍ତଙ୍କ ପାଇଁ ରହିବି ବୋଲି ତମେ ଭାବୁଚ !”

‘ତା’ହେଲେ ତମେ କ’ଣ ଭାବୁଚ ?’

ଏମିତି କିଛି ନିର୍ଦ୍ଦିଷ୍ଟ ଉତ୍ତର ନଥାଏ ଏପରି ପ୍ରଶ୍ନର । ତମେ ଅନ୍ତତଃ ଅନୁଭବ କର । ଅନୁଭବର ଜିନିଷକୁ କେହି କଥାରେ ବୁଝାଇ ପାରିବେନି ଶୁଚି ! ସବୁବେଳେ ଏମିତି ବାଧ୍ୟବାଧକତାରେ ଉତ୍ତର ଦେଇ ହୁଏନି !! କ୍ରମଶଃ ଥରି ଉଠୁଥିବା କଣ୍ଠରେ କହିଲା ଶ୍ରୀକାନ୍ତ ।

ସତରେ ୟା’ ଭିତରେ ଏମିତି କିଛି ଜଟିଳ ସମସ୍ୟା ରହିଚି ଯେ ଯାହାକୁ ଜାଣିପାରୁନି ଶୁଚି । ଯେମିତି ଏ ପ୍ରଶ୍ନ ସବୁ ମିଛିମିଛିକା ଲାଗୁଛି ଶ୍ରୀକାନ୍ତକୁ ।

ନାଁ, ଝିଅମାନେ ଏମିତି ଛଳନା କରି ସବୁକଥା ପୁରୁଷଠାରୁ ଜାଣିବାକୁ ଚେଷ୍ଟା କରନ୍ତି । ପୁରୁଷ ମୁହଁରୁ ନିଜର ପ୍ରଶସ୍ତି ଶୁଣିବାକୁ ଭଲପାଆନ୍ତି ସେମାନେ । ପୁରୁଷ ଯେତିକି ଅନୁଭବ କରେ ତାହାକୁ ଶବ୍ଦରୂପ ମାଧ୍ୟମରେ ଝିଅମାନେ ଶୁଣିବାକୁ ଜିଗର ଧରନ୍ତି । ଏଇଟା ନାରୀଙ୍କର ସ୍ଵଭାବ ।

ନାରୀ ଲଜ୍ଜାଶୀଳା ହୁଏ ସମାଜ ଆଗରେ, ଗୁରୁଜନଙ୍କ ଆଗରେ, ଅଚିହ୍ନା ଅପରିଚିତଙ୍କ ଆଗରେ । ନିଜଲୋକ ପାଖରେ ସେ ହୁଏ ପ୍ରଗଳ୍‍ଭା, ବଢ଼ନ୍ତା ନଦୀପରି ହୁଏ ତା’ର କଥାର ସୁଅ । ନଜେ ସୁଅ ପାଲଟି ଯାଇ ପୁରୁଷର ମନଡଙ୍ଗାଟିକୁ କେଉଁ ଅଥଳ ପାଣି ଭତରକୁ ଟାଣିନିଏ ଏବଂ ନିଜ ଆୟତ୍ତରେ ଡଙ୍ଗାଟିକୁ ରଖି ତହିଁରେ ସେ ବିଚରଣ କରେ । ସେଇଠି ସେ ଚାହେଁ ପୁରୁଷ ତା’ର ସଂଗୋପନ ଭାବଟିକୁ ତା’ପାଖରେ ପ୍ରକାଶ କରିଦେଉ ।

ଶ୍ରୀକାନ୍ତ ଆଉ କିଛି ନ କହି ଆଗକୁ ପାଦଟିଏ ପକାଇଲା ଫେରଆସିବା ପାଇଁ । ଆସନ୍ତାକାଲି ପୁଣି ଦେଖାହେବାର ସୂଚନା ଦେଇ ସେ ପଦାକୁ ବାହାରି ଆସିଲା ।

କ୍ଷିପ୍ର ଗତିରେ ସେ ରୁମ୍‌କୁ ଫେରିଆସୁଥିଲା ।

ସିଗାରେଟ ଜଳି ଜଳି ଆସୁଚି । ଅବିରତ ଭାବରେ ଶ୍ରୀକାନ୍ତ ଜଳି ଚାଲିଚି ।

ଜଳବାରେ ହିଁ ସେ ଆନନ୍ଦ ପାଉଚି । ଯନ୍ତ୍ରଣାବର୍ତ୍ତରେ ସେ ହୋଇଚି ଆନନ୍ଦର ସନ୍ଧାନୀ । ନିଜେ ଅନୁଭବ କରୁଚି ନିଜର କଷ୍ଟ, ଅନ୍ୟମାନଙ୍କୁ ନାହିଁ କଷ୍ଟ ଦେବାର ପ୍ରଚେଷ୍ଟା । ଦଗ୍‌ଧିଭୂତ ଆତ୍ମା ନେଇ ସେ ପରିକ୍ରମା କରୁଚି ନିଜର ପରିଧି । ଅସଂଖ୍ୟ ପୃଥିବୀର ଅସହ୍ୟ କଷ୍ଟରେ ପୂର୍ଣ୍ଣ ସେଇ ଗୋଲେଇ ।

ଦୁଃଖଦ ସମୟର ଅନୁଚିନ୍ତାକୁ ଅନ୍ତତଃ କିଛି ସମୟ ପାଇଁ ଭୁଲିଯାଇ ଅନ୍ୟକାମରେ ଆତ୍ମସ୍ଥ ହେବାର ଏକମାତ୍ର ପରିକଳ୍ପନା ଥିଲା ଶୁଚିସ୍ମିତା । ଯେଉଁଦିନ ସେ ଚିଠିଟିଏ ତା’ ପାଖରୁ ପାଇଲା, ପଢ଼ିବା ପୂର୍ବରୁ ହୃତ୍‌ପିଣ୍ଡର ସ୍ପନ୍ଦନ ବଢ଼ି ଯାଇଥିଲା । ଛଟା କରଣିଆ ଅକ୍ଷରରେ ଇଂରାଜୀର ଠିକଣା ଉପରେ ଆଖି ବୁଲାଉ ବୁଲାଉ ସେ ଅନେକ ସନ୍ଦେହ ଭିତରେ ପଡ଼ିଯାଇଥିଲା । କ’ଣ ଲେଖିଥିବ ସିଏ । ଖୋଲିବାକୁ ସାହାସ ହେଉ ନ ଥିଲା । ଏହି ସମୟତକର ଖୁସି ଆଉ ଅସାହସିକତା ଏକତ୍ର ଅବସ୍ଥାନ କରିଥିଲେ ଗୋଟିଏ ବିନ୍ଦୁରେ ତା’ ମନ ଭିତରେ ।

ଶ୍ରୀକାନ୍ତ ପ୍ରଥମେ ଚିଠିଟିଏ ଲେଖିଥିଲା । ସେମିତି କିଛି ଗୁରୁତର ନ ଥିଲା ଚିଠିଟି । ସେ ନିଜ ମନର ଆବେଗକୁ ସମ୍ଭାଳି ନ ପାରି ଚିଠିଟିଏ ଦେଇଥିଲା ।

ପ୍ରଥମ ଜୀବନ୍ତ ଚିଠିଟିର ଅକ୍ଷରର ଉଷ୍ଣତା ହୁଏତ ଶୁଚି ମାପିଥିବ । ପୁଣି ତା’ ଦେହର ଉଷ୍ଣତା ରୂପ ପାଇଥିବ ଏଇ ଚିଠିଟିର ଶବ୍ଦ ପୁଞ୍ଜରେ ।

ଗତିହୀନ ହୋଇ ଆସୁଥୁଲା ତା’ର ସ୍ଥିତିଶୀଳ ଦେହ । ଅନେକ କମ୍ପନ ଆଉ ସିତ୍କାର ଭିତରେ ସେ ଚିଠିଟିକୁ ଖୋଲିଲା ।

ସ୍ତମ୍ଭୀଭୂତ ହୋଇଗଲା ସେ । ଭାବିବାର ସ୍ଥାନ ଠିକ୍ ଥିଲା । କିନ୍ତୁ ସେ ସ୍ଥାନର ରୂପ ବଦଳି ଯାଉଥିଲା–“ତମକୁ ଅନେକ ଧନ୍ୟବାଦ ଶ୍ରୀକାନ୍ତ । ତମେ ଖୁବ୍ ସାହାଯ୍ୟ କରିଚ ଜାଣି ଖୁସି ହେଲି ନିଶ୍ଚୟ । ତମେ ମୋତେ ଚିହ୍ନିନ । ମୁଁ ଶୁଚିର ଭାଇ ଲେଖୁଚି । ତମ ପ୍ରଥମ ଚିଠିଟିରୁ ଯାହା ଜାଣିଲ, ହୁଏତ ତମେ ପୁଣି ଚିଠି ଦେବାକୁ ଇଚ୍ଛା କରିଚ । ମୋର ଅନୁରୋଧ ଆଉ ସେପରି କରିବନି ।”

ଚିଠିଟିକୁ ପଢ଼ିବାବେଳେ ଶ୍ରୀକାନ୍ତର ଦେଇ ଜଳିଯାଉଥିଲା । ଆଖିରୁ ଅଗ୍ନି-ସ୍ଫୁଲିଙ୍ଗ ନିର୍ଗତ ହେବାର ସୂଚନା ମିଳୁଥିଲା ।

ସେ ଚିଠିଟିଏ ଦେଇଥିଲା ଶୁଚି ପାଖକୁ । କିନ୍ତୁ ଅନ୍ୟଜଣେ ଖୋଲିବା ଯେ କେତେ ଦୁଃଖର କଥା, ସେ ଅନୁଭବ କରୁଥିଲା । ନିଜକୁ ଖୁବ୍ ଶକ୍ତ କରି ପୁନଶ୍ଚ ଚିଠିଟିଏ ସେ ଲେଖିଥିଲା ଶୁଚିର ଭାଇ ପାଖକୁ ।

ଚିଠିଟି ନିଜକୁ ବଞ୍ଚାଇବାର ଏକ ମାଧ୍ୟମ ଥିଲା । ସେ ବାଧ୍ୟ ହୋଇ ଲେଖିଥିଲା–“ଆପଣଙ୍କ ଆନ୍ତର୍ଦେଶୀୟ ପତ୍ର ଓ ଆପଣଙ୍କ ସହିତ ଏକ ସମୟରେ ପରିଚିତ ହେବାରୁ ଅତ୍ୟନ୍ତ ଖୁସି ଲାଗିଲା । କିନ୍ତୁ ଆପଣ ଯାହା ଲେଖିଛନ୍ତି ତା’ର କୌଣସି ଭିତ୍ତିଭୂମି ଥିବାପରି ବୋଧହେଉନି । ଏହା ଶୁଚି ସହିତ ମୋର ଆବେଗମୂଳକ ସମ୍ବନ୍ଧର ସୂଚନା ବୋଲି ନ ଭାବି ବାସ୍ତବବାଦୀ ସମ୍ପର୍କ ବୋଲି ଭାବନ୍ତୁ । ତେବେ ସବୁ ଠିକ୍ ହୋଇଯିବ । ପୁଣି ଚିଠିଟି ନିଶ୍ଚୟ ଶୁଚିର ଠିକଣାରେ ଯାଇଥିଲା । ଆପଣ ପଢ଼ିବା ପରେ ଉତ୍ତର ଦେଇଥିବାରୁ ଆପଣ ନିଶ୍ଚୟ ସ୍ଵାଗତଯୋଗ୍ୟ-। ରହୁଚି–”

ଚିଠିଟି ପାଇବା ପରେ ଆଉ କୌଣସି ଉତ୍ତର ମିଳି ନ ଥିଲା ଶୁଚିର ଭାଇଙ୍କଠାରୁ । ପ୍ରତିଦିନ ଯେଉଁ ଚିଠି ସବୁ ଆସୁଥିଲା ପ୍ରଥମେ ଶ୍ରୀକାନ୍ତ ପୋଷ୍ଟଅଫିସର ଷ୍ଟାମ୍ପରୁ ଅନୁମାନ କରୁଥିଲା ତାହା କେଉଁଠୁ ଆସିଥିବ ।

ଅନେକ ଦିନପରେ ସେ ଶୁଚିଠାରୁ ପାଇଥିଲା ଚିଠିଟିଏ । ନିର୍ଭୟରେ ଏଥର ସେ ଚିଠିଟିକୁ ଖୋଲି ଦେଇଥିଲା । ଆଉ ସେ ଲେଖିଥିଲା “ଯଦି ତୁମେ ଅପମାନିତ ହୋଇଥାଅ, ତେବେ ଯେକୌଣସି ପ୍ରକାରର ପ୍ରତିଶୋଧ ନେଇପାର ମୋ ଉପରେ ।’’ ପରେ ପରେ ଅବଶ୍ୟ ଶୁଚି ସହିତ ଦେଖା ହୋଇଥିଲା ।

 

କେଉଁ କାରଣରୁ ସମ୍ପର୍କର ଘନିଷ୍ଠତା ବଢ଼ିଯାଇଥିଲା, ତାହା ହୁଏତ ଦୁହିଁଙ୍କୁ ଠିକ୍ ରୂପେ ଜଣା ନ ଥିଲା । ଏହି ଘନିଷ୍ଠତା ଭିତରେ ତଥାପି ଏକ ବ୍ୟବଧାନ ରହି ଯାଇଥିଲା–ଯାହା ସବୁଦିନ ପାଇଁ ବ୍ୟବଧାନ ଆକାରରେ ରହିଗଲା ।

 

ଅନେକ ବୁଝାମଣା ଭିତରେ ସେଇ ବ୍ୟବଧାନଟା ରହିଗଲା ଅବୁଝା । ଶୁଚିସ୍ମିତାର ଖିଆଲ ମନକୁ ନେଇ ଆଉ ଖେଳିବାକୁ ଇଚ୍ଛା ହେଲାନି ଶ୍ରୀକାନ୍ତର । ଏକ ଅପୂରଣୀୟ କଷ୍ଟ ଭିତରେ ଦୂରେଇ ଆସିଲା ସେ ।

 

ଆଉ ବା କାହାକୁ ବିଶ୍ଵାସ କରି ବଞ୍ଚିହେବ ଏ ଦୁନିଆଁରେ । ଘରର ଦୟନୀୟ ପରିସ୍ଥିତି ଆଉ ନିଜର ଅଭାବ ଅନାଟନ ଭିତରେ ସେ ପଢ଼ିବାର ସମସ୍ତ ବଳକୁ ହରାଇ ବସୁଥିଲା । ଶେଷରେ ବିଶ୍ଵାସର ନଦୀବନ୍ଧ ଭାଙ୍ଗିଗଲା ପରେ ଏକ ବିରାଟ ପାଣି ଭଉଁରୀ ଭିତରେ ସେ ବୁଡ଼ିଯାଇଚି ।

 

ସେ ଅନେକ ଦୂରରେ ଘରଠାରୁ, ପରିବାରଠାରୁ ।

 

ସେ ଅନେକ ଦୂରରେ ବନ୍ଧୁମାନଙ୍କର ଅନାତ୍ମୀୟ ଜଗତରୁ ।

 

ସେ ଅନେକ ଦୂରରେ ଭଲପାଉଥିବା ଲୋକଟିଠାରୁ ।

 

ନିଜେ ହିଁ ସେ ନିର୍ବାସନ ଦଣ୍ଡ ବାଛି ନେଇଛି ନିଜ ବିଚାରରେ । ଏଣିକି ଦୁଃଖର ପର୍ବତଟିଏ ମୁଣ୍ଡ ଉପରେ ଟଳି ପଡ଼ିଲେ ଉଦ୍ଧାରିବାକୁ କେହି ନାହିଁ, କି ସୁଖର ଫୁଲତୋଡ଼ା ଆସିଲେ ଛଡ଼େଇ ନେବାକୁ କେହି ନାହିଁ । ଶ୍ରୀକାନ୍ତର ନିର୍ବାସିତ ଦ୍ଵୀପ ତା’ର ନିର୍ଜନ ବସାଘର । ପାଖାପାଖି ବି କୌଣସି ଘର ନାହିଁ । ସେ ହିଁ ସମ୍ରାଟ ସେହି ଘରର ଚାରିକାନ୍ଥ ଭିତରେ ।

 

ଛୋଟିଆ ଝରକାଟିରେ ସେ ଚାହୁଁଚି ବାହାରକୁ । ଆଉଥରେ ବାହାରର ଆଲୋକ ଦେଖିବା ପାଇଁ । କେତେ ସ୍ଵାଧୀନ ଏ ଆଲୋକ ! ନିଜ ଇଚ୍ଛାମତେ ଆସୁଚି, ପୁଣି ନିଜ ଇଚ୍ଛାମତେ ଚାଲି ଯାଉଚି । କେତେ ସ୍ଵାଧୀନ ଏ ପକ୍ଷୀଗୁଡ଼ାକ । ଉଡ଼ୁଛନ୍ତି, ବୁଲୁଚନ୍ତି,–କେହି ନାହାନ୍ତି ପଦେ କହିବାକୁ । ଦୁଃଖ ନାଇଁ, ଶୋଚନା ନାଇଁ–ଅନ୍ୟ ପାଇଁ ଈର୍ଷା ନାଇଁ ।

 

ଆଉ ଏଇ ମଣିଷ–ବୁଦ୍ଧିର ଦେଖାଏ । ଛଳନା ଭିତରେ ନିଜର ସ୍ଵରୂପକୁ ଲୁଚାଇ ରଖେ । ଅବିଶ୍ଵାସର ମୂର୍ତ୍ତିମନ୍ତ ବିଗ୍ରହ ଏଇ ମଣିଷ । ସେ ଭଲପାଇ ଶିଖିଚି । ପୁଣି ଶତ୍ରୁ ହୋଇ ଶିଖିଚି ।

 

ଦୂରରେ ବହି ଯାଉଚି ସରୁଆ ନଈଟିଏ । ଜଙ୍ଗଲିଆ ଦିଶୁଚି ତା’ର ସେପାଖ କୂଳ । ସୂର୍ଯ୍ୟ ଉଇଁଲେ ସେ ଜାଗାଟା ଖୁବ୍ ସୁନ୍ଦର ଦେଖାଯାଏ ତା’ ଘର ଭିତରୁ ।

 

ଏମିତି କେତୋଟି ଗୋଧୂଳି ସେ ସେଠି ଅତିବାହିତ କରିଛି । ବାଲିଗଦା ଉପରେ ବସି ନିଜର ମୁହଁକୁ ସେ ପାଣିରେ ଦେଖିଚି । ପବନରେ ପାଣି ଚହଲି ଯାଇଚି । ଆଉ ମୁହଁର ଛବି ବାରମ୍ବାର ଲିଭିଯାଇଚି ପାଣି ଭିତରେ । ମଣିଷର ମନ ସେଇ ହଲିଲା ପାଣିରେ ଦୁଶୁ ନଥିବା ମୁହଁପରି । ଆଉ ଯେତେବେଳେ ଦେଖାଯାଏ, ସେ କେତେ ଛଳନାପୂର୍ଣ୍ଣ ଜାଣିହୁଏ ସେତେବେଳେ ।

 

ଯେଉଁ ଅଶାନ୍ତ, ଅପୂର୍ଣ୍ଣ ମନନେଇ ସେ ଶୁଚି ପାଖକୁ ଯାଇଥିଲା, ପୁଣି ସେହିପରି ତାକୁ ଫେରିଆସିବାକୁ ପଡ଼ିଲା । ଅନେକ ଚେଷ୍ଟା କରିଥିଲା ଶ୍ରୀକାନ୍ତ ନିଜର ମନୋଭାବାକୁ ଟିକ୍‌ନିଖ୍ ଭାବରେ ବୁଝାଇ କହିବ ବୋଲି । କିନ୍ତୁ ସେଇ ଅପେକ୍ଷାରେ ଦିନଟା ପହଞ୍ଚିବା ପୂର୍ବରୁ ସେ ଫେରି ଆସୁଥିଲା ତା’ର ଅକୁହା କଥାର ପେଡ଼ିଟି ଧରି । ଯେତେବେଳେ ଶ୍ରୀକାନ୍ତ ଫେରୁଥିଲା ସେ ଶୁଣୁଥୁଲା ସମ୍ପୂର୍ଣ୍ଣ ଜୀବଜଗତ ତାକୁ ଯେମିତି ଉପହାସ କରୁଚି । ସେ ଯୁଆଡ଼େ ଦେଖିଲା ତାକୁ ସମସ୍ତେ ଚାହିଁଛନ୍ତି । ପବନରେ ଗଛଲତା ଦୋହଲୁଚି–ଯେମିତି ସାରା ପ୍ରକୃତି ମୁଣ୍ଡ ହଲାଇ ତାକୁ ବିଦ୍ରୂପ କରୁଚି ।

 

ସେ ହତବାକ୍ ହେଲାପରି ବସିଚି । ସନ୍ଧ୍ୟା ହେବାକୁ ଯାଉଚି । ହଠାତ୍ କବାଟି ଠକ୍ ଠକ୍ ଶବ୍ଦ ଶୁଣି ସେ ଖଟ ଉପରୁ ଉଠିଆସିଲା କବାଟ ପାଖକୁ ଓ ଦିଆ ଯାଇଥିବା ଝଞ୍ଜିରଟିକୁ ଖୋଲିଲା । ରୁମ୍ ଭିତରକୁ ପଶି ଆସିଲା କୁଟୁ ।

 

ଶ୍ରୀକାନ୍ତର କୌଣସି ପରିବର୍ତ୍ତନ ତଥାପି ହୋଇ ନ ଥିଲା ମନରେ । ସେ ଠିକ୍ ଭାବୁଥିଲା ହାରି ଯାଇଥିବା ଜୀବନରେ ଫେରିଆସିଥିବା କାହାଣୀ ।

 

କୁଟୁ ଚେୟାରଟିକୁ ଟାଣି ଆଣି ବସିଲା । ଶ୍ରୀକାନ୍ତ ପୁଣି ଫେରିଆସି ଖଟ ଉପରେ ନିଷ୍ପ୍ରଭ ମୁହଁରେ ବସିପଡ଼ିଲା । କଥା ନାହିଁ–ମୁହଁରେ ନାହିଁ ହସ ।

 

ଅନେକ ଦିନ ପୂର୍ବରୁ ସେ କୁଟୁ ପାଖକୁ ଚିଠି ଦେଇଥିଲା ଆସିବା ପାଇଁ । ଏତେ ଦିନର ପରାଜୟ ଭିତରେ ଜଣିଏ ବନ୍ଧୁଙ୍କୁ ସେ ମନ ଭିତରୁ ତଡ଼ି ଦେଇପାରିନଥିଲା । ସେଇ ବ୍ୟକ୍ତିଜଣକ ଥିଲା କୁଟୁ ।

 

ଶ୍ରୀକାନ୍ତର ପିଲାଦିନର ସାଙ୍ଗ, ସ୍କୁଲଠାରୁ ଆରମ୍ଭ କରି କଲେଜ ଜୀବନର ସାଥୀ, ସୁଖ ଦୁଃଖର ସାଙ୍ଗ । ଏପର୍ଯ୍ୟନ୍ତ ଶ୍ରୀକାନ୍ତ କିଛି ଲୁଚେଇ ରଖିପାରିନି କୁଟୁ ପାଖରେ । ସେ ସବୁକଥା ଜାଣିଚି । ସମବେଦନା ଜଣେଇଚି ।

 

ଅନେକଥର ସେ ବୁଝେଇଚି ଏମିତି ସବୁବେଳେ ଅନ୍ୟମନସ୍କ ନହେବା ପାଇଁ । “ଦେହ ଝଡ଼ି ଯାଉଚି, ସବୁବେଳେ ଅସୁସ୍ଥ, ପୁଣି ମାନସିକ ଭାବନା ଭିତରେ ସମୟ କଟେଇଲେ ବରଂ ବେଶୀ ଦେହ ଖରାପ ହେବ । ଏମିତି ସବୁ ସେ ବୁଝେଇବାରେ ଲାଗିଚି ।

 

ଶ୍ରୀକାନ୍ତ ଚୁପ୍ ହୋଇ ପିଲାଟି ପରି ବସିଚି ।

 

କେବଳ ହିତୋପଦେଶ ଶୁଣି ଶୁଣି ତା’ କାନ ଖରାପ ହୋଇଗଲାଣି । ସେ ଆଉ ମଣିଷର ସ୍ଵର ଶୁଣିବାକୁ ଇଚ୍ଛା କରୁନି । ଏହାଠାରୁ ବରଂ ଭଲ ସେ ଚାହେଁ ପଶୁପକ୍ଷୀ, ପ୍ରକୃତି କଥାବାର୍ତ୍ତା କରିବା ପାଇଁ । ବରଂ ଭଲ ତାଙ୍କରି ମେଳରେ ରହି ବଞ୍ଚିବା ।

 

ସେ ଚାହେଁ ମୃତ୍ୟୁର ଗାଢ଼ ଆଲିଙ୍ଗନ ଭିତରେ ନିଜକୁ ରଖିବା ପାଇଁ ।

 

ଅନେକ ବୁଝେଇବା ପରେ କିଛିଟା ଆର୍ଥିକ ସାହାଯ୍ୟ କରିବା ପାଇଁ ହୁଏତ କୁଟୁ ଚାହିଁଥିଲା । ସବୁଥର ପରି ଶ୍ରୀକାନ୍ତ ରଖି ନ ଥିଲା ତା’ର ସେ ଅନୁରୋଧ । ବାଧ୍ୟ କରି କୁଟୁକୁ ସେ ସେଠାରୁ ଫେରେଇ ଦେଇଥିଲା ।

 

କୁଟୁ ଥିଲା ଧନାଢ଼୍ୟ ବ୍ୟକ୍ତିର ପିଲା । ସାଥୀ ହୋଇ ସ୍କୁଲ ଜୀବନ ଭିତରେ ସେମାନେ ବିତାଇ ଦେଇଛନ୍ତି ଶୈଶବ । କିନ୍ତୁ ପରିବର୍ତ୍ତନଶୀଳ ସମୟ କେତେବେଳେ କାହାକୁ କେଉଁ ସ୍ତରକୁ ଟାଣି ଆଣୁଚି, ତା’ର ଇୟତ୍ତା ନାହିଁ । ଶ୍ରୀକନ୍ତ ଚାଲି ଆସିଚି ଖୁବ୍ ତଳକୁ। ମାନବିକତା ତା’ର ଏଇ ଗରିବତ୍ଵ ଭିତରେ କ୍ରମଶଃ ଲୁଚିଯାଇଚି, ଏଇ ମଣିଷ ଜାତି ଉପରୁ ବିଶ୍ଵାସ କମି ଆସୁଚି । ତଥାପି କୁଟୁ ତାକୁ ଛାଡ଼ି ପାରିନି । ସେ ଅନେକଥର ଆସିଚି ଶ୍ରୀକାନ୍ତ ପାଖକୁ । ଅନେକଥର ଆର୍ଥିକ ସାହାଯ୍ୟ କରିଚି । ସେଇ ସେତକ ଋଣକୁ ଶୁଝିବା ପାଇଁ ବି ସାକ୍ଷ ପାଇନି ଶ୍ରୀକାନ୍ତର । ଆଉ ସେ ଚାହିଁନି ତା’ର ଦୁଃଖକୁ ଅନ୍ୟ ଏକ ସାଙ୍ଗ ଉପରେ ଲଦି ଦେବାକୁ ।

 

ଘରର ଅନ୍ୟ ସମସ୍ତ ଲୋକଙ୍କଠାରୁ ଶ୍ରୀକାନ୍ତ ସମସ୍ତ ସମ୍ପର୍କ ତୁଟାଇ ଦେଇଚି ।

 

ବାପା, ବୋଉ ଓ ଆଉ ଘରେ ଥିବା ପାଞ୍ଚୋଟି ଭାଇ ଭଉଣୀ ଅଲଗା ହୋଇ ଆସିଛନ୍ତି ଦାଦା, ଖୁଡ଼ୀ ଓ ତାଙ୍କର ତିନୋଟି ପିଲାମାନଙ୍କଠାରୁ । ସୁଖ ସ୍ଵଚ୍ଛନ୍ଦରେ ଚଳି ଆସୁଥିବା ପରିବାରଟିର ଐକ୍ୟ ଧ୍ଵଂସ ହୋଇଯାଇଚି । ସେ ଘରେ ନାହିଁ ଆଉ ସ୍ନେହ ସରାଗ । କେବଳ ଗୋଟିଏ ପରିବାରର ଅନ୍ୟ ପରିବାର ପ୍ରତି ରହୁଚି ଈର୍ଷା ଓ ଶତ୍ରୁ ମନୋଭାବ ।

 

ତା’ ଆଖି ହିଂସ୍ର ହୋଇ ଉଠିଚି । ସେ ଆଉ ଅତୀତକୁ ଫେରି ଚାହିଁବାକୁ ଇଚ୍ଛା କରିନି । ଭବିଷ୍ୟତ ଅଛି ବୋଲି ତାକୁ ଆଉ କିଛି ଜଣାପଡ଼ୁନି । ସେ ବର୍ତ୍ତମାନ ଉପରେ ବଞ୍ଚିଚି । ବର୍ତ୍ତମାନ ହିଁ ତା’ର ସବୁ କିଛି ।

 

ସେ ଏକୁଟିଆ ଘରଟି ଭିତରେ ବସି ତା’ର ଦର୍ଶନଶାସ୍ତ୍ରକୁ ପୃଷ୍ଠା ପୃଷ୍ଠା ଖେଳାଇବାରେ ଲାଗିଚି । ଜୀବନ ସମ୍ବନ୍ଧରେ, ପ୍ରକୃତି ସମ୍ବନ୍ଧରେ ସେ ଫର୍ଦ୍ଦ ଫର୍ଦ୍ଦ ପଢ଼ି ଚାଲିଚି ।

 

ସମ୍ପର୍କ ମନର ବନ୍ଧନ । ଗୋଟିଏ ମନର ଭାବକୁ ଆଉ ଏକ ମନ ସହିତ ମିଳାଇ ପାରିଲେ ସେଠି ଛିଡ଼ା ହୁଏ ସମ୍ପର୍କର ସୌଧ । ଥରଟିଏ ସେ ସୌଧ ଭାଙ୍ଗିପଡ଼ିଲେ ଆଉ ତିଆରି କରି ହୁଏନା ଶତଚେଷ୍ଟା ସତ୍ତ୍ୱେ ବି ।

 

ମଣିଷ ପ୍ରବଞ୍ଚନାର ପ୍ରତୀକ । କିଛି ପାଇବା ଆଶାରେ ମଣିଷ ନିଜକୁ ଛଳନା ଭିତରେ ଲୁଚାଇ ରଖେ । ତା’ର ଇପ୍‌ସିତ ଜିନିଷ, ପାଇଗଲା ପରେ ସେ ଦୂରେଇ ଯାଏ ଅନ୍ୟ ନିକଟରୁ । ତା’ର ସ୍ଵାର୍ଥରେ ବାଧା ଆସିଲେ ସେ ହୁଏ ଶତ୍ରୁ । ସେ କେବେ ନାରୀର ରକ୍ତ ମାଂସ ଚାହିଁନି । ନାରୀର ମୂର୍ତ୍ତିଟିଏ ପାଇଁ ସେ ବ୍ୟାକୁଳତା ପ୍ରକାଶ କରିନି । ମଧୁଛନ୍ଦା ପାଖରୁ ସେ ସେଇଥିପାଇଁ ସେଦିନ ଦୂରେଇ ଆସିଥିଲା । ନାରୀ ପ୍ରକୃତି । ସେ ପ୍ରକୃତି ଭିତରେ ନିଜକୁ ହଜାଇ ଦେବାକୁ ଚାହିଁଚି । କିନ୍ତୁ ଉପଭୋଗ ଉଦ୍ଦେଶ୍ୟରେ ନୁହେଁ ସେ ପ୍ରକୃତି କୋଳରୁ ଜନ୍ମ ନେଇଥିବାରୁ ସେଇ ପ୍ରକୃତି କୋଳରେ ହିଁ ମିଶିଯିବାକୁ ଚାହେଁ ।

 

ମଧୁଛନ୍ଦା ତା’ ପାଖକୁ ଆସିଥଲା କେଉଁ ଶୀତ ସକାଳରେ ଶିଶିରଭିଜା ଏକ ସଦ୍ୟ ଫୁଟା କଇଁଫୁଲପରି । କିନ୍ତୁ ମଧ୍ୟାହ୍ନର ପ୍ରଚଣ୍ଡ ସୂର୍ଯ୍ୟକିରଣରେ ତା’ର ସମସ୍ତ ସୁବାସ ହରାଇ ସେ ମଉଳି ଯାଇଚି । ସେ ନିଜେ ରାତ୍ରିର ଅସଂଖ୍ୟ ତାରକା ଭିତରୁ ଗୋଟିଏ ଉଜ୍ଜ୍ଵଳ ତାରକା ପରି ଜାଜୁଲ୍ୟମାନ ହେଉଥିଲା । କିନ୍ତୁ ସକାଳର ଆଲୋକର ମହୋତ୍ସବ ଭିତରେ ସେ ତା’ର ସତ୍ତା ହରାଇ ବସିଛି ।

 

ମଧୁଛନ୍ଦା ଅଛି ଅନେକ ଦୂରରେ । ସେ ପତ୍ନୀ, ସେ ଜାୟା ପୁଣି ଜନନୀ ହୋଇ ସାରିଥିବ-। ହୁଏତ କୋଣାର୍କର ସେଇ ଅପାସୋରା ସ୍ମୃତିକୁ ସେ ମନରୁ ସମ୍ପୂର୍ଣ୍ଣ ପୋଛିଦେଇ ତା’ର କର୍ମମୟ ଜଞ୍ଜାଳ ଭିତରେ ବୁଡ଼ି ରହିଥିବ । ନିଜର ପିଲାକବିଲାଙ୍କୁ ଧରି ସଂସାର ମଣିଷ ପରି ବଞ୍ଚି ରହିଥିବ କିଛି ଆଶା ଓ ଆଶ୍ଵାସନା ନେଇ ।

 

ଦୀର୍ଘ ଦୁଇବର୍ଷପରେ ବି ଶ୍ରୀକାନ୍ତ ତାକୁ ଠିକ୍ ମନେ ରଖିଚି । କେତେ ନିଷ୍ଠୁର ସେ ହୋଇ ପଡ଼ିଥିଲା ସେଦିନ । ଥରଟିଏ ପଦିଏ କଥା କହି ସେ ତାକୁ ସୁଖୀ କରିପାରିନି ।

 

ବର୍ତ୍ତମାନ ଅସଂଖ୍ୟ ଜ୍ଵାଳା ଭିତରେ ସେ ପ୍ରଜ୍ଜ୍ଵଳିତ । ତା’ ଚାରିପାଖ ଶୂନଶାନ୍‌ । ସେ ନିଃସଙ୍ଗ, ଏକାକୀ ।

 

ନିଜକୁ ବଞ୍ଚାଇବାର ପ୍ରଚେଷ୍ଟା ଭିତରେ ଅନେକ ଜାତନା ।

 

ଏଇ ଜାତନା ଓ ଅତୀତ ସ୍ମୃତିର ମଝିରେ ଠିଆ ହୋଇଚି ଶୁଚି । ରୂପ ସୌନ୍ଦର୍ଯ୍ୟର ଲାବଣ୍ୟ ବିଗ୍ରହ । ସେ ଦିନ ସେ ତା’ର ସାମ୍ପୋକରା କେଶଗୁଚ୍ଛ ଉପରେ ହାତ ବୁଲାଉ ବୁଲାଉ କହିଥିଲା–“ତମେ ମୋ ପାଖକୁ ଆସିବା ନ ଆସିବା ତମ ଇଚ୍ଛା । ମୁଁ କିନ୍ତୁ କହିବିନି ତମେ ମୋ ପାଖକୁ ଆସ ବୋଲି ।” ସେତେବେଳେ ଶ୍ରୀକାନ୍ତର ଆଖି ଛଳଛଳ ହୋଇ ଆସିଥିଲା ।

 

ଏତେ ଭଲପାଇବା ଭିତରେ ଝିଅଟି ଥରକ ପାଇଁ ତା’ ଅନ୍ତରର ବେଦନାକୁ ଚିହ୍ନିବା ପାଇଁ ଚେଷ୍ଟା କରିନି ।

 

ସେ ଧନୀ ହୋଇପାରେ । ସୁନ୍ଦରୀ ହୋଇପାରେ । କିନ୍ତୁ ମଣିଷ ମନକୁ ବୁଝିବା କ୍ଷମତା ତା’ର ନାଇଁ ।

 

କଳାଶକ୍ତି ଭିତରେ ଘୃଣାର ସ୍ଥାନ ନାହିଁ । ଶ୍ରୀକାନ୍ତ ଘୃଣା କରିପାରିନି ଶୁଚିକୁ । ବରଂ ସେ ଦୂରେଇ ଆସିବାଟା ଠିକ୍ ମନେ କରିଚି ।

 

ସେ ଜାଣିଚି ମମତା ପାଇଁ ଭାବିବାକୁ ପଡ଼ିଥାଏ । ଜଣେ ଜଣକୁ ପ୍ରେମକରେ, ଭଲପାଏ, ନିଜର ସ୍ଵାର୍ଥ ପାଇଁ ।

 

ସେ ନିଜକୁ ଦୂରେଇ ଆଣିଚି ଶୁଚି ପାଖରୁ । ସବୁ ଦୁଃଖ ଓ ମାନସିକ ଅଶାନ୍ତି ଭିତରେ ସେ ଏକ ଅଶାନ୍ତ ଗ୍ରହ । ଦର୍ଶନର ଥିଓରି ଚର୍ଚ୍ଚା । ସବୁ ତା’ପାଖରେ ଭୁଲ୍ ପାଲଟି ଯାଇଚି ।

 

ସେ ଅନୁଭବ କରୁଚି କ୍ରମଶଃ ତା’ ଦେହ ହୋଇଯାଉଚି ଚଳତ୍ ଶକ୍ତିହୀନ । ଦୃଷ୍ଟିଶକ୍ତି ହୋଇ ଆସୁଚି ନିଷ୍ପ୍ରଭା । ଦୁନିଆଁଟା ତା’ ଆଗରେ ପରିବର୍ତ୍ତିତ ହୋଇଯାଇଚି । ସମସ୍ତେ ତା’ପାଇଁ ହୋଇ ଉଠିଛନ୍ତି ହିଂସ୍ର । କାହାର ଅଦୃଶ୍ୟ ହାତ ତା’ର ତଣ୍ଟି ପାଖକୁ ଲମ୍ବି ଆସୁଚି । ସେ ଖୁବ୍ ଜୋର୍ ପ୍ରୟୋଗ କଲା ସେ ହାତ ଦୁଇଟିକୁ ତା’ ବେକ ପାଖରୁ ଅଲଗା କରିଦେବା ପାଇଁ ।

 

ଶ୍ରୀକାନ୍ତର ହାତ ନରମ ହୋଇ ଆସିଲା । ସେ ଅଟକେଇ ପାରିଲାନି ହାତ ଦିଓଟିକୁ । ଅନ୍ଧାର ତା’ର ଚାରିପାଖ । ସେ କବାଟ ଖୋଲି ବାହାରକୁ ଆସିପାରିଲାନି । ସେଇ ଅଦୃଶ୍ୟ ଅନ୍ଧାରରେ ଘର ଭିତରେ ଖୁବ୍ ଦୌଡ଼ା ଦୌଡ଼ି କରି ବି ସେ ମୁକ୍ତ ହୋଇପାରିଲାନି ।

 

କ୍ଳାନ୍ତ ହୋଇ ଶେଷରେ ସେ ଆତ୍ମସମର୍ପଣ କଲା ଅଦୃଶ୍ୟ ଶକ୍ତି ନିକଟରେ । ମୁଣ୍ଡ ଭିତରଟା ତା’ର ଚକାଭଉଁରୀ ଖେଳିଲା ପରି ଲାଗିଲା । ଖଟ ଉପରେ କ୍ରମଶଃ ଆଖି ମୁଦି ହୋଇ ଆସିଲା ତା’ର ।

 

କିଛି ସମୟ ପୂର୍ବରୁ ଏକ ବିରାଟ ଚିତ୍କାର ପବନରେ ଭାସି ଭାସି ମିଶିଗଲା ଆକାଶ ଦେହରେ ।

 

ଅସରନ୍ତି ଭାବନା କାହିଁ କେତେ ଦୂରକୁ ଚାଲିଗଲେ ରାତ୍ରିର ମାୟାରେ । ସେ ଏକା ସମସ୍ତଙ୍କ ପରି । ଆକାଶ ଶୂନ୍ୟ ଓ ଶୂନ୍ୟ ଭିତରେ ଗୋଟିଏ ବିଛଣାରେ ସେ ଶୋଇଚି । ଚିରଞ୍ଜୀବୀ କ୍ଷୁଧା ସେଠି ନାହିଁ, ଭଲପାଇବାର ମାନେ ନାହିଁ, କେବଳ ଅଛି ଗୋଟିଏ ତନ୍ତୀରୁ ଫେରିଆସିଥିବା ସ୍ଵର ପୁଣି ସେହି ତନ୍ତୀରେ ମିଶିବାର ଲାଳସା ।

 

କ୍ଳାନ୍ତମୟ ଜୀବନର ଅବସାଦ ଘୁଞ୍ଚି ଘୁଞ୍ଚି ଯାଉଥିଲା ଦିଗ୍‌ବଳୟ ନିକଟିକୁ । ଚିର ବସନ୍ତ ସେ ଦିଗ୍‌ବଳୟ କୋଳେ ଥିବା ବନାନୀ । ସେଠି ନାହଁ ଆଖିରେ ହିଂସ୍ରତା, କ୍ଷୁଧିତଆତ୍ମା ଓ ରକ୍ତପିପାସୁ ମନ । ପତରର ସବୁଜ ଶିରାର ଆତ୍ମୀୟତା ଦୁଃଖ ନଈରେ ଡଙ୍ଗା ପରି ।

 

ନିର୍ଦ୍ଦିଷ୍ଟ ସମୟରେ ତା’ର ନିଦ ଭାଙ୍ଗିଗଲା । ସେ ଆଖି ଖୋଲିଲା ନିବୁଜ ଘର ଭିତରେ ଅନ୍ଧାରର ରାଜୁତି । ସେ ଥଣ୍ଡା ଅନୁଭବ କରୁଥିଲା । ସେଦିନ ବର୍ଷାରେ ଭିଜି ଭିଜି ଶୁଚିର ଭଡ଼ାଘର ପାଖରେ ଠିଆ ହୋଇ ଯେମିତି ସେ ଥଣ୍ଡା ଅନୁଭବ କରୁଥିଲା, ବର୍ତ୍ତମାନର ଶୀତ ତାହାଠାରୁ ଥିଲା ଭିନ୍ନ ରକମର । ତା’ ଦେହ ମୁଣ୍ଡରେ ସେ ହାତ ବୁଲାଇ ଆଣିଲା । ସବୁ ଠିକ୍ ଅଛି ।

 

ସେଇ ଖଟ ଉପରେ ବସି ସେ ଟେବୁଲ ଉଣ୍ଡାଳିଲା । ହାତ ଯାଇ ଠିକ୍ ପଡ଼ିଲା ସିଗାରେଟ ଖୋଳ ଉପରେ । ଆଉ ତିନୋଟି ସିଗାରେଟ ଅଛି । ଅନ୍ଧାରରେ ସେ ହାତ ମାରି ଅନୁମାନ କରିନେଲା । ତା’ ପାଖରୁ ଦିଆସିଲିଟିକୁ ଟେକି ଆଣିଲା ।

 

ସେ ଆଲୁଅ ଦେଖିବାକୁ ଇଚ୍ଛା କରୁନି । ଏମିତି ଅନ୍ଧକାର ଭିତରେ ସେ ରହିବାକୁ ଚାହେଁ । ନିଜର ଅସ୍ତିତ୍ଵକୁ ଅନ୍ଧାର ଭିତରେ ସେ ହଜେଇ ଦେବାକୁ ଚାହେଁ ।

 

ଅନ୍ଧାର...କଳା ନାଗର ତରଳା ବିଷପରି ଅନ୍ଧାର । ଏଇ ଅନ୍ଧାରର ବିରାଟତ୍ଵ ଭିତରେ ତା’ର ସ୍ଥିତି । ଅତ୍ୟନ୍ତ ନଗଣ୍ୟ । କବି ଆଉ ଲେଖକ ଜୀବନ ଭିତରେ ସେ ଅନ୍ଧାରକୁ ଅନେକଥର ସମୀକ୍ଷା କରିଚି । ଏଇ ଅନ୍ଧାରକୁ ଆଧାର କରି ଅନେକ କାବ୍ୟକବିତାଠାରୁ ଆରମ୍ଭ କରି ଉପନ୍ୟାସ ପର୍ଯ୍ୟନ୍ତ ପଢ଼ିଚି । କେହି ଠିକ୍ ଭାବରେ ଅନ୍ଧାରକୁ ଉପଲବ୍‌ଧି କରିପାରିନାହାନ୍ତି । ସେ ନିଜେ ବି ଠିକ୍ ଭାବରେ ବୁଝିପାରିନଥିଲା । କିନ୍ତୁ ନିଜର ବୁଝିବାର ଛଳନା ଭିତରେ ସେ ଅନେକ ଚିତ୍ରକଳ୍ପ, ପ୍ରତୀକ ଖଞ୍ଜି ଥିଲା । ଅନେକ ସିମିଲି ଓ ମେଟାଫର ଭିତରେ ନିଜର କଳ୍ପନାମୟ ଭାବକୁ ରୂପ ଦେଇଥିଲା ।

 

ଅନେକ ତଫାତ୍ ତା’ର କଳ୍ପନାମୟ ଅନ୍ଧାର ଆଉ ବର୍ତ୍ତମାନର ଉପଲବ୍‌ଧି ଅନ୍ଧାର ଭିତରେ ।

 

କଛି ସମୟ ପାଇଁ ଅନ୍ଧାର ଅପସରିଗଲି ତା’ ଆଖି ଆଗରୁ ।

 

ସେ ସିଗାରେଟରେ ନିଆଁ ଧରାଇଲା । ପୁନଶ୍ଚ ଅନ୍ଧାର ତା’ର ସିଟାରେଟର ନିଆଁ ଚାରିପାଖେ ।

 

ଖୁବ୍ ଜୋରରେ ସେ ସିଗାରେଟରେ ଟାଣ ଦେଲା । ଅନ୍ଧାର ଭିତରେ ଅସଂଖ୍ୟ ଶୂନ୍ୟ ଗୋଲେଇ ଭାସୁଛନ୍ତି ତା’ ଆଖି ଆଗରେ । ପ୍ରତ୍ୟେକ ଚଳମାନ, ଜୀବନ୍ତ, ଗୋଟିଏ ଗୋଟିଏ ଜୀବନର ଶୂନ୍ୟ ରୂପ ।

 

କଳ୍ପନାମୟ ଅନ୍ଧାର ବାସ୍ତବିକ୍ ଖୁବ୍ ସୁନ୍ଦର । ଶୁଚି କିମ୍ବା ମଧୁଛନ୍ଦାର ଘନକେଶଗୁଚ୍ଛଠାରୁ ଖୁବ୍‍ ସାନ୍ଦ୍ର ଏହି ଅନ୍ଧାର । ଦିନେ ସେ ଲୁଚି ଯିବାକୁ ଚାହିଁଥିଲା ଶୁଚିର ଘନକୃଷ୍ଣ କେଶଗୁଚ୍ଛରେ ଅନ୍ଧାର ଭିତରେ ଆଜି ସେ ଠିକ୍ ଅନୁଭବ କରୁଚି, କେତେ ପ୍ରୀତିଦାୟକ ସେଇ ଅନ୍ଧାରର ସ୍ପର୍ଶ ।

 

ବିଭତ୍ସ ଛଳନାମୟ ଆଲୋକଠାରୁ ଅନ୍ଧାରର ଆତ୍ମୀୟତା ଶତଗୁଣେ ଭଲ । କ୍ଷୁଧିତ ପ୍ରେତାତ୍ମାର ଗର୍ଜନ ଶୁଭେ ନାହଁ ଅନ୍ଧାର କୋଳରେ ସବୁ ଅଦୃଶ୍ୟ, ପୁଣି ମନ ଭିତରେ ସବୁ ଦୃଶ୍ୟ ।

 

ଏଇ ଅନ୍ଧାର ଭିତରେ ସବୁ ଦୃଶ୍ୟକୁ ହଜାଇଦେଇ ସେ ନିର୍ଭୀକ ଭାବରେ ଗୋଡ଼ କାଢ଼ିଲା ପଦାକୁ । ଘରର ବନ୍ଧ ଡେଇଁଲା ପରେ ସେ ନିଜକୁ ଖୁବ୍ ହାଲ୍‌କା ମନେ କଲା । ପାଦେ ପାଦେ ସେ ଆଗେଇ ଚାଲିଲା ରାସ୍ତା ଉପରକୁ ।

 

ଅସ୍ପଷ୍ଟ ଆଲୋକରେ ରାସ୍ତାକଡ଼ର କୋଠାଘର ସବୁ ନିଘୋଡ଼ ନିଦରେ ଶୋଇ ସାରିଥିଲେ । ଖୁବ୍ ଶାନ୍ତ ହୋଇଯାଇଚି ସାରା ସହର ରାତିର ଯାଦୁକାରୀ ସ୍ପର୍ଶରେ ।

 

ଠିକ୍ ଏହି ସମୟରେ ଗାଁ ହୋଇ ସାରିଥିବ ନିର୍ବେଦ ।

 

ଘରେ ହୁଏତ ସମସ୍ତେ ଶୋଇ ସାରିଥିବେ । ବୋଉ ଆଖିକୁ ନିଦ ନ ଥିବ ପୁଅ ଘରକୁ ଆସିନି ଅନେକ ଦିନରୁ । ପୁଅ ପାଖକୁ ତିନିମାସ ହେବ ଜମା ପଇସା ପଠାଯାଇ ପାରୁନି । ସେ ଚିନ୍ତା କରୁଥିବ କେମିତି ଏତେ ବଡ଼ ସହରରେ ରହୁଚି ଶ୍ରୀକାନ୍ତ । କେଉଁଠୁ ଆଉ ସେ ପଇସା ଆଣି ପାଠ ପଢ଼ୁଚି । ତା’ ଦେହ କେମିତି ଅଛି....ଇତ୍ୟାଦି । ପୁଣି ରାତି ଅ’ଧରୁ ଉଠି ଠାକୁରଙ୍କୁ ପୁଅର କଲ୍ୟାଣ ପ୍ରାର୍ଥନା କରୁଥିବ ‘ତା ଦେହ ଭଲରେ ରହୁ...ଦୁଃଖରେ ପାଠପଢ଼ି ମଧ୍ୟ ମଣିଷ ହେଉ ।’

 

ନ’ ବର୍ଷର ସାନଭାଇକୁ ଶ୍ରୀକାନ୍ତ ଖୁବ୍ ଭଲପାଉଥିଲା । ବର୍ଷେ ହେବ ଦେଖିନି ଆଉ ତା’ ସୁନ୍ଦର ସୁଠାମ ଚେହେରା କେତେ ବଡ଼ ହୋଇଯିବଣି ସେ ବର୍ଷକ ଭିତରେ । ଆଉରି କେତେ ଅଧିକା‌ ପାଠପଢ଼ି ଯିବଣି । ସେ ଘରୁ ଆସିଲାବେଳେ କହି ଆସିଥିଲା ଘରକୁ ଫେରିଲା ବେଳକୁ ତା’ପାଇଁ ଜାମା, ପ୍ୟାଣ୍ଟ ନେଇକରିଯିବ । ଦୀର୍ଘ ବର୍ଷେ ହେଲା ସେ ଆଉ ଫେରିନି ଘରକୁ ।

 

ମାସକୁ ମାସ ଯାଇ କିଛି କିଛି ଟଙ୍କା ଆସୁଥିଲା, ତା’ ବି ବନ୍ଦ ହୋଇଯାଇଚି ତିନିମାସ ହେବ । ଦିନରେ ଖାଇଲେ ରାତିରେ ପାଣି ପିଇବାକୁ ପଡ଼ୁଚି । କେଉଁ ଏକ ଔଷଧ ଦୋକାନରେ ସାମୟିକ ବିକ୍ରେତା ହୋଇଚି ସେ । ସେଇଠୁ ବା ପାଉଚି କେତେ ଟଙ୍କା ! ଘରକୁ ସାନଭାଇ ପାଇଁ କେମିତି ସେ ଜାମା, ପ୍ୟାଣ୍ଟ ପଠାଇ ପାରିବ ।

 

ସାନଭାଇଟି ତା’ର ଟିକି ଟିକି ଅକ୍ଷରରେ ଚିଠିଟିଏ ଲେଖି ପଠେଇଥିଲା । ସେ ଲେଖିଥିଲା ‘‘ନନା ତମେ କାହିଁକି ଯାଇଥିଲ ମୋ’ପାଇଁ ରଜକୁ ଜାମା ଆଉ ପେଣ୍ଟ ଆଣିବ ବୋଲି । ଆଇଲା ବେଳକୁ ନେଇକି ଆସିବ ।’’

 

ଅନେକଥର ଚିଠିଟିକୁ ପଢ଼ି ଲୁହ ଗଡ଼ାଇବା ବ୍ୟତୀତ ତା’ର ଅନ୍ୟ ଉପାୟ ନ ଥିଲା । ସେ ଅନେକ ଚେଷ୍ଟା କରିଚି ଚାକିରି ଖଣ୍ଡିଏ ପାଇଁ । ସେତିକି ବି ସେ ପାଇପାରିଲାନି । ବନ୍ଧୁମାନଙ୍କର ଅନୁଗ୍ରହାନୁ ଅପେକ୍ଷାକରି ବଞ୍ଚିବା ଅପେକ୍ଷା ସେ ସେଇ ଅବିଶ୍ଵାସର ସ୍ଥାନ ପରିତ୍ୟାଗ କରି ଅନ୍ୟ କେଉଁ ଏକ ନୂଆ ଜାଗାକୁ ଚାଲିଯିବା ପାଇଁ ମନସ୍ଥ କରିଥିଲା ।

 

ପେଟର ଭୋକକୁ ମନରେ ମାରି ରାସ୍ତାରେ ପାଦେ ଆଗେଇ ଚାଲିଚି । ନିଜକୁ ନିଜେ ଆଲୁଅରେ ଦେଖିବା ପାଇଁ ବି ଇଚ୍ଛା ହେଇନି ତା’ର । ଶୀଘ୍ର ଶୀଘ୍ର ଏ ଆଲୁଅର ରାସ୍ତା ପାର ହୋଇ ଗଲାପରେ ଆଉରି ଅନେକ ବାଟର ଅନ୍ଧାର ଅତିକ୍ରମି ତାକୁ ପହଞ୍ଚିବାକୁ ପଡ଼ିବ ଅନ୍ୟ ଏକ ଜାଗାରେ-

 

ସାନ ଭାଇର ଚିଠି କଥା ମନେପଡ଼ିଲା ବେଳକୁ ସକାଳୁ ପାଇଥିବା ଚିଠିଟି ବିଷୟରେ ସେ ସଚେତନ ହୋଇ ଉଠିଲା । ଆଜି ସକାଳୁ ଚିଠିଟିଏ ପାଇଥିଲେ ବି ବର୍ତ୍ତମାନ ସୁଦ୍ଧା ସେ ପଢ଼ି ପାରିନି । ଚିଠିଟିକୁ ପିନ୍ଧିଥିବା ପ୍ୟାଣ୍ଟ ପକେଟ୍ ଭିତରେ ସେ ରଖି ଦେଇଚି ।

 

ଯେତେ ଚିଠି ଆସେ ସେ ନ ପଢ଼ି ସବୁଗୁଡ଼ିକୁ ଟିକ୍‌ଟିକରେ ଚିରି ଫୋପାଡ଼ି ଦିଏ । ଅଥଚ ସେଇ ହାତ ଆଜିର ଚିଠିଟାକୁ ବି ଏପର୍ଯ୍ୟନ୍ତ ଜୀବିତ ଅବସ୍ଥାରେ ରଖିଦେଇଚି ।

 

ଅନେକ ଦିନରୁ ସେ କୌଣସି ଚିଠି ପଢ଼ିବାକୁ ଇଚ୍ଛା କରିନି ।

 

କିନ୍ତୁ ପଢ଼ିବାର ଅଦମ୍ୟ ଲୋଭକୁ ସମ୍ଭାଳି ନ ପାରି ସେ ପକେଟ୍‍ରୁ ଚିଠିଟି କାଢ଼ି ହାତରେ ଧରିଲା ।

 

ମାନସିକ ଦ୍ଵନ୍ଦ୍ୱ ଭିତରେ ଲଫାପାଟିକୁ ଖୋଲି ପତ୍ରଟିକୁ ପଦାକୁ ବାହାର କରି ସାରିଥିଲା ।

 

ରାସ୍ତାର ଲାଇଟ୍ ପାଖରେ ଛିଡ଼ା ହୋଇ ସେ ଅକ୍ଷର ଉପରେ ଆଖି ବୁଲାଇ ନେଉ ନେଉ ଖୁବ୍ ଜୋରରେ ଦୌଡ଼ିବା ଆରମ୍ଭ କରିଦେଲା ।

 

ରାସ୍ତା ସାରା ସେ ଦୌଡ଼ିବାରେ ଲାଗିଚି ।

 

ମୁଣ୍ଡ ଭିତରଟା ତା’ର ବିକୃତ ହୋଇ ଆସୁଚି ।

 

ରାସ୍ତାର ଉପାନ୍ତ ଭାଗରେ ସେ ଚେତନାଶୂନ୍ୟ ଭାବରେ ପଡ଼ିରହିଚି । ସାରା ରାତିରେ କେହି ହେଲେ ବି ଦେଖିବାକୁ ନାହାନ୍ତି।

 

ସେ ଖୁବ୍ ସକାଳେ ନିଜକୁ ଆବିଷ୍କାର କରେ । ମେଡ଼ିକାଲରେ ବେଡ଼ରେ । ଆଖି ଖୋଲିଲା ବେଳେ କେହି ତା’ପାଖରେ ନ ଥିଲେ । ସେ ନିଜେ ଅନେକ ଆଶ୍ଚର୍ଯ୍ୟ ହୋଇଯାଇଥିଲା, କେମିତି ଏଠାକୁ ଆସିଲା ।

 

ଅନେକ ରୋଗୀଙ୍କ ମେଳରେ ସେ ବି ରୋଗୀଟିଏ ପାଲଟି ଯାଇଚି । ଅଥଚ କିଏ ବା ବୁଝିପାରିବ ତା’ ରୋଗଟା କେଉଁଠି ? ତା’ ଦେହରେ କେଉଁଠି ହେଲେ ଟିକିଏ କଷ୍ଟ ନାଇଁ । ସବୁଯାକ କଷ୍ଟ ମୁଣ୍ଡ ଭିତରେ ।

 

ତା’ ମୁଣ୍ଡ ଗୋଳମାଳ ହୋଇଯାଇଚି ।

 

ସେ କିଛି ବୁଝି ପାରୁନି । ଆଉ କେହି ତା’ପାଖରେ କଥା କହିପାରିବେନି । ସେ ପୁନଶ୍ଚ ମଣିଷର ମୁହଁ ଦେଖିବାକୁ ଚାହେଁନାଁ ।

 

ମଣିଷ ଦେଖିଲେ ସେ ଖୁବ୍ ଶୀଘ୍ର ଆଖି ବନ୍ଦ କରିଦେଇଚି ।

 

ତା’ ମନରେ ସଞ୍ଚରି ଯାଇଚି ମଣିଷ ପ୍ରତି ଏକ ଅହେତୁକ ଭୟ । ଡାକ୍ତରଖାନାର ଔଷଧକୁ ବି ସେ ବାହାରକୁ ଫିଙ୍ଗି ଦେଉଚି ।

 

ସେ କାନ୍ଦୁଚି । ଖୁବ୍ ଜୋରରେ ଚିତ୍କାର କରି ବେଡ଼୍‍ ଉପରୁ ଉଠି ଆସିବାକୁ ଚେଷ୍ଟା କରୁଚି-। କିନ୍ତୁ ସେ ଉଠି ପାରୁନି । ତା’ ଦେହର ରକ୍ତ କ୍ରମଶଃ ଶିଥିଳ ହୋଇ ଆସୁଚି ।

 

ପଢ଼ିଥିବା ଚିଠିଟିକୁ ସେ ସମସ୍ତଙ୍କୁ ଡାକି ବୁଝେଇବାରେ ଲାଗିଚି । ‘‘ତମେ ଚିହ୍ନିଚ ସୁଧୀର ବାବୁଙ୍କୁ । ଯିଏ ଏଇ ଅଳ୍ପ ଦିନ ପୂର୍ବରୁ ସ୍କୁଟର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ତାଙ୍କର ରକ୍ତ ଦରକାର । ତାଙ୍କୁ ରକ୍ତ ଦିଅ, ଯତ୍ନ ନିଅ, ସେ ପୁଣି ଭଲ ହୋଇଯିବେ । ତାଙ୍କୁ ଏମିତି ମାରିଦିଅ ନାହିଁ-। ମୁଁ ମରିବାକୁ ଦେବି ନାହିଁ…ସେ ବଞ୍ଚିବେ....ହଁ ସେ ବଞ୍ଚିବେ..... ।”

 

ଶ୍ରୀକାନ୍ତ ପାଗଳ ପରି ଗପି ଚାଲିଥିଲା କେଇ ଦିନ ତଳେ ପଢ଼ିଥିବା ଚିଠିଟିକୁ ।

 

ମଧୁଛନ୍ଦାର ସ୍ଵାମୀ ସ୍କୁଟର ଦୁର୍ଘଟଣାରେ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଚି ।

 

ମଧୁଛନ୍ଦାର ସ୍ଵାମୀ ସୁଧୀର ପଟ୍ଟନାୟକ । ଇଂରାଜୀ ବିଭାଗର ଅଧ୍ୟାପକ ସୁଧୀର ପଟ୍ଟନାୟକ ।

 

ମାସକ ପୂର୍ବରୁ ତାଙ୍କର ଜୀବନ ଦୀପ ଲିଭି ଯାଇଚି । ମଧୁଛନ୍ଦାର ବୈବାହିକ ଜୀବନର ପୂର୍ଣ୍ଣଚ୍ଛେଦ ପଡ଼ିଯାଇଚି । ପିଲାଛୁଆର ସଂସାର କରିବା ପୂର୍ବରୁ ସେ ହୋଇଯାଇଚି ଠିକ୍ ଶ୍ରୀକାନ୍ତ ପରି ନିଃସଙ୍ଗ, ମାନସିକ ରୋଗୀ ।

 

ଦୀର୍ଘ ଦୁଇବର୍ଷ ତଳର ମଧୁଛନ୍ଦା ପରି ସେ ଆଉ ଦୁଶୁ ନ ଥିବ । କୋଣାର୍କର ସେଇ ପ୍ରସ୍ଥର ଚଟାଣରେ ନିଜକୁ ସେ ଯେପରି ଶ୍ରୀକାନ୍ତ ପାଖରେ ସମର୍ପି ଦେଇଥିଲା, ଆଜି ସେମିତି ସେ କିଛି କରିପାରିବନି ।

 

ତା’ର ସ୍ମିତ ହସର ମୁହଁ ମଉଳି ଯାଇଥିବ ସକାଳର ସଦ୍ୟ ବୃନ୍ତଚ୍ୟୁତ ଶେଫାଳି ଫୁଲ ପରି-। ତଥାପି ଶେଫାଳି ଫୁଲର ମହକ ନେଇ ସେ ବି ଆଜିପର୍ଯ୍ୟନ୍ତ ବଞ୍ଚି ରହିଚି ଶ୍ରୀକାନ୍ତର କାମନାର ଫୁଲବଗିଚାରେ ।

 

ମଧୁଛନ୍ଦାର ମଧୁମୟ ବିଧୁବନରେ ଅକାଳ ଝଡ଼ର ପ୍ରବେଶ ହତଶ୍ରୀ କରିଦେଇଚି ତା’ର କାମନାର କାମ୍ୟକ ବନ ।

 

ସେ କେଉଁ ଘର କୋଣରେ ଗୁମୁରି ଗୁମୁରି କାନ୍ଦୁଚି । ଅତୀତ ଆଉ ବତ୍ତମାନର ବ୍ୟବଧାନ ଭିତରେ ତା’ର ଯେଉଁ ସ୍ୱପ୍ନ, ଭବିଷତ୍ୟର ଅନ୍ଧାର ଭିତରେ ବିଲୁପ୍ତ ହୋଇଯାଉଚି ।

 

ନାରୀର ବ୍ୟାକୁଳ ମନ ମା’ ହେବାର ବାସନାରୁ ବଞ୍ଚିତ ।

 

ସେ ଠିକ୍ ଯେମିତି ଶୁଣିପାରୁଚି ମଧୁଛନ୍ଦାର କରୁଣ କାତର ଅବଶୋଷର ଗୀତିକା । ସେ ସୁଖୀ ହୋଇପାରିଲାନି । ତାରି ପରି ସେ ସମୟର ଅଙ୍ଗୀକାରକୁ ସ୍ୱୀକାର କଲା ।

 

ଆଉ ଶୁଚିସ୍ମିତା ସେମିତି ଖିଆଲି ମନ ନେଇ ଘୂରି ବୁଲୁଥିବ ତା’ର ଅପରୂପ ଯୌବନର ସରହଦ ସୀମା ଭିତରେ । ମଦମତ୍ତ ସୌନ୍ଦର୍ଯ୍ୟର ମୈଥିଲ୍ୟ ହୁଏତ ସେ ଅନୁଭବ କରିପାରିନି ନିଜର ଗର୍ବିତ ମନ ଭିତରେ ବ୍ୟକ୍ତି କେନ୍ଦ୍ରିକ ଜୀବନ ଭିତରେ ରହି ସେ ସୁଖୀ କରାଇ ପାରିଲାନି ଅନ୍ୟ ଏକ ମଣିଷକୁ ।

 

ତଥାପି ସେ ସୁଖୀ ହେଉ ।

 

କିନ୍ତୁ ସେ ବି ସ୍ଵୀକାର କରିବ ସମୟର ଅଙ୍ଗୀକାରକୁ ।

 

ବାପା ଆଉ ଦାଦା–ଯେଉଁମାନେ ଦିନେ ଅସୁମାରୀ ଆଶା ଭିତରେ ପୁଅକୁ ପାଠ ପଢ଼ାଇ ମଣିଷ ହେବାପାଇଁ ଚେଷ୍ଟା କରୁଥିଲେ, ସେମାନେ ସମସ୍ତେ ଖୁବ୍ ଦୂରରେ । ଶ୍ରୀକାନ୍ତ ମେଡ଼ିକାଲ୍‍ର ବେଡ଼ରେ ।

 

ନିଜ ନିଜଠାରୁ ବ ସେମାନେ ଦୂରେଇ ଯିବାକୁ କୁଣ୍ଠାପ୍ରକାଶ କଲେନି ।

 

ସମୟ ବି ବିଭକ୍ତ କରିଦିଏ ଗୋଟିଏ ବନ୍ଦୁ ରକ୍ତକୁ ବିଭିନ୍ନ ଭାଗରେ ।

 

ସମସ୍ତେ ପରସ୍ପରଠାରୁ ବିଚ୍ଛିନ୍ନ । ଏକ ଛିନ୍ନମୂଳ ସଭ୍ୟତାର ଆବେଷ୍ଟନୀ ଭିତରେ ସମସ୍ତେ ସ୍ଵତନ୍ତ୍ର । ସମାଜ ଏକ ପ୍ରହେଳିକା, ଛଳନାମୟ ଜଗତ ।

 

କାହାରି ନାହିଁ କାହାରି ସହିତ ସମ୍ପର୍କ । ସମସ୍ତେ ଏକାକୀ, ସ୍ଵୟଂ ସମ୍ପୂର୍ଣ୍ଣ, ଏକ ।

 

ଆଖିର ବୁନ୍ଦା ବୁନ୍ଦା ଲୁହ ଭିତରେ ସାରା ପୃଥିବୀର ଛବିକୁ ସେ ଆଙ୍କି ପାରୁଥିଲା ନିଜ ହାତ ପାପୁଲିରେ । ଦୋଳାୟମାନ ମନ ଭିତରେ ସବୁ କାହାଣୀର ଏକତ୍ର ସମାବେଶ । ଡାକ୍ତର କହିଯାଇଛନ୍ତି–ସେ ସମ୍ପୂର୍ଣ୍ଣ ମାନସିକ ଶାନ୍ତିରେ ରହିବା ଦରକାର । ମୁଣ୍ଡ ଭିତରୁ ସବୁ ଭାବନାର ଜାଲକୁ ଛିଡ଼ାଇ ଦେବା ଉଚିତ ।

 

ସେ ନର୍ବିକାର ଭାବରେ ଶୋଇଚି । କିନ୍ତୁ ବିଭିନ୍ନ ଆଡ଼ୁ, କେତେ କ’ଣ ଭବନା ସବୁ ଆସି ତାକୁ ଅସ୍ତବ୍ୟସ୍ତ କରି ପକାଉଛନ୍ତି । ଏହି ଭାବନାର ଚକ୍ରବ୍ୟୁହ ଭିତରୁ ସେ ମୁକ୍ତି ଚାହୁଁଚି, ସେ ପୁଣି ମୁକ୍ତି ଚାହୁଁଚି ନିଜର ଦେହଠାରୁ । କିନ୍ତୁ ସେ ବନ୍ଦୀ । ନିଜର ମୁଁତ୍ୱ ଭିତରେ ସେ ଆଜୀବନ କାରାବାସୀ-

 

ପାଖରେ ଯତ୍ନ ନେଉଥିବା ସିଷ୍ଟରଙ୍କୁ ଡାକ୍ତର କ’ଣ ଚୁପ୍‌ ଚୁପ୍‌ କହିଗଲେ । ସେ ଡାକ୍ତରଙ୍କ ପାଟିକୁ ଲକ୍ଷ୍ୟକରି କଛିଟା ବୁଝିପାରୁଥିଲା । ଡାକ୍ତର ଅବଶ୍ୟ ଏହା ଲକ୍ଷ୍ୟକରି ଶୁଖିଲା ମୁହଁରେ କହିଗଲେ “ତମେ ଆଦୌ ବ୍ୟସ୍ତ ହୁଅନି । ଖୁବ୍ ଶୀଘ୍ର ଭଲ ହୋଇଯିବ ତମ ଦେହ ।” ଡାକ୍ତର ଚାଲିଗଲେ ।

 

ସିଷ୍ଟର ଖୁବ୍ ସ୍ନେହ କରୁଥିଲେ, ମାଆ ପରି ।

 

ବର୍ଷକ ତଳେ ଦେଖି ନ ଥିବା ବୋଉର ମୁହଁ ଫୁଟି ଉଠିଲା ସେଇ ସିଷ୍ଟରଙ୍କ ମୁହଁରେ । ଆସ୍ତେ ଆସ୍ତେ ହାତ, ଗୋଡ଼, ଦେହ ବୋଉର ଚେହେରା ସହିତ ମେଳ ଖାଇଗଲା । ପୁଣି କଥାବାର୍ତ୍ତା ଠିକ୍ ଶୁଭିଲା ତା’ ବୋଉର କଣ୍ଠସ୍ୱର ପରି ।

 

ସିଷ୍ଟର ମୁଣ୍ଡରେ ହାତ ମାରୁ ମାରୁ, ଶ୍ରୀକାନ୍ତ ଠିକ୍ ଭାବରେ ହାତଟିକୁ ଧରିନେଇ ଅଳ୍ପ ଆଉଁସି ଦେଲା ! ଅଚେତନ ଭାବରେ ପାଟିରୁ ବାହାରି ଆସିଲା–‘‘ବୋଉ ।”

 

ଠିକ୍ ଭାବରେ ହୁଏତ ସିଷ୍ଟର ଶୁଣିପାରିନଥିଲେ । ତାଙ୍କ ମୁହଁରେ ଆତଙ୍କର ଚିହ୍ନ ସ୍ପଷ୍ଟ ହୋଇ ଉଠିଥିଲା । ତାଙ୍କର ହସ ହସ ମୁହଁ ପ୍ରତିଦିନ କମି କମି ଆସୁଥିଲା । ତଥାପି ଶ୍ରୀକାନ୍ତ ପାଖକୁ ସେ ଆସିଲା ବେଳେ ଶୁଖିଲା ମୁହଁରେ କ୍ଷୀଣ ହସର ରେଖା ଟାଣି ଆଣୁଥିଲେ ।

 

ଶ୍ରୀକାନ୍ତ ଭାବନାର ଆଦିଅନ୍ତ ନ ଥିଲା ।

 

ସେ ଖୁବ୍ ଦୁର୍ବଳ ହୋଇଯାଇଚି । ସୁନ୍ଦର ଚିକ୍‌କଣ ମୁହଁ ପାଣ୍ଡୁରିଆ ପଡ଼ି ଆସିଲଣି । ମୃତ୍ୟୁର ଦୂତମାନେ ପାଖେଇ ଆସୁଚନ୍ତି । ତାକୁ ଧରିନେବା ପାଇଁ । ତଥାପି ଶଙ୍କାଶୂନ୍ୟ ଶ୍ରୀକାନ୍ତ ।

 

ସେ ଭୟ କରେନା ମୃତ୍ୟୁକୁ ।

 

ସେ ସ୍ଵାଗତ ଜଣାଉଚି କଳାଛାୟାମାନଙ୍କୁ । ଏଇ କଳାଛାୟାମାନେ ହିଁ ତାକୁ ମୁକ୍ତି ଦେଇପାରିବେ । ସେ ପୁଣି ନୂତନ ଜୀବନ ପାଇବ ଏକ ଅଦୃଶ୍ୟ ରାଜ୍ୟରେ । ଯେଉଁଠି ନ ଥିବ ମିଥ୍ୟା, ପ୍ରବଞ୍ଚନା ।

 

ତାକୁ ହୁଏତ ପୃଥିବୀର ଜୀବଜଗତ ଚିହ୍ନିପାରିବନି । ଦେଖି ପାରିବନି କିନ୍ତୁ ସମସ୍ତ ମଣିଷ ମନର ସତ୍ତାର ଫଳକରେ ଯୁଗଯୁଗର କାଚକେନ୍ଦୁ ସ୍ଵପ୍ନକୁ ସେ ଅନୁଭବ କରି ସେତେବେଳେ ହସି ପାରିବ ମନ ଖୋଲା ହସ । ଆଉ ମହାଶୂନ୍ୟର ମାନଚିତ୍ର ଭିତରକୁ ସମୟାନୁକ୍ରମେ ହୋଇଯିବ ମୁକ୍ତ ସତ୍ତାର ଭିଡ଼ । ସେତେବେଳେ ବି ସେଇ ଅହଙ୍କାରୀ ପୁରୁଷ, ପ୍ରକୃତି ସମସ୍ତେ ଅନୁଭବ କରିପାରିବେ ପୃଥିବୀରେ ବଞ୍ଚିଥିବା ଜୀବଜଗତର ପ୍ରବଞ୍ଚନା ଓ ଶଠତାକୁ । କ୍ରମାନ୍ୱୟରେ ସମସ୍ତେ ହଜିଯିବେ କାମନାର ଶୁଷ୍କ ସମୁଦ୍ରରେ ମଣିଷର ନିର୍ବାସିତ ଅନୁକମ୍ପା ଭିତରୁ । ସେତେବେଳେ ସମସ୍ତେ ହେବେ ତା’ରି ପରି ଜାଗ୍ରତ । ଅପାର୍ଥୀବ ସ୍ମୃତିର ଖିଅ ଛିଡ଼ି ଯାଇ ସୃଷ୍ଟି ହେବ ଏକ ନୂତନ ଆତ୍ମୀୟଜଗତ । ଏଇ ତା’ର ଦର୍ଶନର ସର୍ବଶେଷ ଅକାଟ୍ୟ ଯୁକ୍ତି ।

 

ମୁକ୍ତିର ପ୍ରତୀକ ତାକୁ ଡାକି ନେବାପାଇଁ ଆସିଚି ।

 

ସେ ଚିତ୍କାର କଲା । କେହି ଶୁଣିପାରିଲେନି ।

 

ସିଷ୍ଟର ମୁଣ୍ଡ ଆଉଁସି ଦେଉଥିଲେ ।

 

ତା’ ଦେହ ଖୁବ୍‍ ଜୋରରେ ଥରି ଉଠିଥିଲା । ପ୍ରତ୍ୟେକ ଲୋମକୂପ ରୋମାଞ୍ଚିତ ହୋଇ ଉଠୁଥିଲା । ସିଷ୍ଟରଙ୍କର ହାତ ଦୁଇଟିକୁ ସେ ଖୁବ୍ ଟାଣ ଭାବରେ ନିଜ ମୁହଁ ଉପରେ ଜାବୁଡ଼ି ଧରିଲା ।

 

ଖଣ୍ଡି ଖଣ୍ଡିକିଆ କଥା ଭିତରେ ରେ ସେ ସିଷ୍ଟରଙ୍କୁ କହିଲା କେତୋଟି ଚିଠି ଲେଖିବା ପାଇଁ-

 

ତିନୋଟି ଠିକଣାରେ ତିନୋଟି ଲଫାପା ।

 

ସେ ଖୁବ୍ କ୍ଳାନ୍ତ ଅନୁଭବ କଲା । ଅନିଚ୍ଛା ସତ୍ତ୍ଵେ ସିଷ୍ଟରଙ୍କ କଥାମାନି ସେ ଆଖି ମୁଦିଲା ।

 

ଗୋଧୂଳି ସମୟ ।

 

ନିଷ୍ପ୍ରଭ ଆଖି ଦୁଇଟିରେ ଜୁଳୁ ଜୁଳୁ କରି ସେ ଚାହିଁରହିଚି ମେଡ଼ିକାଲ ପଙ୍ଖାକୁ । ଖଟ ଉପରେ ଶୁଭ୍ର ବିଛଣା ଚଦର । ତା’ ଉପରେ ସେ ଶୋଇଚି । ଆଉ ଅପେକ୍ଷା ରଖିଚି କେଉଁ ସମୟରେ ତା’ ଦେହରେ ଘୋଡ଼ାଇ ଦିଆଯିବ ଆଉ ଖଣ୍ଡେ ଶୁଭ୍ର ଲୁଗା ।

 

ସେତେବେଳେ ସେ ମୁକ୍ତି ପାଇ ସାରିଥିବ ଅନ୍ୟମାନଙ୍କ ପାଖରୁ ।

 

ସେ ସେମିତି ନିଶ୍ଚଳ ଓ ପଲକଶୂନ୍ୟ ଆଖିରେ ପାଖରେ ଠିଆହୋଇଥିବା ସମସ୍ତଙ୍କ ମୁହଁକୁ ଥରେ ଥରେ ନିରୀକ୍ଷଣ କରି ଦୃଷ୍ଟିଶକ୍ତି ଫେରାଉଚି ନିଜ ପାଖକୁ । ସିଷ୍ଟରଙ୍କର ଆଙ୍ଗୁଳିଗୁଡ଼ାକୁ ସେ ମୁଠେଇ ଧରିଚି ତା’ର ଶକ୍ତିହୀନ ହାତ ପାପୁଲିରେ ।

 

ଆଗରେ ବାପା ଆଉ ଦାଦାଙ୍କର ବିସ୍ଫାରିତ କରୁଣ ଚାହାଣି ।

 

ବାପାଙ୍କର ମଳିନ ଚେହେରା ଦେଖି ଶ୍ରୀକାନ୍ତ କାନ୍ଦିବାକୁ ଇଚ୍ଛା କଲେ ବି କାନ୍ଦିପାରିଲାନି । ଜ୍ୟୋତିହୀନ କୋଟରଗତ ଆଖିରେ ନ ଥିଲା ଲୁହର ସୁଅ । ସବୁ ଶୁଖି ଶୁଷ୍କ ମରୁପ୍ରାନ୍ତରରେ ପରିଣତ ହୋଇଯାଇଚି । ହୃଦୟର ଭଲପାଇବା ତଟିନୀରେ ଉଠଚି ଗ୍ରୀଷ୍ମ ମଧ୍ୟାହ୍ନର ବାଲୁକା ଝଡ଼ । ସମଗ୍ର ଆକାଶକୁ ବିବର୍ଣ୍ଣ କରିଦେଇଛି ମାଠିଆ ବାଲି ଝଡ଼ ।

 

ଦାଦା ଛଳ ଛଳ ଆଖିରେ ନିର୍ବାକ୍‍ । ସେ ଠିକ୍ ଭାବରେ ବୁଝିପାରୁଥିଲେ ଶ୍ରୀକାନ୍ତ ମନର ବେଦନା । ଯେଉଁ ପୁଅକୁ ସେ ଏତେ ସ୍ନେହ ଶ୍ରଦ୍ଧାରେ ବଢ଼ାଇ ଆଣିଥିଲେ, ସେ ଆଉ ସକ୍ଷମ ନୁହେଁ ପୁନଶ୍ଚ ସେଇ ‘‘ଦାଦା” ଡାକ ଡାକିବାକୁ ।

 

ତାଙ୍କରି ଆଖି ଆଗରେ ଶ୍ରୀହୀନ ହୋଇଯାଇଛି ଶ୍ରୀକାନ୍ତ । ଟିକି ପିଲାଟି ବେଳର ଗୁଲୁଗଲିଆ ମୁହଁରେ କୁନୁ କୁନୁ ଆଖିର ଭାଷା ନାଚି ଉଠିଲା ପୁଣି ଜୀବଦାନ ପାଇ । ସେଇ ଅଳି ଅଝଟିଆ ଦରୋଟି ଭାଷା ମନେପଡ଼ି ମନ୍ଥି ପକାଉଥିଲା ତାଙ୍କର ହୃଦୟ । ବ୍ୟାକୁଳ ମନରେ ସେ ପୁଣି ଚାହିଁଥିଲେ ପିଲାବେଳର ଦା....ଦା....ଦା....ଦା...ଡାକ ଶୁଣିବା ପାଇଁ ।

 

ସମୟ ଅନେକ ଡେରି ହୋଇଯାଇଥିଲା ସେଇ ପଦିଏ କଥା ଶୁଣିବା ପାଇଁ ।

 

ବାପା ଆଉ କିଛି ଭାବିପାରୁନଥିଲେ । ରୁକ୍ଷ ଦାଢ଼ିଆ ମୁହଁରେ ସେ ଶେଷଥର ଶ୍ରୀକାନ୍ତର କପାଳ ଉପରେ ଛୋଟିଆ ବୋକଟିଏ ଦେଇ ଦି’ଟୋପା ତପ୍ତ ଲୁହ ଢାଳି ଦେଇଥିଲେ ।

 

ଶ୍ରୀକାନ୍ତ ସେମିତି ପୂର୍ବପରି ନିଶ୍ଚଳ । ସେ ଚାହିଁଚି…

 

ଦାଦା ଖୁବ୍ କାତର ସ୍ଵରରେ କହୁଥିଲେ–“ତୁ ଶୀଘ୍ର ଭଲ ହୋଇଯିବୁ ଶ୍ରୀକାନ୍ତ । ପୁଣି ଫେରଯିବୁ ଆମର ସୁଖର ଘରକୁ । ଆମେ ଖୁସିରେ ରହିବା । ତୁ ପାଠପଢ଼ି ମଣିଷ ପରି ମଣିଷଟିଏ ହେବୁ । ଛୋଟିଆ ପିଲାଟିଏ ଆଉଥରେ ପାଲଟି ଯାଇ ‘ଦାଦା....ଦାଦା’ ଡାକିବୁ ।

 

ଆଉ କିଛି କହି ପାରିଲେନି । ସେ ଶ୍ରୀକାନ୍ତର ଗୋଡ଼ ଦୁଇଟିରେ ହାତ ବୁଲାଇ ଆଣିଲେ । ଶୀତ ଦିନର ସୁରେଇ ପାଣିପରି ଗୋଡ଼ ଥଣ୍ଡା ହୋଇ ଆସୁଚ କ୍ରମଶଃ ।

 

ଶିକାନ୍ତର ଓଠ ଦିଓଟି ଥରି ଉଠିଲା । ଓଠକୁ ଓଠ ଲାଗି ପୁଣି ଛାଡ଼ିଗଲା । ଅସ୍ପଷ୍ଟ ଭାବରେ ସେ ଉଚ୍ଚାରଣ କଲା ଦା...ଦା...

 

ଠିକ୍ ପାଖରେ ଆସି ପହଁଚି ଯାଇଥିଲା ମଧୁଛନ୍ଦା । ଶ୍ରୀକାନ୍ତ ମୁହଁ ବୁଲେଇଲା । ବିଷଣ୍ଣ ମୁହଁରେ ମଧୁଛନ୍ଦାର ପୂର୍ବର ସ୍ମିତ ହସ ସେପରି ଲାଗି ରହିଚି । ସେ ନିଶ୍ଚଳ କଣ୍ଢେଇଟିଏ ପରି ବଲବଲ ଚାହିଁଚି କେବଳ ଶ୍ରୀକାନ୍ତର ଧୂସରିଆ ବିକଳାଙ୍ଗ ମୁହଁକୁ ।

 

ଶ୍ରୀକାନ୍ତ ମୁହଁରେ ଫୁଟିଲା ସାମାନ୍ୟ ହସର ଆଭା ।

 

ମଧୁଛନ୍ଦାର ସ୍ମିତ ହସ ତା’ର ପ୍ରତିଦାନ ।

 

ବାପା, ଦାଦା ବାହାରେ ଡାକ୍ତରଙ୍କୁ ଅପେକ୍ଷା କରି ଛିଡ଼ାହୋଇଛନ୍ତି ଅନ୍ୟମାନଙ୍କ ପରି ।

 

ଶୁଚିସ୍ମିତାର ଉପସ୍ଥିତିକୁ କିଛି ସମୟ ପରେ ଅନୁଭବ କଲା ଶ୍ରୀକାନ୍ତ । ଅନେକ ଡେରିରେ...ମୃତ୍ୟୁଶଯ୍ୟା ପାଖରେ ଠିଆ ହୋଇଛି ଶୁଚି । ଗମ୍ଭୀରିଆ ମୁହଁ ଉପରେ ଆତଙ୍କିତ କଳାଛାୟା ତା’ର ରୂପ ସୁଷମାକୁ ପରାହତ କରିଛି ।

 

ଶ୍ରୀକାନ୍ତ ଅନ୍ତର ଭିତରେ ଶୁଭକାମନା କରୁଛି ଶୁଚିର । ହାତକୁ ସାମାନ୍ୟ ହଲାଇ ସେ ଶେଷଥର ପାଇଁ ବିଦାୟ ମାଗି ନେଉଚି ଶୁଚି ପାଖରୁ ।

 

ମଧୁଛନ୍ଦାର ଟିକି ଆଙ୍ଗୁଠିରେ ସରୁ ବୋକଟିଏ ଦେଇ ସେ ସମବେଦନା ଜଣୋଉଚି ତା’ର ଦୁଃଖରେ ।

 

ଏତେବେଳ ପର୍ଯ୍ୟନ୍ତ ସେ କେବଳ ବଞ୍ଚି ରହିଚି, ତାକୁ ଭଲପାଉଥିବା ଲୋକଟି କଷ୍ଟ ନ ପାଇବ ବୋଲି । ଚେଷ୍ଟାକୃତ ଭାବରେ ବି ସେ ଆଉ ସୁଖୀ କରାଇ ପାରିବନି ସେଇ ଲୋକମାନଙ୍କୁ । ସେ ଚାଲିଯାଉଚି ଏକ ଅଜଣା ଥାନାକୁ ଯେଉଁଠି ଏଇ ପୃଥିବୀର ଲୋକମାନଙ୍କର ରାଜୁତି ନ ଥିବ ।

 

ବାପା ଆଉ ଦାଦା ଡାକ୍ତରଙ୍କ ସହ ଫେରିଆସୁଥିଲେ । ତା’ପାଖକୁ ।

 

ଶେଷଥର ପାଇଁ ସେ ଥରେ ଥରେ ସମସ୍ତଙ୍କ ମୁହଁକୁ ଚାହିଁଲା ।

 

ବାପା ତା’ପାଖରେ ପହଞ୍ଚି ସାରିଥିଲେ ।

 

ସାରା ଡାକ୍ତରଖାନାରେ ସେତେବେଳେ ହୋଇ ସାରିଥିଲା ନିବିଡ଼ ଅନ୍ଧାର । କିଛି ସମୟ ପାଇଁ ନିଃଶବ୍ଦରେ ଇଲେକ୍‍ଟ୍ରିକ୍ ଆଲୁଅ ଚାଲି ଯାଉଥିଲା ।

 

ସମସ୍ତେ ନୀରବ ।

 

ଆଲୁଅ ଆସିଲା ପରେ ଶ୍ରୀକାନ୍ତ ମୁହଁରେ ଲାଗିଥିଲା କ୍ଷୀଣ ହସର ପଟୁଆର ।

Image